

ଉତ୍କଳ ଗୌରବ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ଯଭାମାପୁରରେ 1848 ମସିହା ଅପ୍ରେଲ 28 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ମଧୁବାବୁଙ୍କ ନେତୃତ୍ବରେ ପ୍ରଥମ କରି ଆରମ୍ଭ ହୋଇଥିବା “ଉତ୍କଳ ସଭା” ଯାହା ସମ୍ବଲପୁରରୁ ଓଡିଆଭାଷାକୁ ବିଲୋପ କରିବା ଚକ୍ରାନ୍ତକୁ ଧୂଳିସାତ୍ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏବଂ ପରେ ପରେ 1903 ମସିହାରେ ମଧୁବାବୁଙ୍କ ନେତୃତ୍ବରେ “ଉତ୍କଳ ସମ୍ମିଳନୀ” ଡାକରାରେ ସମଗ୍ର ଓଡିଶାବାସୀ ଉଦ୍ ବୁଦ୍ଧ ହୋଇ ସ୍ବତନ୍ତ୍ର ଓଡିଶାପ୍ରଦେଶ ଗଠନ କରିବା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ । ମଧୁବାବୁ ହେଉଛନ୍ତି ଓଡିଆ ଭାଷା ଆନ୍ଦୋଳନର ମୁଖ୍ଯ ପୁରୋଧା। ଓଡିଶାର ପ୍ରଥମ ବାରିଷ୍ଟର..ପ୍ରଥମ ଓଡିଆ ଗ୍ରାଜୁଏଟ୍.. ପ୍ରଥମ ଓଡିଆ ଏମ,ଏ..ପ୍ରଥମ ଓଡିଆ ବିଲାତ ଯାତ୍ରୀ..ଏବଂ ପ୍ରଥମ ମନ୍ତ୍ରୀ ମଧ୍ଯ। ମଧୁବାବୁ ଥିଲେ ଜଣେ କବି ଏବଂ ଲେଖକ ମଧ୍ଯ। ଉତ୍କଳୀୟମାନଙ୍କୁ ଜାଗ୍ରତ କରାଇବା ପାଇଁ ମଧୁବାବୁ ଅନେକ ଗୁଡିଏ କାଳଜୟୀ କବିତା ରଚନା କରି ଯାଇଛନ୍ତି ।
ସେଥି ମଧ୍ଯରୁ କେତୋଟି ପଦ ହେଲା–
” ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ’ କେତେ ଦିନେ…..
ପୁରୂବ ଗୌରବ ପୁରୂବ ସାହସ
ପଡିବ କି କେବେ ମନେ।”
*
ତୁ’ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ ତୁହି କିମ୍ପା ଭୀରୁ…
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ ।
*
ଜାତିର ଉନ୍ନତି ସେ କାହିଁ କରିବ
ସ୍ବାର୍ଥେ ବ୍ଯସ୍ତ ଯାର ମନ..
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବ ପ୍ରାଣ।
*
ଏପରି ଆହୁରି ଅନେକ ଅନେକ କାଳଜୟୀ କବିତା ମାଧ୍ଯମରେ ଜନସାଧାରଣଙ୍କ ମନରେ ନିଜ ମାତୃଭୂମି ପ୍ରତି କର୍ତ୍ତବ୍ଯ, ନିଷ୍ଠା ଏବଂ ଦାୟିତ୍ବ ବିଷୟରେ ଅବଗତ କରାଇ ପାରିଥିଲେ । ମଧୁବାବୁ ଜଣେ ଦକ୍ଷ ଓକିଲ ବା ବାରିଷ୍ଟର ହୋଇଥିଲେ ମଧ୍ଯ ତାଙ୍କର ଜୀବନଶୈଳୀ ଖୁବ୍ ସରଳ ଏବଂ ନିରାଡମ୍ବର ଥିଲା। କୁହାଯାଏ, ବଗଡା ଚାଉଳର ଭାତ, ରୁଟି ଏବଂ ମଦରଙ୍ଗା ଶାଗ ତାଙ୍କର ପ୍ରିୟ ଖାଦ୍ଯ ଥିଲା। ଗରିବ ଓଡିଆମାନଙ୍କପାଇଁ ମଧୁବାବୁ ଅନେକ ହିତକର କାର୍ଯ୍ଯ କରିଥିଲେ । ଓଡିଶାର ବିଚ୍ଛିନ୍ନାଞ୍ଚଳକୁ ଏକତ୍ରୀତ କରାଇବା ପାଇଁ ସାରା ଜୀବନ ସଂଗ୍ରାମ କରିଥିଲେ। ଶେଷରେ ସଫଳ ହୋଇଥିଲା ସମସ୍ତ ଆନ୍ଦୋଳନ, ସମସ୍ତଙ୍କର ନିଷ୍ଠା ଓ ତ୍ଯାଗ । ଶେଷରେ 1936 ମସିହା ଅପ୍ରେଲ 1 ତାରିଖରେ ଭାଷା ଭିତ୍ତିକ ରାଜ୍ଯ ଭାବରେ ଓଡିଶା ପ୍ରଦେଶ ପ୍ରତିଷ୍ଠା ହୋଇ ପାରିଥିଲା । ଆଜି ସେହି ପୂଜ୍ଯ ମଧୁବାବୁଙ୍କର ପବିତ୍ର ଜନ୍ମ ତିଥିରେ ଶତ ଶତ ସହସ୍ର ପ୍ରଣାମ। ତାଙ୍କ ସମନ୍ଧରେ ଯେତେ କହିଲେ ମଧ୍ଯ କମ୍ ପଡିଯିବ । ଓଡିଶାକୁ, ଓଡିଆ ଜାତିକୁ ଏବଂ ଓଡିଆ ଭାଷାକୁ ସୁରକ୍ଷା ଦେବା ତଥା ଏହାକୁ କିପରି ବଞ୍ଚାଇ ରଖା ଯାଇପାରିବ ଏହି ଦିଗରେ ମଧୁବାବୁଙ୍କ ନିରନ୍ତର ଚେଷ୍ଟା ତଥା ଅବଦାନ ପାଇଁ ସେ ସମସ୍ତଙ୍କର ପ୍ରାତଃ ସ୍ମରଣୀୟ ହୋଇ ରହିଛନ୍ତି ଏବଂ ରହିଥିବେ ମଧ୍ୟ ।
**
ଆଲେଖ୍ୟ : ଶ୍ରୀମତୀ ବିରଜା ମୋହନୀ ତ୍ରିପାଠୀ , ସମ୍ବଲପୁର