

ଛତ୍ରପୁର (ସମୃଦ୍ଧ ଓଡିଶା) ଧରାକୋଟ ବିଡ଼ିଓ ଅଜୟ କୁମାର ପ୍ରଧାନଙ୍କୁ କିଛି ଅସାମାଜିକ ବ୍ୟକ୍ତିମାନେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ ଘଟଣାକୁ ନେଇ ସ୍ଥନୀୟ ସର୍କିଟ ହାଉସ ଠାରେ ଗଞ୍ଜାମ ଜିଲ୍ଲା ଓଡିଶା ପ୍ରଶାସନିକ ସେବା ସଂଘ(ଓଏଏସ) ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରିବା ସହ ଏକ ଜରୁରୀକାଳୀନ ବୈଠକ ସଂଘର ସଭାପତି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ପୋଲିସ ତୁରନ୍ତ ଗିରଫ କରିବା ସହ ଧରାକୋଟ ବିଡ଼ିଓଙ୍କୁ ସୁରକ୍ଷା ଦେବା ନିମନ୍ତେ ଦାବି କରାଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ଓଏସ ସଂଘର ସମ୍ପାଦକ ତଥା ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାଏ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡୁଡା ପିଡି ସବ୍ୟସାଚି ହୋତା, ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼. ବିଜୟାନନ୍ଦ ସେଠି, ଜିଲ୍ଲା ରାଜସ୍ୱ ଅଧିକାରୀ ଡ଼. ଦିବ୍ୟଲୋଚନ ମହନ୍ତଙ୍କ ସମେତ ସଂଘର ବହୁ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

