ପ୍ରମୁଖ ଶାସନ ସଚିବ ବିଜୟ ଆରୋରାଙ୍କ ରଙ୍ଗେଇଲୁଣ୍ଡା ଗସ୍ତ…

ଗୋପାଳପୁର (ସମୃଦ୍ଧ ଓଡିଶା) ଓଡ଼ିଶା ସରକାରଙ୍କ ପବ୍ଲିକ ଏଣ୍ଟରପ୍ରାଇଜସ ବିଭାଗର ପ୍ରମୁଖ ଶାସନ ସଚିବ ବିଜୟ ଆରୋରା ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସି ଆଜି ରଂଗେଇଲୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ, ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡୀ କେନ୍ଦ୍ର ପରିଦର୍ଶନ କରିଛନ୍ତି । କାର୍ଯ୍ୟକ୍ରମ ସୂଚୀ ପ୍ରକାରେ ଶ୍ରୀ ଆରୋରା ଆଜି ଛତ୍ରପୁରରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ମିଶି ରଂଗେଇଲୁଣ୍ଡା ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ପାର୍ବତୀପୁର ଠାରେ ଦ୍ୱାଦଶ ଯୋଜନା ଅନ୍ତର୍ଗତ ୫.୮୦ ଲକ୍ଷ ଟଙ୍କା ବିନିଯୋଗରେ କାର୍ଯକାରୀ କରାଯାଇଥିବା ରାଜୀବଗାନ୍ଧୀ ଗ୍ରାମୀଣ ବିଦ୍ୟୁତ ଯୋଜନାରେ ଉପକୃତ ହୋଇଥିବା ବିଦ୍ୟୁତ ଉପଭୋକ୍ତାଙ୍କ ସହ ଆଲୋଚନା କରିବା ସହ ବିଦ୍ୟୁତର ସଦୁପଯୋଗ କରିବାକୁ କହିଥିଲେ । ସୂଚନାଯୋଗ୍ୟ ଯେ ଏହି ଗ୍ରାମରେ ୨୯ ବିପିଏଲ, ୫ ସୈାଭାଗ୍ୟ ଓ ୪୩ ଟି ଅନ୍ୟାନ୍ୟ ପରିବାରକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି । ଏଥିସହ ଶ୍ରୀ ଆରୋରା କରାପଲ୍ଲୀ ଠାରେ ଥିବା ଓଡିଶା ଆର୍ଦଶ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହ ବିଦ୍ୟାଳୟର ବିଭିନ୍ନ ବିଷୟ ନେଇ ଆଲୋଚନା କରିବା ସହ ବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ପରିଦର୍ଶନ କରିଥିଲେ । ଶେଷରେ ଡୁରା ପଞ୍ଚାୟତ ଅନ୍ତର୍ଗତ ବାହାଦୂର ପେଣ୍ଠ ଠାରେ ଥିବା ଅଙ୍ଗନୱାଡୀ ସେଣ୍ଟରରେ ପହଞ୍ଚି ସେଠାରେ ଶିଶୁ ସମେତ ଗର୍ଭବତୀ ମହିଳାଙ୍କ ପାଇଁ କାର୍ଯକାରୀ ହେଉଥିବା ବିଭିନ୍ନ ଯୋଜନାର ଯାଞ୍ଚ କରିବା ସହ ମମତା ଯୋଜନାରେ ସାମିଲ ହୋଇଥିବା ଗର୍ଭବତୀ ମହିଳାଙ୍କ ସହ ସେମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ନେଇ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ବ୍ଲକ ବିଡ଼ିଓ କୁମାର ନାଗଭୂଷଣ, ନାରାୟଣପୁର ସରପଞ୍ଚ ଆର ହିମାଂଶୁ ପ୍ରସାଦ ରାଓ, ସମିତି ସଭ୍ୟ ଭି ସର୍ବେଶ୍ଵର ରାଓ, ସାଉଥକୋ ସୁପରିଟେଣ୍ଡଣ୍ଟ ଇଞ୍ଜିନିୟରି ଚନ୍ଦନ ଦାସ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର କର, ନୋଡାଲ ଅଫିସର ସନତ କୁମାର ଜେନା, ବିଦ୍ୟୁତ ବିଭାଗ ଗୋପାଳପୁର ସବଡିଭିଜନ ଏସ ଡି ଓ ହୃଷିକେଶ ପଟ୍ଟନାୟକ, କରାପଲ୍ଲୀ ସରପଞ୍ଚ ଏସ ମେନକା ରେଡ୍ଡୀ, ଡୁରା ସରପଞ୍ଚ ଏସ ସୁଜାତା ରେଡ୍ଡୀଙ୍କ ସମେତ ସମସ୍ତ ବ୍ଲକ୍ ପଦାଧିକାରୀ ଉପସ୍ଥିତ ରହିଥିଲେ । ଏହା ପରେ ଶ୍ରୀ ଆରୋରା କୁକୁଡାଖଣ୍ଡି ବ଼କ, ଶେରଗଡ଼ ବ୍ଲକ ସହ ହିଞ୍ଜିଳିକାଟୁ ମୁନସିପାଲଟି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହ ଯୋଜନା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା