ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ ଭୂମିହୀନମାନଙ୍କୁ ଜାଗା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ଘୋଷଣା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୂମିହୀନମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ ଜାଗା ଯୋଗାଇ ଦେବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ମଧ୍ୟରେ ଏକ ଆନ୍ତଃବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ତଥ୍ୟ ଅନୁଯାୟୀ ଭୂମିହୀନ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାଗା ଯୋଗାଇଦେବା ପାଇଁ ବିଡ଼ିଓମାନେ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରି ତହସିଲଦାରଙ୍କୁ ପ୍ରଦାନ କରିବେ । ତହସିଲଦାରମାନେ ରେଭିନୁ୍ୟ ଇନ୍ସପେକଫରଙ୍କ ମାଧ୍ୟମରେ ଜାଗା ଚିହ୍ନଟ କରି ଜାଗା ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବେ । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ମାସର ପ୍ରଥମ ଶନିବାର ଦିନ ସମ୍ପୃକ୍ତ ବିଡ଼ିଓ ଓ ତହସିଲଦାରଙ୍କ ମାଧ୍ୟମରେ ସମନ୍ୱୟ କମିଟିର ବୈଠକ ଆଗତ ହେବ ଓ ବୈଠକର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯିବ । ଜିଲ୍ଲାପାଳମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେବ । ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ହିତାଧିକାରୀ ଜାଗା ଅଭାବରୁ ଘର ନିର୍ମାଣରୁ ବଞ୍ଚିତ ହେବେ ନାହିଁ । ଜିଲ୍ଲାପାଳମାନେ ଏହି ଯୋଜନାର ଅଗ୍ରଗତି ସଂପର୍କରେ ପ୍ରତି ମାସରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ।

ରିପୋର୍ଟ : ରଜତ ମହାପାତ୍ର