ପ୍ରେତାତ୍ମା…

ଆତ୍ମା ଅମର ବୋଲି ବିଶ୍ୱାସ ସମସ୍ତଙ୍କ ମନରେ ରହିଛି ।
ଜୀବିତ ଶରୀରରେ ଅଧୁରା କାମନା, ବାସ୍ନା, ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ
ଘୁରି ବୁଲୁଥିବା ଅତୃପ୍ତ ଆତ୍ମାକୁ ପ୍ରେତାତ୍ମା ବୋଲି ଗ୍ରହଣ କରାଯାଇ ଥାଏ !
ଏହାର ଉପସ୍ଥିତି ମଧ୍ୟ ଆତ୍ମା ଭଳି ରହସ୍ୟମୟ ହୋଇଥିବା ବେଳେ
କିଛି ଲୋକ ତାକୁ ଅନୁଭବ କରୁଥିବା ପ୍ରକାଶ କରନ୍ତି !
ତଥାପି ତାହା ସାର୍ବଜନୀନ ହେଉନଥିବା ହେତୁ
ସନ୍ଦେହ ଘେରରେ ରହିଛି ମଣିଷ ମନରେ !

ମୃତ୍ୟୁ ପରେ ଅମର ଆତ୍ମାର ସ୍ୱଚ୍ଛତା ପ୍ରମାଣିତ ହେଲେ ସେହି ଆତ୍ମାକୁ ପରମାତ୍ମା ନିଜ ଶରୀର ମଧ୍ୟରେ ଲୀନ କରିଦେଇ ନିର୍ବାଣ ପ୍ରାପ୍ତି କରୁଛନ୍ତି ବୋଲି ସମସ୍ତେ ବୁଝିଛନ୍ତି । ଜୀବନ୍ତ ଶରୀରରେ ବିଭିନ୍ନ ଅସାମାଜିକ, ଅମାନବୀୟ ଚରିତ୍ର ପ୍ରବାହ କରିଥିବା ମଣିଷର ଆତ୍ମାକୁ ସମ୍ପୃକ୍ତ ମଣିଷର କାର୍ଯ୍ୟଧାରା ଅନୁଯାୟୀ ଅନ୍ୟ ଏକ ଶରୀରରେ ଉପସ୍ଥାପନ ପୂର୍ବକ ସାଂସାରିକ ବନ୍ଧନରେ ପୁନର୍ବାର ବାନ୍ଧି ହୋଇ କଷ୍ଟ ଉପଭୋଗ କରାଯିବା ପ୍ରାବଧାନ ନିରାକରଂକ ରହିଥବା ବିଶ୍ୱାସ ରହିଛି ସମସ୍ତଙ୍କର । କହିବାକୁ ଗଲେ ସଂସାରରେ କୌଣସି ପ୍ରାଣୀ ହୋଇ ଜନ୍ମ ହେବା ଏକ ପାପର ଫଳାଫଳ ଭାବେ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି ସାଧାରଣ ଲୋକଙ୍କ ଭାବଧାରରେ । ତେଣୁ କୂକର୍ମୀଙ୍କ ଆତ୍ମାକୁ ମୋକ୍ଷ କରି ପୁନଃ ଉପସ୍ଥାପନ କରାଯିବା ପର୍ଯ୍ୟନ୍ତ ତାହାର ଆତ୍ମାକୁ ପ୍ରେତାତ୍ମା ଭାବେ ରହିବା ପ୍ରାବଧାନ ଉପରେ ବିଶ୍ୱାସ ରହିଥାଏ ସାଧାରଣ ମଣିଷଙ୍କ ଯାହା ସେମାନଙ୍କ ନିଜସ୍ୱ ବିଚାର ଜନିତ ଭାବଧାରରୁ ନିର୍ଗତ ନହୋଇ ଏକ ସାମାଜିକ ବିଭୀଷିକା ଜନିତ ହୋଇଥିବା ସ୍ୱୀକାର୍ଯ୍ୟ । ଅର୍ଥାତ ଜଣେ ସାଧାରଣ ମଣିଷର ଜୀବନ କାଳ ମଧ୍ୟରେ ପ୍ରେତାତ୍ମା ଉପରେ ରହିଥିବା ବିଚାରଧାରା ଉପରେ ଦୃଷ୍ଟି ନିକ୍ଷେପ କଲେ ଜାଣିହୁଏ ଯେ……ଜୀବନ୍ତ ମଣିଷ ଆତ୍ମାର ସନ୍ଧାନ ପାଇନଥିବା ଜଣେ ବ୍ୟକ୍ତି ମୃତ ଶରୀରରୁ ନିର୍ଗତ ଆତ୍ମା (ପ୍ରେତାତ୍ମାର) ପରିଚୟ ପାଇବା, ଅନୁଭବ କରିବା ଦାବୀ କରୁଥିବା ଅଲୌକିକ ବିଷୟର ଅନୁଭବ ସମ୍ପୂର୍ଣ୍ଣ ନିଆରା । ଦୈବୀ ତାନ୍ତ୍ରିକ ସାଧନା ବଳରେ ମଣିଷ ପ୍ରେତାତ୍ମା ସହିତ ସଂଯୋଜିତ ହେଉଥିବା ଦାବୀ କରୁଥିବା ବ୍ୟକ୍ତିଙ୍କୁ ତାନ୍ତ୍ରିକ ବୋଲି କୁହାଯାଇ ଥାଏ । ତାନ୍ତ୍ରିକ ବିଭିନ୍ନ ଅତୃପ୍ତ ପ୍ରେତାତ୍ମା ସହିତ ସଂଯୋଜିତ ହୋଇ ସେମାନଙ୍କୁ ନିଜ ଇଛାରେ ବ୍ୟବହାର କରିବା ଏବଂ ଆବଶ୍ୟକ ସମୟରେ କାର୍ଯ୍ୟରେ ନିୟୋଜିତ କରି ଅନେକ ସ୍ୱାର୍ଥ ହାସଲ କରୁଥିବା ବିଷୟରେ ଅଜସ୍ର ଲେଖା, କାହାଣୀ ଏବଂ ଚଳଚିତ୍ର ମାଧ୍ୟମରେ ଦେଖିବାକୁ ମିଳୁଛି ଯାହା କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱବାସୀ ଗ୍ରହଣ କରୁଥିବା ସ୍ୱୀକାର୍ଯ୍ୟ । ପ୍ରେତାତ୍ମା ଉପରେ ବଲିଉଡ ଠାରୁ ହଲିଉଡ଼ ପର୍ଯ୍ୟନ୍ତ ସବୁ ଚଳଚିତ୍ର ଉଦ୍ୟୋଗରେ ଅନେକ ଚଳଚିତ୍ର ଦେଖିବାକୁ ମିଳିବ । ଅଧିକନ୍ତୁ ପାରିବାରିକ କ୍ଷେତ୍ର ଠାରୁ ଆରମ୍ଭ କରି ସଂସଦୀୟ କ୍ଷେତ୍ର ପର୍ଯ୍ୟନ୍ତ ଏବଂ ଶରୀର ବିଜ୍ଞାନୀ ଡାକ୍ତରଙ୍କ ଠାରୁ ଆରମ୍ଭ କରି ପ୍ରଯୁକ୍ତି କୌଶଳରେ ଧୁରନ୍ଧର ବୈଜ୍ଞାନିକ ପର୍ଯ୍ୟନ୍ତ ପ୍ରାୟତଃ ଅନେକ ମଣିଷ ପ୍ରେତାତ୍ମା ଉପରେ ବିଶ୍ୱାସ, ଭୟ ରଖିଥିବା ଆମେ ସମସ୍ତେ ଜାଣୁ । ତେଣୁ ପ୍ରେତାତ୍ମା ବିଷୟରେ ଆଲୋଚନାହିଁ ଏକ ଗୁରୁ ଗମ୍ଭୀର ବିପଜ୍ଜନକ ପରିସ୍ଥିତି ଭାବେ ଅଦ୍ୟାବଧି ଅନେକ ପରିବାରରେ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ହେଲେ ତାହାର ବାସ୍ତବତା, ସତ୍ୟତା ଉପରେ ଯଥେଷ୍ଟ ଗବେଷଣା ଅଦ୍ୟାବଧି ଚାଲୁ ରହିଥାଇ ସାଧାରଣ ଲୋକଙ୍କ ମନର ଭ୍ରାନ୍ତି ଦୂର ହେବା ଏତେ ସହଜ ହୋଇନଥିବା ବେଳେ ଏହି ଗ୍ରହଣୀୟତାର ବାସ୍ତବତା କ\’ଣ ଟିକେ ବିଚାର କରି ଦେଖିଲେ କିଛି ଅନୁଭବ ହୁଏକି………ମଣିଷ ଜୀବିତ ଅବସ୍ଥାରେ ରହିଥବା ସମୟରେ ଆତ୍ମାର କୌଣସି କାର୍ଯ୍ୟକାରିତା କିମ୍ବା ପ୍ରକୋପ ଦେଖାଇ ପାରେନାହିଁ । କିନ୍ତୁ ମୃତ୍ୟୁ ପରେ ଯେଉଁ ଅଶରୀର ମଧ୍ୟରେ ପ୍ରେତାତ୍ମାକୁ ଦେଖାଯାଏ ତାହା ଏକ ମଣିଷର ହାଡ଼ କଙ୍କାଳ ସଦୃଶ୍ୟ ଦେଖାଯାଉଥିବା ଆମ ସମସ୍ତଙ୍କ କୌଣସି ମତେ ଅନୁଭୂତି ରହିଛି । କେବଳ ଶରୀରର ହାଡ଼ ସମୂହ ରହିଥିବା ବେଳେ ରକ୍ତ, ମାଂସ, ମସ୍ତିଷ୍କ ବିହୀନ ପ୍ରେତାତ୍ମା ସେହି ହାଡ କଙ୍କାଳର କେଉଁ ସ୍ଥାନରେ ରହି ନିଜ ଅଧୁରା କାର୍ଯ୍ୟକୁ କେଉଁ ମାର୍ଗରେ ଚରିତାର୍ଥ କରିବା ଲକ୍ଷ ରଖିଥାଏ ଆମ ବୁଝିବା କ୍ଷମତା ବାହାରେ । କିନ୍ତୁ ସଂସ୍ପର୍ଶ ଅଙ୍ଗ ବିହୀନ ବସ୍ତୁ କୌଣସି ଅନୁଭବ କରି ପାରିବା ଭଳି ପ୍ରାକୃତିକ ନିୟମ ନଥିବା ହେତୁ ଏହି କଥାରେ ଆମକୁ ସନ୍ଦେହ ମନୋଭାବ ସୃଷ୍ଟି ହେଉଛି । ପୁଣି ସେହି ଅତୃପ୍ତ ଆତ୍ମା (ପ୍ରେତାତ୍ମା)କୁ ଖାଇବାକୁ ଦିଆଯିବା ଠାରୁ ଆରମ୍ଭ କରି ତା ସହିତ ବାର୍ତାଳାପ କେଉଁ ଅଙ୍ଗ ସାହାଯ୍ୟରେ କରାଯାଇ ଥାଏ ଏବଂ ପ୍ରେତାତ୍ମା ସାଧାରଣ ଲୋକଙ୍କୁ କୌଣସି ଆଘାତ କରିବା ପାଇଁ ଶକ୍ତି କେଉଁଠାରୁ ଉତ୍ପର୍ଣ୍ଣ ହୋଇ କେଉଁ ନିୟମରେ ଚରିତାର୍ଥ ହୋଇଥାଏ ସେସବୁ ଦେଖୁଥିବା ମଣିଷଙ୍କୁ ବୁଝିବା ବ୍ୟତୀତ ଆମ ମନରେ ଦ୍ୱିମତ ସୃଷ୍ଟି କରିବା ସ୍ୱାଭାବିକ ! ପ୍ରକୃତିର ସତ୍ୟତାକୁ ଉଲଂଘନ କରି କୌଣସି କାର୍ଯ୍ୟ ସମ୍ପାଦନ କରିପାରିବା ଭଳି କ୍ଷମତା ରହିଥବା ଯେକୌଣସି ବସ୍ତୁ ଯାହା ଇଛା କରିପାରିବ ! ଅତଏବ ଯଦି ସେସବୁ ବାସ୍ତବରେ ସମ୍ଭବ ହୋଇଥା’ନ୍ତା ତାହେଲେ ହାତଗଣତି କେତେକ ତାନ୍ତ୍ରିକଙ୍କ ସାହାଯ୍ୟରେ ସମଗ୍ର ଜନସମାଜର ସବୁ ସମସ୍ୟା ଦୂର କରାଯାଇ ପାରିଥା’ନ୍ତା ଯାହା ଅସମ୍ଭବ ! ତଥାପି ସାଧାରଣ ନିର୍ବୋଧ କୌଣସି ଅନୁସନ୍ଧାନୀ ମାନସିକତା ନରଖି କେବଳ ସେଗୁଡିକୁ ଅନ୍ଧ ଭାବେ ବିଶ୍ୱାସ କରି ଚାଲିଥିବା ପଛର ରହସ୍ୟ କିଛି ଭିନ୍ନ ଯାହା ଅନୁଶୀଳନ କରି ଦେଖିଲେ ଜଣାଯାଏ ଯେ………….. ହୁଏତ ସଂସାରର ସବୁ ମଣିଷ ପ୍ରେତାତ୍ମାକୁ ଭୟ କରନ୍ତି ନାହିଁ । ଅନେକେ କୌଣସି ପ୍ରେତାତ୍ମାର ଉପସ୍ଥିତିକୁ ମଧ୍ୟ ବିଶ୍ୱାସକୁ ନିଅନ୍ତି ନାହିଁ । କିନ୍ତୁ ଅଧିକାଂଶ ମଣିଷ ପ୍ରେତାତ୍ମାକୁ ବିଶ୍ୱାସ, ଭୟ କରୁଥିବା ଦେଖିବାକୁ ମିଳିବ ଅନୁସନ୍ଧାନ କଲେ । ଅର୍ଥାତ ଏହି ଦୁଇଟି ଗୋଷ୍ଠୀ ମଧ୍ୟରେ ରହିଥିବା ପାର୍ଥକ୍ୟ ଗୁଡିକୁ ଅନୁଶୀଳନ କଲେ ବୁଝି ହୁଏ କି……ଦୁର୍ବଳ ମାନସିକତା ପ୍ରବଣ ମଣିଷ ପ୍ରେତାତ୍ମାକୁ ଭୟ କରୁଥିବା ବେଳେ ସଚେତନ କୌଣସି ପରଲୋକରେ ବିଶ୍ୱାସ ରଖି ନଥା’ନ୍ତି । ମାନସିକ ଦୁର୍ବଳତା ଦୁଇଟି କାରଣରୁ ହୋଇଥାଏ ! ପ୍ରଥମତଃ ଶାରୀରିକ କେନ୍ଦ୍ରୀୟ ସ୍ନାୟୁବିକ ଦୁର୍ବଳତା ଏବଂ ଦ୍ୱିତୀୟତଃ କଳୁଷିତ କର୍ମ, ବିଚାରଧାରା, କାରଣରୁ ମଣିଷର ମାନସିକ ଦୁର୍ବଳତା ସୃଷ୍ଟି ହୋଇଥାଏ । ଅର୍ଥାତ କହିବାକୁ ଗଲେ କୌଣସି ରୋଗୀ ବ୍ୟତୀତ ବାକି ୯୯ ସାଧାରଣ ଲୋକଙ୍କ ମାନସିକ ଦୁର୍ବଳତା କେବଳ ଅମାନବୀୟ ଚିନ୍ତନ, ଆଚରଣ ଜନିତ ହୋଇଥାଏ ଯେଉଁମାନେ ସମାଜରେ ଉପସ୍ଥିତ ବିଭିନ୍ନ କ୍ଷେତ୍ରର ମଣିଷ ମାନଙ୍କ ସମେତ ପ୍ରେତାତ୍ମାକୁ ମଧ୍ୟ ଭୟ କରିଥା’ନ୍ତି । ଅଧିକନ୍ତୁ ସେହି ପ୍ରେତାତ୍ମା କବଳରୁ ନିଜକୁ ରକ୍ଷା କରିବା ପାଇଁ ପରମାତ୍ମାଙ୍କୁ ବିଭିନ୍ନ ମାଧ୍ୟମରେ ଆବେଦନ ମଧ୍ୟ କରିଥା’ନ୍ତି ଯାହା ସବୁ କେବଳ ଅଲୌକିକ କ୍ରିୟା ମାଧ୍ୟମରେ ହୋଇଥାଏ ଯାହା ସାଧାରଣ ଚକ୍ଷୁକୁ ଦେଖାଯାଏ ନାହିଁ ବୋଲି ସର୍ବ ଗ୍ରହଣୀୟ । କୌଣସି ପ୍ରକାର ଅମାନବୀୟ ଚିନ୍ତନ ମୁକ୍ତ ମଣିଷ କିମ୍ବା ଅମାନବୀୟତାର ଚରମ ଶୀର୍ଷରେ ରହି ସମାଜରେ କାହାକୁ ଭୟ କରୁନଥିବା ମଣିଷ କେବଳ ପ୍ରେତାତ୍ମାକୁ ଭୟ କରୁନଥିବା ବେଳେ ସାଧାରଣ ମଣିଷ ୯୯ ପ୍ରେତାତ୍ମାକୁ ଭୟ କରୁଥିବା ନିଶ୍ଚିତ ସାବ୍ୟସ୍ତ କରେକି ସେମାନଙ୍କ ମନରେ କୌଣସି ଅମାନବୀୟ ଚିନ୍ତନ ସୃଷ୍ଟି ହୋଇଥାଏ ଯାହା ଅକଥନୀୟ ହେଲେ ମଧ୍ୟ ନିଜକୁ ନିଜେ ପଚାରି ବୁଝି ସ୍ୱୀକାର କରିଥା’ନ୍ତି । ପ୍ରେତାତ୍ମା ସେହି କଳୁଷିତ ମାନସିକତା ପ୍ରବଣ ମଣିଷଙ୍କ ଉପରେ କେବଳ ପ୍ରକୋପ ନ୍ୟସ୍ତ କରୁଥିବା ବେଳେ ସରଳ, ନିଷ୍କପଟ ସାଧା ସିଧା ଲୋକଙ୍କୁ ସେ ନିଜେ ଭୟ କରୁଥିବା ପ୍ରବଞ୍ଚନ ମଧ୍ୟ ଶୁଣିବାକୁ ମିଳେ ଆମ ସମାଜରେ । ଅର୍ଥ ମଣିଷ ନିଜର ଅମାନବୀୟ ଦୁର୍ବଳତାକୁ ଚରିତାର୍ଥ କରିବା ତ୍ୟାଗ କରି ମାନବିକ ଚରିତ୍ର ପ୍ରବାହ କଲେ ପ୍ରେତାତ୍ମାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ମଧ୍ୟ କୁହାଯାଏ । ଯାହା ହେଉ ଯାହାର ବୁଦ୍ଧି, ଚରିତ୍ର, ଗ୍ରହଣୀୟତା ଏବଂ ଭାବଧାରାକୁ ନେଇ ସେମାନଙ୍କ ନିଜସ୍ୱ ଜୀବନ । ଆମେ କାହା ଭାବନାକୁ କୁଠାରାଘାତ କରିବା ଉଦ୍ଦେଶ୍ୟ ନଥାଇ କେବଳ ଏତିକି କୁହାଯାଇ ପାରେଯେ ଯଦି କୌଣସି ବାସ୍ତବତା ପୃଥିବୀ ପୃଷ୍ଠାରେ ଉପଲବ୍ଧ ଥାଏ ତହାହେଲେ ସେସବୁ ସାର୍ବଜନୀନ ନହୋଇ କେବଳ ସୀମିତ ଶ୍ରେଣୀର ଆତ୍ମନିଷ୍ଠ ଅନୁଭବ ହେବା ପ୍ରାବଧାନ ପ୍ରାକୃତିକ ନିୟାମକ ମଧ୍ୟରେ ଆଦୌ ନାହିଁ । ତେଣୁ ସାର୍ବଜନୀନ ନହୋଇ କୌଣସି ସୀମିତ ବଳୟ ମଧ୍ୟରେ କାର୍ଯ୍ୟ କରୁଥିବା ଅନୁଭୂତିକୁ କେବଳ ଏକ ସଂଯୋଜିତ ବିଚାରଧାରା ବୋଲି କୁହାଯାଇ ପାରେ ! ଅଧିକନ୍ତୁ ମଣିଷ ମନର ଅବଚେତନ ଜ୍ଞାନ ତଥା କ୍ଷୁଦ୍ର ମସ୍ତିଷ୍କରୁ ନିର୍ଗତ ଅଲୌକିକ ଭାବଧାରା ଏବଂ ଅନୁଭୂତି ଜନିତ ଅନେକ ବିଷୟ ମଧ୍ୟରୁ ପ୍ରେତାତ୍ମା ଗୋଟିଏ ହୋଇପାରେ ଯାହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇ ନଥାଏ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭୂତି ବ୍ୟାଖ୍ୟା କରିବେ ବୋଲି ଆଶା……!

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ