ଛତ୍ରପୁର (ସମୃଦ୍ଧ ଓଡିଶା) ଆଇସିଏମଆର ଓ ସରକାରଙ୍କ ଦ୍ୱାରା ପ୍ଲାଜମା ଥେରାପି କରି କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରିବାକୁ ଅନୁମତି ପ୍ରଦାନ କରାଯାଇଅଛି । ଏହାର ଚିକିତ୍ସା ପଦ୍ଧତି ଓଡ଼ିଶାରେ ଆରମ୍ଭ କରାଯାଇଛି ଓ କରୋନା ସଂକ୍ରମିତ ବ୍ୟକ୍ତି ପ୍ଲାଜମା ଥେରାପି ପଦ୍ଧତିରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ପାରିଛନ୍ତି । ଏହାକୁ ସୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ପ୍ଲାଜମା ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ଫେରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯିବ । ଜଣେ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କର ପ୍ଲାଜମା ଦ୍ୱାରା ଦୁଇ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଉପକୃତ ହୋଇପାରିବେ । କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସମଗ୍ର ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ହିଁ ଅଧିକ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି, ତେଣୁ ଏହି ଜିଲ୍ଲାରୁ ଅଧିକ ସଂଖ୍ୟକ ପ୍ଲାଜମା ସଂଗ୍ରହ ହୋଇ ପାରିବ । ଏଥି ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଚିକିତ୍ସା ମୁଖ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ସଚ୍ଚିବ ବ୍ରହ୍ମପୁର ଉନ୍ନୟନ ସଂସ୍ଥା, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଏକ ପତ୍ର ମାଧ୍ୟମରେ କରୋନାରେ ଆକ୍ରାନ୍ତ ହୋଇ ଫେରିଥିବା ସୁସ୍ଥ ବ୍ୟକ୍ତିଙ୍କ ବ୍ଲଡ଼ ଗ୍ରୁପ ଓ ତାଙ୍କର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ନିମନ୍ତେ ଜିଲ୍ଲାପାଳ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା