ସୁବିସ୍ତୀର୍ଣ୍ଣ ଜଳରାଶି ମଧ୍ୟରେ ଦ୍ବୀପଟିଏ ଥିଲା । ଦ୍ବୀପଟିଏ !! ନା–ନା—କୁଶଳୀ ଚିତ୍ରକରର କାନ୍ ଭାସ୍ ରେ ଅଙ୍କିତ ବିବିଧବର୍ଣ୍ଣା ଚିତ୍ରପଟଟିଏ । କିଏ କହେ ନା ଚିତ୍ରପଟ ନୁହେଁ କବି କଲମ ମୁନର ପ୍ରାଣୋତ୍ସଳ କବିତାଟିଏ । ଆଉ କିଏ କହେ ନା ନା ସେ ନଦୀର କୁଳୁକୁଳୁ ସ୍ବନରେ, କେତେବେଳେ ବା ପକ୍ଷୀ କାକଳୀର ସୁମଧୁର ତାନରେ ଗୀତ ଗାଉଥିବା, ମଧୂପର ଗୁଣୁଗୁଣୁ ଛଳରେ ଚୁଡି ରୁଣୁଝୁଣୁ କରୁଥିବା ସୁନ୍ଦରୀ ତରୁଣୀଟିଏ । ଦ୍ବୀପଟିର ନୈସର୍ଗିକ ସୁଷମା ତାକୁ ଏହିପରି ବିଭିନ୍ନ ରୂପରେ ପରିଚୟ କରାଉଥିଲା । ତାର ଚତୁର୍ଦିଗ ପ୍ରବାଳ ପ୍ରାଚୀର ପରିବେଷ୍ଟିତ । ଦ୍ବୀପ ମଧ୍ୟରେ କେଉଁ ନଦୀର ଧାରେ ଧାରେ କମଳାଲେମ୍ବୁ ଗଛର ପ୍ରାବଲ୍ୟ । ବୃକ୍ଷ ନିପତିତ ପକ୍ବ କମଳା ନଦୀ ଜଳରେ ପ୍ରବାହିତ ହୋଇ ନଦୀଟିକୁ ନାରଙ୍ଗୀ ବର୍ଣ୍ଣବିଭାରେ ଚମକାଉଥିଲା । କେଉଁ ନଦୀର ତୀରେ ତୀରେ ନାଲି ମନ୍ଦାର,କୃଷ୍ଣଚୁଡାର ଗହଳି । ନାଲି ନାଲି ପାଖୁଡାରେ ଆଚ୍ଛାଦିତ ହୋଇ ପୂରା ନଦୀଟି ରକ୍ତବର୍ଣ୍ଣ ଧାରଣ କରୁଥିଲା । କେଉଁଠି ପାହାଡୀ ନଦୀଟିଏ ନଦୀ ମଧ୍ୟସ୍ଥ ପ୍ରସ୍ତରରେ ମୁଣ୍ଡ ପିଟିଦେଇ ଫୁଲଝରି ପରି ଛିଟ୍ କି ପଡୁଥିଲା । ସବୁଜ ଶସ୍ୟକ୍ଷେତ୍ରର ଛାତି ଚିରି ରକ୍ତବର୍ଣ୍ଣା ନଦୀ ପ୍ରବାହିତ ହେଉଥିଲା, ତ ନାରଙ୍ଗୀ ନଦୀଟି ଚୁନା ଚୁନା ରୂପାରଙ୍ଗୀ ମାଛ ଆଖିରେ ଆଖିମିଟିକା ମାରି ‘ମତେ ଦେଖ, ମତେ ଦେଖ କହୁଥିଲା । ଏତେ ସୌନ୍ଦର୍ଯ୍ୟ ବିମଣ୍ଡିତା ଥିବାରୁ ଦ୍ବୀପଟି “ଦ୍ବୀପରାଣୀ” ନାମରେ ଖ୍ୟାତ ଥିଲା । ବିଦାୟୀ ସୂର୍ଯ୍ୟରଶ୍ମିକୁ ପ୍ରବାଳ ଛାତିରେ ପ୍ରତିଫଳିତ କରାଇ ଦ୍ବୀପରାଣୀ ହସୁଥିଲା । କଳାମେଘୀ ଓଢଣୀରେ ଚକ୍ ଚକ୍ ବିଜୁଳି ଛଟା ତା ହସର ଝଲକ ଥିଲା । ଶୀତର କଅଁଳ ଖରାରେ ସୂର୍ଯ୍ୟସ୍ନାତ କାକର ବିନ୍ଦୁଗୁଡିକ ମଧ୍ୟ ତା ହସର ହିଁ ରୂପାନ୍ତର ଥିଲା । ଦ୍ବୀପରାଣୀ ଏତେ ହସୁଛି ! ଈର୍ଷାତୁର ହେଉଥିଲା ବିକ୍ଷୁବ୍ଧ ସାଗର । ଉର୍ମିମାଳାର ବଳୟ ସୃଷ୍ଟି କରି ଦ୍ବୀପରାଣୀକୁ ନିଶ୍ଚିହ୍ନ କରିଦେବାକୁ ସତତ ଚେଷ୍ଟିତ ଥିଲା । ତାତ୍ସଲ୍ୟ କରି କହୁଥିଲା –“କାହିଁକି ତୋର ଏତେ ହସ ? ମୋ ତୁଳନାରେ ତୁ କେତେ ଛୋଟରେ ? ମୁଁ ଇଚ୍ଛା କଲେ ତତେ ଗୋଟିଏ ମୁହୂର୍ତ୍ତରେ ଜଳମଗ୍ନ କରିଦେବି । ମୋ ଦୟାରେ ବଞ୍ଚିଛୁ, ଅଥଚ ମୋରି ଆଗରେ ତୋର ସ୍ପର୍ଦ୍ଧିତ ଠାଣି ଦେଖଉଛୁ !!” ରାକାରଜନୀରେ ଆହୁରି ଜୋରରେ ହସିଉଠି ଦ୍ବୀପରାଣୀ ସାଗରର ବଡ ବଡ ଜୁଆରକୁ ପ୍ରବାଳ ପ୍ରାଚୀର ନିକଟରୁ ହିଁ ପ୍ରତ୍ୟାଗତ ହେବାକୁ ବାଧ୍ୟ କରୁଥିଲା । କଳକଳ ନାଦରେ କହୁଥିଲା –“ନା’ରେ ସାଗର ନା । ତୁ ମୋ ତୁଳନାରେ ଯଥେଷ୍ଟ ବିଶାଳ ହେଲେ ମଧ୍ୟ ମତେ ବିଲୁପ୍ତ କରିବାକୁ ସକ୍ଷମ ହେବୁନାହିଁ । ମୋ ଅଧିବାସୀଗଣ ମୋର ସନ୍ତାନ।ମୁଁ ସେମାନଙ୍କ ମାତୃସମା । ଯେପର୍ଯ୍ୟନ୍ତ ମୋ ସନ୍ତାନଗଣ, ସତ୍ୟ, ଧର୍ମ, ନ୍ୟାୟର ପଥ ଅନୂସରଣ କରୁଥିବେ, କର୍ମଠ ଥିବେ, ପରିସ୍ଥିତି ଓ ପରିବେଶ ପ୍ରତି ସଜାଗ ଦୃଷ୍ଟି ରଖିଥିବେ, ତୋର ଅବାଧ୍ୟ ଦୁଷ୍ଟ ଲହରୀଗଣ କେବଳ ମାତ୍ର ମୋର ଚରଣ ହିଁ ସ୍ପର୍ଶ କରିପାରିବେ । ମତେ ଡୁବାଇବାର ପ୍ରଚେଷ୍ଟା କଲେ ଲଜ୍ଜିତ ହୋଇ ଫେରିବେ ହିଁ ଫେରିବେ ।” ଏ କଥାରେ କି କୁହୁକ ଥାଏ କେଜାଣି, ସାଗର ଲହରୀ ଯେତିକି ପରାକ୍ରମରେ, ଯେତିକି ବେଗରେ ଦ୍ବୀପାଭିମୁଖୀ ହୋଇଥାଆନ୍ତି, ଠିକ୍ ସେତିକି ନମ୍ରତାର ସହିତ କୁର୍ଣ୍ଣିସ୍ ମାରି ମାରି ଦ୍ବୀପରାଣୀକୁ ସମ୍ମାନ ବିମଣ୍ଡିତା କରି ଫେରିଯାଆନ୍ତି । ଦ୍ବୀପରାଣୀ ବୃଥା ବା ମିଥ୍ୟା ଆସ୍ଫାଳନ କରୁନଥିଲା । ତାପରି ତା ଅଧିବାସୀମାନେ ମଧ୍ୟ ଶାନ୍ତ ସରଳ ଓ ସୁନ୍ଦର ଥିଲେ । ସାରା ଦ୍ବୀପଟି ଗୋଟିଏ ମୁଲକ ବା ଦେଶ ରୂପେ ପରିଗଣିତ ହେଉଥିଲା । ତାହା ଅନ୍ଧାରିମୁଲକ କିମ୍ବା ଆଲୋକିତମୁଲକ ଥିଲା ତାହା ବିଚାରସାପେକ୍ଷ । ସେ ଅଧିବାସୀମାନେ ସୁଖ ବା ଆରାମରେ ଥିଲେ ବୋଲି କୁହାଯାଇ ନ ପାରେ କିନ୍ତୁ ଶାନ୍ତିରେ ନିଶ୍ଚୟ ଥିଲେ । ସେମାନେ ମଉଜମଜଲିସ୍ ମନଉଥିଲେ । ଆନନ୍ଦ ଉଲ୍ଲାସରେ ମଧ୍ୟ ମଗ୍ନ ହେଉଥିଲେ । ତାଙ୍କ ମଧ୍ୟରେ କେହି ଧନୀ ନଥିଲେ କି କେହି ଗରିବ ନଥିଲେ । ସେଠି କେହି କାହାକୁ ଶାସନ କରୁନଥିଲେ କରିବା ମଧ୍ୟ ଆବଶ୍ୟକ ନଥିଲା । ଉଚ୍ଚ ନୀଚ ଭେଦଭାବ ନଥିଲା । ପରସ୍ପର ପ୍ରତି ପ୍ରଗାଢ ବିଶ୍ୱାସ ପ୍ରଯ୍ୟାପ୍ତ ସ୍ନେହ ଶ୍ରଦ୍ଧା ଥିଲା । ସମସ୍ତେ କର୍ମଠ ଥିଲେ । ସେମାନଙ୍କ ମଧ୍ୟରେ ଢେର୍ ଢେର୍ ଆତ୍ମପ୍ରତ୍ୟୟ ଭରପୁର ଥିଲା । କିଛି ଲିଖିତ ନୀତିନିୟମ ନଥିଲା, କିନ୍ତୁ ଅଲିଖିତ ନୀତିନିୟମକୁ ସମସ୍ତେ ବେଶ୍ ମାନୁଥିଲେ । କାରଣ ? ସମସ୍ତ ଦ୍ବୀପବାସିନ୍ଦା ପୂର୍ଣ୍ଣଈଶ୍ୱର ବିଶ୍ୱାସୀ ଥିଲେ । ଭୁଲ୍ କାମ କଲେ ପାପ ହେବ, ଈଶ୍ୱର ଦଣ୍ଡ ଦେବେ–ଏହି ଧାରଣା, ଆବାଳବୃଦ୍ଧବନିତା ସମସ୍ତଙ୍କ ହୃଦୟରେ ଦୃଢ ବଳବତ୍ତର ଥିଲା । ହଠାତ୍ ସେ ଦ୍ବୀପରେ ଆଶ୍ରୟ ଲୋଡିଲେ ଝଡ କବଳିତ କୌଣସି ଏକ ଧ୍ବସ୍ତ ବିଧ୍ବସ୍ତ ଜାହାଜର କିଛି ଯାତ୍ରୀ । ସରଳ ଅଧିବାସୀମାନେ ସେମାନଙ୍କୁ ଆପଣାଇ ନେଲେ । ଯାତ୍ରୀମାନେ ତଥାକଥିତ ସଭ୍ୟସମାଜ ଅନ୍ତର୍ଭୁକ୍ତ । ଦ୍ବୀପବାସିନ୍ଦାଙ୍କ ସହଜ ସରଳ ସହାବସ୍ଥାନ ଦେଖି ସେମାନେ ହେଲେ ଈର୍ଷାନ୍ବିତ।ବାସ୍ । ଆରମ୍ଭ କଲେ କୂଟକପଟର ଖେଳ । ସମୟ ସୁବିଧା ଦେଖି ଫୁଙ୍କିଚାଲିଲେ ବିଭେଦାୟନର ମୂଳମନ୍ତ୍ର ।—“ଆରେ ତମ ଭିତରେ ନେତା କାହାନ୍ତି ? ବିପଦଆପଦରେ କିଏ ପିଠିରେ ପଡିବ ? ବାହ୍ୟ ଆକ୍ରମଣକୁ କିଏ ମୁକାବିଲା କରିବ ? ନେତା ଚୟନ କର।ନେତାଙ୍କ ପଛରେ ସଂଘବଦ୍ଧ ଭାବରେ ରହି ତୁମେ ସମସ୍ତ ବିପଦର ସମୁଚିତ ମୁକାବିଲା କରିପାରିବ।” ନେତା ଚୟନ ହୋଇଗଲା । ଯଦିଓ ଦ୍ବୀପର ବୟୋଜ୍ୟେଷ୍ଠ ବ୍ୟକ୍ତି ନେତା ଭାବେ ସ୍ଥିରିକୃତ ହେଲେ, ଅସଲ ଶାସନକ୍ଷମତା ସେହି ଯାତ୍ରୀମାନଙ୍କ ହାତରେ ହିଁ ରହିଲା । କ୍ରମଶଃ ସଭ୍ୟତାର ଛିଟାରେ ଦ୍ବୀପବାସୀ ଛିଟେଇ ଯାଇ ରଙ୍ଗୀନ ହେଲେ । ବଂଶାନୂକ୍ରମିକ ଶାସନ ବ୍ୟବସ୍ଥା ଚାଲୁରହିଥିଲା । ଦ୍ବୀପବାସୀ ସରଳ ଥିଲେ କିନ୍ତୁ ବୋକା ନଥିଲେ । ସେମାନେ ଲକ୍ଷ କଲେ ଶାସନ କ୍ଷମତାଧାରୀ ମୁଷ୍ଟିମେୟ କେତେଜଣ ବିଳାସବ୍ୟସନ ଅୟସ ଆରାମରେ ବୁଡିରହିଲେ । ଅନ୍ୟମାନଙ୍କ ଦୁଃଖର ସୀମା ରହିଲା ନାହିଁ । ଧନାଢ୍ୟ ବ୍ୟକ୍ତିମାନେ ଧନଦେବୀ ଚଞ୍ଚଳାଙ୍କୁ ପଙ୍ଗୁ କରି ଚଳତ୍ ଶକ୍ତିହୀନା କରିଦେଲେ । କେବଳ ଚଞ୍ଚଳାଙ୍କୁ ପଙ୍ଗୁ କରି ସେମାନେ ସନ୍ତୁଷ୍ଟ ହେଲେ ନାହିଁ । ଚଞ୍ଚଳାଙ୍କ ପ୍ରଭାବରେ ସେମାନେ ବିଦ୍ୟାଦାତ୍ରୀ ସରସ୍ବତୀଙ୍କୁ ମଧ୍ୟ ସେମାନଙ୍କର ଦାସୀ କରିଦେଲେ । ଦ୍ବୀପବାସୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା । ଦ୍ବୀପରେ ଗୋଟିଏ ରକ୍ତାକ୍ତ ସଂଗ୍ରାମ ସଂଘଟିତ ହେଲା । ବଂଶାନୂକ୍ରମିକ ଶାସନତନ୍ତ୍ର ଲୋପ ପାଇ ଗତତନ୍ତ୍ର ପ୍ରତିଷ୍ଠିତ ହେଲା । ସମସ୍ତେ ଖୁସି । ବିଚାରିଲେ–ପୂର୍ବ ଭଳି ଭଲସମୟ ଆସିଗଲା । କାରଣ? ଏପରି ଶାସନ କୁଆଡେ ଲୋକମାନଙ୍କ ପାଇଁ ଲୋକମାନଙ୍କର ଲୋକମାନଙ୍କ ଦ୍ଵାରା ପରା ! ନିର୍ବାଚନ ପରେ ନିର୍ବାଚନ ମୁଲକଟିକୁ ନୂଆ ନୂଆ ଶାସକ ଭେଟି ଦେଉଥିଲା । କିନ୍ତୁ ଏହା ମଧ୍ୟରେ ଲୋକ ଚରିତ୍ରରେ କି ବିରାଟ ପରିବର୍ତ୍ତନ !! ସାରା ମୁଲକରେ ହିଂସା, ଦ୍ବେଷ, ଅବିଶ୍ୱାସ, ଘୃଣା, ସନ୍ଦେହ, ପ୍ରତାରଣା ଓ ପରଶ୍ରୀକାତରତା ତା’ର କାୟା ବିସ୍ତାର କରିଥିଲା । ସରଳତା, ସତ୍ୟନିଷ୍ଠତା, ବିଶ୍ୱସନୀୟତା, ଆତ୍ମପ୍ରତ୍ୟୟ ଓ ଆତ୍ମନିର୍ଭରଶୀଳତା ଆକାଶ କୁସୁମ ହୋଇଯାଇଥିଲା । କାଁ ଭାଁ କେତେଜଣଙ୍କ ମଧ୍ୟରେ ସେ ପୁରୁଣା ଗୁଣ ସବୁ ଲୁଚିରହିଥିଲା । ସେମାନେ ବୋକା, ଅକର୍ମା ଓ ଓଲୁ ଇତ୍ୟାଦି ରୂପେ ପରିଗଣିତ ହେଉଥିଲେ । ଦ୍ବୀପବାସୀଙ୍କ ଚରିତ୍ର ସହ ତାଳ ଦେଇ ସୌନ୍ଦର୍ଯ୍ୟମୟୀ ଦ୍ବୀପରାଣୀର ସୌନ୍ଦର୍ଯ୍ୟ ମଧ୍ୟ ଅନ୍ତର୍ହିତ ହୋଇଥିଲା । କଳକାରଖାନାରୁ ନିର୍ଗତ ଧୂଳି ବିଷାକ୍ତବାଷ୍ପରେ ଦ୍ବୀପରାଣୀ ଆକ୍ତାମାକ୍ତା ହେଉଥିଲା । କର୍ମକୁଣ୍ଠ ତା’ର ସମସ୍ତ ଅଧିବାସୀ ତାକୁ ସନ୍ତାନ ନୁହେଁ ଶତ୍ରୁ ପରିହିଁ ଜ୍ଞାତ ହେଉଥିଲେ।କିନ୍ତୁ ଏ ଅବକ୍ଷୟକୁ ରୋକିବାର କ୍ଷମତା ତାର ନଥିଲା । ସେହି ମୁଲକରେ ଗୋଟିଏ ପ୍ରାକ୍ ନିର୍ବାଚନ ସମୟ । ନିର୍ବାଚନରେ କେତେଗୁଡିଏ ଦଳ ଭାଗ ନେଇଥିଲେ । କିନ୍ତୁ ତିନୋଟି ଦଳର ପ୍ରାଧାନ୍ୟ ବାରିହେଉଥିଲା । ଦଳର ନେତାମାନଙ୍କ ମଧ୍ୟରେ ଶତ୍ରୁତା ନଥାଇପାରେ କିନ୍ତୁ କୁଜି ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଶତ୍ରୁତା ହିଁ ଶତ୍ରୁତା । ନିର୍ବାଚନ ଜିତିବା ପାଇଁ ନେତାମାନେ ପଶୁ ସ୍ତରକୁ ଓହ୍ଲାଇ ଯାଉଥିଲେ । କର୍ମୀମାନେ ଆଉ ପାଦେ ଓହ୍ଲାଇ କୀଟ ସ୍ତରକୁ ଖସି ପଡୁଥିଲେ । ଅର୍ଥ ପ୍ରତିପତ୍ତି ନିମନ୍ତେ ଯେକୌଣସି ଘୃଣ୍ୟ କାର୍ଯ୍ୟ ହୃଷ୍ଟଚିତ୍ତରେ ସମ୍ପାଦନ କରୁଥିଲେ । ବଂଶାନୂକ୍ରମିକ ଶାସନ ସମୟରେ ଜଣେ ଜଣେ ଆଦର୍ଶ ଶାସକ ପ୍ରଜାମାନଙ୍କୁ ପୁତ୍ରବତ୍ ପରିପାଳନ କରୁଥିଲେ । ସେ ସମୟରେ ଏମିତି କିଛି ଶାସକ ମଧ୍ୟ ଥିଲେ ଯେଉଁମାନେ କି ପ୍ରଜାପୀଡକ ଥିଲେ । ସେମାନେ ପ୍ରଜାମାନଙ୍କୁ ଶୋଷଣ କରୁଥିଲେ । ପ୍ରଜା ମାନେ ତ୍ରାହି ତ୍ରାହି ଡାକୁଥିଲେ । କିନ୍ତୁ ଶାସକ ଯେପରି ହୁଅନ୍ତୁ ନା କାହିଁକି ପ୍ରଜାମାନଙ୍କ ଅନ୍ତରକୁ ଖଳବୁଦ୍ଧି ପ୍ରବେଶ କରିବାର ସମ୍ଭାବନା କମ୍ ଥିଲା । ପ୍ରଜା ବା ନାଗରିକମାନେ ପରସ୍ପର ପ୍ରତି ସହାନୁଭୂତିଶୀଳ ଥିଲେ । ଅଥଚ ଶାସନର ଏ ନୂଆ ଢାଞ୍ଚା ପ୍ରତ୍ୟେକ ମନୁଷ୍ୟଙ୍କ ଅନ୍ତରକୁ କଳୁଷିତ କରୁଥିଲା । ଯେଉଁମାନେ କଳୁଷତା ଠାରୁ ଦୂରରେ ରହୁଥିଲେ ସେମାନଙ୍କ ଜୀବନ ଯାତ୍ରା ଏକପ୍ରକାର ଦୁର୍ବିସହ ହୋଇଯାଉଥିଲା । ସେହି ଦ୍ବୀପରେ ସୁକାନ୍ତ ସାହୁ ଓ ମଦନ ସାହୁ ଦୁଇ ପଡୋଶୀ । ଦୁଇ ପରିବାର ମଧ୍ୟରେ ଭଲ ସଦ୍ ଭାବ ଥିଲା । ଉଭୟ ଉଭୟଙ୍କ ବିପଦଆପଦରେ ଠିଆ ହେଉଥିଲେ । କେହି କାହାର ଅମଙ୍ଗଳ ସ୍ୱପ୍ନରେ ମଧ୍ୟ ଚିନ୍ତା କରୁନଥିଲେ । କିନ୍ତୁ ନିର୍ବାଚନ ସବୁ ଓଲଟପାଲଟ କରିଦେଲା । କର୍ମଅଵଳକୁ ସୁକାନ୍ତ ଓ ମଦନ ଦୁଇ ବିପରୀତ ଦଳର କର୍ମୀ । ନିର୍ବାଚନକୁ ନେଇ ଦୁଇ ପରିବାର ମଧ୍ୟରେ ପ୍ରବଳ ଶତ୍ରୁତା ସୃଷ୍ଟି ହେଲା । ଦିନେ ଦେଖାଗଲା ସୁକାନ୍ତର ଏକମାତ୍ର ସୁସ୍ଥ ସବଳ ଯୁବକ ପୁଅ ସୁତନୁକୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣକାରୀ କିଏ ଜଣାନଥିଲେ ମଧ୍ୟ ସୁକାନ୍ତ ମଦନକୁ ସନ୍ଦେହ କରୁଥିଲା । ତାକୁ ଆକ୍ରମଣ କରିବାକୁ ସୁଯୋଗ ଉଣ୍ଡୁଥିଲା । ପୁଅ ସୁତନୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା । ପୁଅକୁ ଆକ୍ରମଣ ହେବାର ପ୍ରାୟ ପାଞ୍ଚଦିନ ପରେ ସୁକାନ୍ତ ପ୍ରଥମ ଥର ପାଇଁ ଦାଣ୍ଡ ପିଣ୍ଡାରେ ବସି ସକାଳ ସାତଟାରେ ଚାହା ପିଉଥିଲା । ପୁଅର ଯନ୍ତ୍ରଣାସିକ୍ତ ସ୍ୱର ତାକୁ ଶୁଭିଯାଉଥିଲା । ମନ ଭଲ ନଥିବାରୁ ଚା’ଟା ପାଣିଚିଆ ଓ ପିତା ଲାଗୁଥିଲା । ଆରେ ଏ କ’ଣ?ନାଲି ଛିଟ ଫ୍ରକ୍ ପିନ୍ଧି ବଡ ପ୍ରଜାପତିଟିଏ ଭଳି ଇଏ କିଏ ? ମଦନର ଚାରିବର୍ଷର ନାତୁଣୀ ପ୍ରଜାପତି ଧରିବାକୁ ପ୍ରଜାପତି ପଛରେ ଠୁକୁଠୁକୁ ହୋଇ ଏକା ଏକା ଦୌଡୁଛି । ଆଖପାଖରେ କେହି ନାହାନ୍ତି । ହିଂସ୍ର ଏକ ପଶୁ ଭଳି ତା ଆଖି ଦୁଇଟା ଦପ୍ ଦପ୍ ଜଳିଉଠିଲା । ମୁହଁରେ ଛୋଟ ହସଟିଏ ଫୁଟାଇ କହିଲା –“କୁନି ପ୍ରଜାପତି ଧରୁଛୁକି ?” “ନାଇଁମ ଦେଦେ ଧଲିପାଲୁନି । ପଲଦାପତିତା ମତେ ଥକି ଦେଇ ଫୁଲୁ ଫୁଲୁ ହୋଇ ଉଦିପଲଉଚି । ଭାଲି ତଲକା ଆଉ ଚଗଲା । ତୁମେ ଧଲିଦବ ?” କୁନି ତା ଦରୋଟି ତୁଣ୍ଡରେ ଖନେଇ ଖନେଇ କହିଲା । “ହଉ ମୋ ପାଖକୁ ଆ । ମୁଁ ଏମିତି ଧରିବି ଯେ ଖସିବା ପୁରା ମୁସ୍କିଲ ।” କୁନି ତା କୁନି କୁନି ହାତରେ ତାଳି ମାରି ମାରି ଟିକି ଟିକି ଓଠରେ ମୁଚୁମୁଚୁ ହସି ହସି ଛୋଟ ଛୋଟ ନରମ ପାଦରେ ସୁକାନ୍ତ, ଯାହାକୁ ସିଏ ଜେଜେ ଡାକେ ତାପାଖକୁ ବହୁତ ଭରସାରେ ଖୁସିରେ ଚାଲିଆସିଲା । ସେଦିନଯାଙ୍କ କୁନି ଘରକୁ ଫେରିଲା ନାହିଁ । ମଦନ ଘର ଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି କରୁଥିଲେ । ତା’ପରଦିନ କୁନିର କ୍ଷତ ବିକ୍ଷତ ରକ୍ତାକ୍ତ ନିଷ୍ପନ୍ଦ ଶରୀର ଗୋଟିଏ ପରିତ୍ୟକ୍ତ କୂଅରେ ଭାସୁଥିବାର ଦେଖାଗଲା । ଏଡିକି ଟିକିଏ ଛୁଆ । କେମିତି ଜାଣିଥାଆନ୍ତା ଯେ, ସେ ଯାହାକୁ ଜେଜେ ଡାକୁଛି ସେ ମଣିଷ ରୂପୀ ଏକ ନରରାକ୍ଷାସ !! କେମିତି ଜାଣିଥାଆନ୍ତା ସେ ଜେଜେର ଉଦ୍ଦେଶ୍ୟ ? ଯୁଗେ ଯୁଗେ ସମାଜରେ ସବଳ ଦୁର୍ବଳ ଉପରେ ହିଁ ଅତ୍ୟାଚାର କରିଥାଏ । ଆଉ କାହା ଉପରେ ରାଗ ସୁଝାଇ ନପାରି ସତୁରୀ ବର୍ଷର ସୁକାନ୍ତ ଚାରିବର୍ଷର କୁନିକୁ ବଳାତ୍କାର କରିଥିଲା । କୁନିକୁ ମାରିବା ଦରକାର ପଡିନଥିଲା । ବଳାତ୍କାର ପ୍ରଭାବରେ ହିଁ କୁନି ମରିଯାଇଥିଲା । ଗୋଟିଏ କୁନି ନୁହେଁ ସାରା ଦ୍ବୀପରେ ଅନେକ କୁନି ଏହିପରି ଘଟଣାକୁ ଅଙ୍ଗେ ଲିଭାଇଥିଲେ । କୁନି ପରି କେତେକ କଳିକା ଅକାଳରେ ଝରିପଡିଥିଲେ ଓ ଆଉ କେତେକ ମୃତ୍ୟୁ ସହିତ ସଂଗ୍ରାମ ଜାରି ରଖିଥିଲେ । ସ୍ବାର୍ଥ ପ୍ରଣୋଦିତ କ୍ଷମତାର ଏ ମହାଯଜ୍ଞରେ ଏହିପରି ଅନେକ ନିଷ୍ପାପ କଳିକାମାନଙ୍କର ଆହୁତି ଦିଆଯାଇଥିଲା । ଅଦିନିଆ ବର୍ଷାରେ ସାରା ଦ୍ବୀପଟା ବତୁରିଯାଉଥିଲା । ବଡ ବଡ ଲହରୀ ତୋଳି ସାଗର ଦ୍ବୀପରାଣୀକୁ କବଳିତ କରିବାର ଚେଷ୍ଟା ଜାରି ରଖିଥିଲା । ପ୍ରବାଳ ପ୍ରାଚୀରରେ ଧକ୍କା ଖାଇ ପ୍ରତ୍ୟେକ ଲହରୀ ଚୂର୍ଣ୍ଣୀଭୂତ ହେଉଥିଲା । ସେହି ଚୂର୍ଣ୍ଣୀଭୂତ ଲହରୀର ପ୍ରତ୍ୟେକ ଜଳକଣାରେ ସୂର୍ଯ୍ୟରଶ୍ମି ପ୍ରତିଫଳିତ ଓ ପ୍ରତିସରିତ ହେଉଥିଲା । ଏହା ସାଗରର ଅଟ୍ଟହାସ୍ୟ ପରି ଜଣାପଡୁଥିଲା । ଏବେ ଦ୍ବୀପରାଣୀ ଆଉ ହସି ପାରୁନଥିଲା । ତା ସୁନ୍ଦର ହସକୁ କିଏ ଚୋରାଇନେଲା କେଜାଣି ? ଚକ୍ ଚକ୍ ଜଳବିନ୍ଦୁର ଫୁଆରାରେ ହସିଉଠି, ସଙ୍ଗୀତର ଝଙ୍କାର ତୋଳି ସାଗର ପୁନଃଜିଜ୍ଞାସା କଲା–
ସନ୍ତାନ ଗରବିଣୀ, ଆଗୋ ‘ଦ୍ବୀପରାଣୀ’
ଆଉ କେଉଁ ପାପ ରହିଗଲା କୁହ ବାକି ?
ସଲିଳ ସମାଧି ବରିନେବ? ଅବା ବରିବନି
ନୂଆ ନୂଆ ପାପ ଦେଖିବ ତୁମରି ଆଖି ।
ବର୍ଷା ବାରିଧାରା–ଅଶ୍ରୁରେ କାନ୍ଦି କାନ୍ଦି ଦ୍ବୀପରାଣୀ କହିଲା —“ନା’ରେ ସାଗର ନା’।ଆଉ ନୂଆ ପାପ ସାମ୍ନା କରିବାର ଧୈର୍ଯ୍ୟ ଓ ସାହସ ମୋର ନାହିଁ । ତିଷ୍ଠି ରହିବାର ଅଭିପ୍ରାୟ ମଧ୍ୟ ନାହିଁ । ଦିନେ ଯେଉଁ ସନ୍ତାନମାନଙ୍କୁ କୋଳରେ ଧରି ମୁଁ ଆନନ୍ଦିତା, ଗର୍ବିତା ସ୍ପର୍ଦ୍ଧିତା ହେଉଥିଲି ଆଜି ସେମାନଙ୍କ ବଂଶଧରମାନେ—“କହୁକହୁ କୋହରେ ଲୁହରେ ଭାଙ୍ଗିପଡ଼ିଲା । ତା ଦୁଃଖରେ ସମଦୁଃଖୀ ହୋଇ କାନତାବ୍ଦା କଲା ଭଳି ଘଡଘଡିଟିଏ ମାରିଦେଲା । ପରିଶେଷରେ କୋହ ଅଟକାଇ ଦ୍ବୀପରାଣୀ କହିଲା –“ହେ ସାଗର ତୁମେ ତୁମର ଉତ୍ତାଳ ଲହରୀ ଦ୍ବାରା ମତେ ଓ ମୋର ସନ୍ତାନମାନଙ୍କୁ ଚିରଦିନ ପାଇଁ ଗୋପ୍ୟ କରିଦିଅ ।” ଦ୍ବୀପରାଣୀର ଏଇ କଥା ପଦକ ଶୁଣିବା ପାଇଁ ସତେ ଯେପରି ସାଗର ଅପେକ୍ଷା କରି ରହିଥିଲା । ତା ପାଟିରୁ କଥା ସରୁ ନସରୁଣୁ ସୁନାମୀର ରୂପ ନେଇ ବିଶାଳ ଲହରୀ ମାଳା ମାଡି ଆସିଲା । ତା ସନ୍ତାନମାନଙ୍କ ଅପକର୍ମ ନିମିତ୍ତ, ଅପରୂପା, ଅନୂପମା ଦ୍ବୀପରାଣୀ ସବୁଦିନ ପାଇଁ ସାଗର ଗର୍ଭରେ ବିଲୁପ୍ତ ହୋଇଗଲା ।
ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ
ଗ୍ରନ୍ଥାଗାର ଅଧୀକ୍ଷକା ଡେରାବିଶ୍ ମହାବିଦ୍ୟାଳୟ
କେନ୍ଦ୍ରାପଡା