ପ୍ରବାସୀଙ୍କ ଅଧିକ ସ୍ୱାବ ପରୀକ୍ଷାର ହେଉ ବ୍ୟବସ୍ଥା : ସରକାରୀ ନିୟମରେ ଫେରିଲେଣି ୧୮୫୮…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ କରୋନାର ପ୍ରାଦୁର୍ଭାବ ହୁ ହୁ ହୋଇ ବଢୁଥିବାରୁ ଏହାର ପ୍ରତିକାର ଲାଗି ପ୍ରବାସୀ ମାନଙ୍କର ବ୍ୟାପକ ସ୍ୱାବ ପରୀକ୍ଷା ଅଧିକ ଜରୁରୀ । ଅଦ୍ୟାବଧି ଜଳେଶ୍ୱର ବ୍ଲକର ୨୮୮୦ ପ୍ରବାସୀ ସଂଗରୋଧ କେନ୍ଦ୍ରରେ ରହି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୫୮ ଘରବାହୁଡା ହେଲେଣି । କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୫୬୧ଜଣଙ୍କର ସ୍ୱାବ ଟେଷ୍ଟ ହୋଇଥିବା ବେଳେ ୨ଜଣ ପଜେଟିଭ୍ ବାହାରିଥିଲେ । ଜଳେଶ୍ୱରରେ ପ୍ରାୟ ୧୫ହଜାର ଲୋକେ ଅନ୍ୟ ରାଜ୍ୟରେ କିମ୍ବା ଜିଲ୍ଲାରେ ରହୁଥିବା ବେଳେ ପ୍ରଥମେ ୨୮ଶହ ପ୍ରବାସୀ ଜଳେଶ୍ୱରକୁ ଫେରିଥିଲେ । ଏବେ ଗ୍ରାମାଂଚଳରେ ଥିବା ସଂଗରୋଧ କେନ୍ଦ୍ର ଗୁଡିକରେ ୧୮୮୦ ପ୍ରବାସୀ ରହିଥିବାର ନାମ ପଂଜକରଣ ହୋଇଥିବା ବେଳେ ସେମାନଙ୍କର ସଂଗରୋଧ ସମୟ ଅତିବାସୀତ ହେବାରୁ ୧୮୫୮ ଗାଁକୁ ଫେରିଛନ୍ତି । ଆଜି ୧୦୨୨ ପ୍ରବାସୀ ୩୫ଟି ପଂଚାୟତର ବିଭିନ୍ନ ଟିଏମସି କେନ୍ଦ୍ରରେ ରହିଥିବାର ସରକାରୀ ସୂତ୍ରରୁ ପ୍ରକାଶ । କିନ୍ତୁ ଜୁନ୍ ମାସରେ ପ୍ରକାସୀଙ୍କ ସଂଖ୍ୟା ବହୁ ଅଧିକ ହେବାକୁ ଥିବାରୁ ପଜେଟିଭ୍ ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି । ସ୍ୱାବ ଟେଷ୍ଟ ହେଉନଥିବା କାରଣରୁ ସେମାନଙ୍କୁ ଗ୍ରାମାଂଚଳରେ ଚିହ୍ନଟ କରିବା କଷ୍ଟସାଧ୍ୟ । ଲକ୍ଷଣ ପ୍ରକାଶ ନ ପାଇ ପଜେଟିଭ୍ କରୋନାରୋଗୀ ଗ୍ରାମାଂଚଳରେ ରହିଲେ ଗୋଷ୍ଠି ସଂକ୍ରମଣର ସମ୍ଭାବନା ଅଧିକ ବୋଲି ଏଠାରେ ସମାଜ କଲ୍ୟାଣ ବିକାଶ ପରିଷଦର ଏକ ଜରୁରୀ ବୈଠକରେ ମତପ୍ରକାଶ ପାଇଛି । ପରିଷଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ରକ୍ଷୁନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏପରି ଏକ ସମ୍ବେଦନଶୀଳ ଘଟଣାରେ ଉପସଭାପତି ଡ. ରମାକାନ୍ତ ଭଂଜ ଓ ସୁକୁମାର ରଣା, ସାଧାରଣ ସଂପାଦକ ବରିଷ୍ଠ ଆଇନ୍‌ଜିବି ରାମଚନ୍ଦ୍ର ଜେନା, ବରିଷ୍ଠ ସଦସ୍ୟ ଶରତ କୁମାର ପରିଡା, ଶଶାଂକ ସେଖର ମହାନ୍ତି, କୋଷାଧ୍ୟକ୍ଷ ଆଦିତ୍ୟ ନାରାୟଣ ପାତ୍ର, ସତ୍ୟନାରାୟଣ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପ୍ରବାସୀଙ୍କର ସ୍ୱାବ ପରୀକ୍ଷା ଏକାନ୍ତ ଜରୁରୀ ହୋଇଥିବାରୁ ସେମାନଙ୍କ ସହିତ ଲକ୍ଷଣ ପ୍ରକାଶ ପାଉଥିବା ଅନ୍ୟ ବ୍ୟକ୍ତି ମାନଙ୍କର ସ୍ୱାବ ପରୀକ୍ଷା ଲାଗି ସେମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେବଳ ଏତିକି ନୁହେଁ ପ୍ରବାସୀମାନେ କ୍ୱାରାଣ୍ଟାଇନ୍‌ରେ ରହିବା ସମୟସୀମା କମାଇଦେବା କରୋନା ମୁକାବିଲାରେ ବାଧକ ସୃଷ୍ଟି ହୋଇପାରେ ବୋଲି ମତପ୍ରକାଶ ପାଇଥିଲା । ଦୀର୍ଘଦିନ ଧରି ବିତ୍ୟୁତ୍ ଯୋଗାଣ ବ୍ୟାହତ ହେବାରୁ ଗ୍ରାମାଂଚଳରେ ପିଇବାପାଣି ଯୋଗାଣ ବ୍ୟାହକ ହୋଇଛି । ଜରୁରୀ ପରିସ୍ଥିତିରେ ପିଇବା ପାଣିର ବ୍ୟବସ୍ଥା ହେବାଲାଗି ସେମାନେ ମଧ୍ୟ ଉଲ୍ଲେଖ କରିଛନ୍ତି । ପୁଲିସ୍ ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା