ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜିଠାରୁ ବ୍ରହ୍ମପୁର ସହରକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ବ୍ରହ୍ମପୁର ସହରରୁ କେହି ବାହାରକୁ ଯାଇପାରିବେ ନାହିଁ କିମ୍ବା ବ୍ରହ୍ମପୁର ସହରକୁ କେହି ଆସିପାରିବେ ନାହିଁ ବୋଲି କୁହାଯାଇଛି । ସହରର ଚାରି ଦିଗରୁ ବନ୍ଦ କରାଯାଇଛି । ଯଦି ସହର ବାହାରକୁ ଯିବାର ଅଛି ତେବେ ୧୦୦ ନମ୍ବରକୁ ଯୋଗାଯୋଗ କରି ଉତ୍ତର ପାଇବା ପରେ ହିଁ ଯାଇ ପାରିବେ ବୋଲି କୁହାଯାଇଛି । ବିଭିନ୍ନ ପର୍ଯ୍ୟାୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସକାଳ ୫ଟାରୁ ୧୦ଟା ଯାଏଁ ପନିପରିବା ଓ ଫଳ ଦୋକାନ, ଦିନ ୧୧ଟାରୁ ୪ଟା ଯାଏଁ ତେଜରାତି ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ସେହିପରି ସକାଳ ୫ରୁ ଦିନ ୪ଟା ଯାଏଁ ଖୋଲିବ ବୈଦ୍ୟୁତିକ ଓ ଘରୋଇ ସାମଗ୍ରୀ ଦୋକାନ । କେବଳ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ଯାଇପାରିବ । ଏହାସହ କେବଳ ଜରୁରୀ କାର୍ଯ୍ୟରେ ଗାଡ଼ି ବ୍ୟବହାର କରାଯାଇ ପାରିବ । ସର୍ବାଧିକ ପ୍ରଭାବିତ ୧୦ଟି ୱାର୍ଡରେ କେବଳ ମାଲ ପରିବହନ ଗାଡ଼ି ଚାଲିବ । ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସହର ଭିତରେ କଟକଣାକୁ କୋହଳ କରାଯାଇଛି । ଏହି ତିନି ଦିନ ମଧ୍ୟରେ ଜନ ସାଧାରଣଙ୍କୁ ଆବଶ୍ୟକ ଜିନିଷ କିଣି ଘରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତିନି ଦିନ ଲୋକଙ୍କ ନିୟମକୁ ଅମାନ୍ୟ କରିଲେ ତୁରନ୍ତ ସଟ୍ ଡ଼ାଉନ୍ ଘୋଷଣା କରିବେ ବୋଲି ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତେବେ ଏହି ନିୟମକୁ ଦୃଷ୍ଟିରେ ରଖି ସହରରେ ୨ ଡିଏସ୍ପି ଓ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜରୁରୀ କାର୍ଯ୍ୟ ନ ଥାଇ ବାହାରେ ବୁଲିଲେ ଗାଡ଼ି ଜବତ କରାଯିବା ସହ ଜୋରିମାନା ମଧ୍ୟ ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଛି । ଆଜି ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂହ ରାଥୋଡ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା