ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଅନୁଷ୍ଠିତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ପ୍ରଥମ ଦିନରେ ଆଜି ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବରେ ସୁମିତ ପାତ୍ର ନାମକ ବ୍ୟକ୍ତି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୫ ଗୋଟି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ । ସେଗୁଡିକ ହେଲା ଛତ୍ରପୁର, ଗୋପାଳପୁର, ଚିକିଟି, ବ୍ରହ୍ମପୁର, ଦିଗପହଣ୍ଡି ବିଧାନସଭା କ୍ଷେତ୍ର । ୧୮ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ଏହି ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ । ଜିଲ୍ଲା ସ୍ତରରେ ଆସ୍କା ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ନିଯୁକ୍ତି କରାଯାଇଛି । ବ୍ରହ୍ମପୁର ପାର୍ଲ୍ୟାମେଣ୍ଟ ନିର୍ବାଚନ ମଣ୍ଡଳୀ ପାଇଁ ଗଞ୍ଜାମର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟ ନଗର ନିର୍ଵାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଗଞ୍ଜାମଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଖଲ୍ଲିକୋଟ ଓ ଛତ୍ରପୁର ପାଇଁ ଉପଜିଲ୍ଲାପାଳ ଛତ୍ରପୁରଙ୍କୁ ରିଟର୍ଣ୍ଣିଙ୍ଗ ଅଫିସର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆସ୍କା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ଭଞ୍ଜନଗର ଏବଂ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ବ୍ରହ୍ମପୁରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ଭଂଜନଗରଙ୍କୁ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଗୋପାଳପୁର ଓ ବ୍ରହ୍ମପୁର ନିର୍ଵାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ବ୍ରହ୍ମପୁର ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ବ୍ରହ୍ମପୁର ରିଟର୍ଣ୍ଣିଙ୍ଗ ଅଫିସର ଦାୟିତ୍ୱ ନିର୍ବାହ କରିବେ । ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କୁ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଫିସର ଭାବେ ଅତିରିକ୍ତ ଉପଜିଲ୍ଲାପାଳ ଛତ୍ରପୁର କାର୍ଯ୍ୟ ନିର୍ଵାହ କରିବେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା