ଫନି ବାତ୍ୟାର ବହୁ ଗଛ ନଷ୍ଟ:ବ୍ୟାପକ ଭାବେ ବୃକ୍ଷରୋପଣ କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶାରେ ଫନି ବାତ୍ୟାରେ ବହୁ କ୍ଷୟକ୍ଷତି ଘଟାଇଛି । ବହୁ ଧନସମ୍ପତ୍ତି ନଷ୍ଟ କରିବା ସହ ବହୁ ମାତ୍ରାରେ ଗଛ ବିଦ୍ୟୁତ ଖୁଣ୍ଟ ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଯାହାକୁ ନେଇ ବହୁ ଅସୁବିଧାରେ ଜୀବନ ଜାପାନ କରୁଛନ୍ତି ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନେ । ନା ଅଛି ପାଣି, ନା ଅଛି ବିଜୁଳି, ନା ଟିକି ଛାଇରେ ଆଶ୍ରୟ ନେବା ପାଇଁ ଅଛି ଗଛ । ଯୁଆଡେ ଦେଖିଲେ ଖାଁ ଖାଁ, ବିଦ୍ୟୁତ ନାହିଁ, ଲୋକେ ପାଣି ପାଇଁ ଡହଳ ବିକଳ, ରହିବାକୁ ଘର ନାହିଁ କି ଖାଇବାକୁ ଖାଦ୍ୟ ନାହିଁ ଚାରିଆଡେ ଖରା । ଏହି ଭଳି ପରିସ୍ଥିତିରେ ଜଳ ଏବଂ ଗଛ ହିଁ ଏକମାତ୍ର ଜୀବନ । ଏଣୁ ଏହାର ପୁନଃଉଦ୍ଧାର କରିବା ନିମନ୍ତେ ଜିଲ୍ଲାରେ ବ୍ୟାପକ ଭାବେ ବୃକ୍ଷରୋପଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଭାଗ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିଜ ନିଜ ବ୍ଲକ ଅଞ୍ଚଳରେ ବୃକ୍ଷରୋପଣ କରିବା ସମସ୍ତ ବିଡିଓ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ, ସହକାରୀ କୃଷି ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ଜିଆର୍ଏସ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୃଷି ଉପନିର୍ଦ୍ଦେଶକ, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକଙ୍କ ତତ୍ତ୍ୱାବଧନାରେ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା