


ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟକୁ ସଫଳତାର ସହ ମୁକାବିଲା କରିବାରେ ଓଡିଶା ସମଗ୍ର ପୃଥିବୀରେ ଉଦାହରଣ ପାଲଟିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ଉଭୟ ସରକାର ଓ ସାଧାରଣ ଲୋକଙ୍କ ଭୂମିକା ପ୍ରଶଂସନୀୟ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନୂତନ ଉପଲବ୍ଧି ଭବିଷ୍ୟତ ପାଇଁ ବେଶ ସହାୟକ ହେବ । ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବିପର୍ଯ୍ୟୟ ବେଳେ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛନ୍ତି । ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ଶାଖାର କାର୍ଯ୍ୟ ଦୃଷ୍ଟାନ୍ତମୂଳକ ବୋଲି ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଗତକାଲି ଭୁବନେଶ୍ୱରରେ ‘ଫନିରୁ ଶିକ୍ଷା’ ଶୀର୍ଷକ ଏକ କର୍ମଶାଳାରେ ଯୋଗଦେଇ ପ୍ରଫେସର ଲାଲ କହିଲେ ଯେ ସେବା ପ୍ରକୃତ କ୍ଷେତ୍ରରେ ବସ୍ତୁଭିତ୍ତିକ ନୁହେଁ, ଏହା ଭାବଭିତ୍ତିକ । ଏହି ଭାବର ପରିଚ୍ଛନତା ଓ କ୍ରିୟାଶୀଳତା ଏକାନ୍ତ ଆବଶ୍ୟକ । ହୃଦୟବତ୍ତା, ଆନ୍ତରିକତା ଓ ଏକାତ୍ମଭାବ ନେଇ ଯେଉଁ ସେବା କାର୍ଯ୍ୟ କରାଯାଏ ତାର ପ୍ରଭାବ ସୁଦୂରପ୍ରସାରୀ ଏବଂ ରେଡ଼କ୍ରସ ସଂପ୍ରତି ସମାଜ ସେବାର ଏକ ପ୍ରତୀକ ଭାବରେ ବିବେଚିତ ହେଉଥିବା ସୁଖର କଥା ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଜୁନିଅର ରେଡ଼କ୍ରସର ଅଧ୍ୟକ୍ଷ ସମୀର ରଞ୍ଜନ ଦାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ରେଡ଼କ୍ରସ, ଓଡିଶା ଶାଖା କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ନବ କିଶୋର ଦାସ ପ୍ରମୁଖ ଫନିର ମୁକାବିଲାରେ ସରକାରଙ୍କ ପ୍ରୟାସରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକର ସହଯୋଗ ବିଶେଷ ସହାୟକ ହୋଇଥିବା ପ୍ରକାଶ କରିଥିଲେ । ଭାରତୀୟ ରେଡ଼କ୍ରସ, ଓଡିଶା ଶାଖାର ଅବୈତନିକ ସମ୍ପାଦକ ମେଜର ଡ଼. କଳ୍ପନା ଦାସ କର୍ମଶାଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କାନାଡିଆନ ରେଡ଼କ୍ରସର ପ୍ରତିନିଧି ସୁରେଶ ଭୋଜ, କତର ରେଡ଼କ୍ରସର ପ୍ରତିନିଧି ତାରାବେନ, ଇକୋର ପ୍ରତିନିଧି ତପନ ମହାପାତ୍ର ପ୍ରମୁଖ କର୍ମଶାଳାରେ ନିଜ ନିଜର ଅଭିଜ୍ଞତା, ଅନୁଭବ ଓ ଉପଲବ୍ଧି ଉପସ୍ଥାପନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





