ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ଆଜି ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ଏହି ୪ଟି ଲୋକସଭା ଆସନ ହେଲା- କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର । ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ଚାଲିଛି । ତେବେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଜୟପୁର ପାରାବେଡ଼ା ହାଇସ୍କୁଲର ୧୬୨ ନମ୍ବର ବୁଥ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି। ସେହିପରି ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି । ଫଳରେ ମତଦାନ ପାଇଁ ଭୋଟରମାନେ ଧାଡ଼ିରେ ଠିଆ ହୋଇ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ୨୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ସେହିପରି ୨୮ଟି ବିଧାନସଭା ଆସନ ପାଇଁ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ମହିଳା ଭୋଟର୍ଙ୍କ ସଂଖ୍ୟା ହେଉଛି ୩୦ ଲକ୍ଷ ୩୦ ହଜାର ୨୨୨। ସୁରୁଖୁରୁରେ ମତଦାନ ପାଇଁ ୭ ହଜାର ୨୩୩ଟି ପୋଲିଂ ବୁଥ୍ କରାଯାଇଛି । ଏହା ମଧ୍ୟରୁ ୨୩ଶହ ୭୫ଟି ଅତି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ ହୋଇଛି । ମତଦାନ ସଂଧ୍ୟା ୬ଟାରେ ଶେଷ ହେବ । ତେବେ ନକ୍ସଲ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ଅପରାହ୍ନ ୪ଟାରେ ମତଦାନ ଶେଷ ହେବ । ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ସବୁ ବୁଥ୍ରେ ଇଭିଏମ୍ ସହ ଭିଭିପ୍ୟାଟ୍କୁ ସଂଯୋଗ କରାଯାଇଛି । ଫଳରେ ଭୋଟର୍ମାନେ କେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ତାହା ଭିଭିପ୍ୟାଟ୍ ସ୍କ୍ରିନ୍ରେ ଦେଖିପାରିବେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା