ବ୍ରହ୍ମପୁର (ସମୃଦ୍ଧ ଓଡିଶା) ତୁରୁବୁଡି ଗ୍ରାମପଞ୍ଚାୟତର ଉଲୁମା ଗାଁର ଆତ୍ମହତ୍ୟା କରିଥିବା ଚାଷୀ କୈଳାସ ଶବରଙ୍କ ପରିବାରକୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି. ଚନ୍ଦ୍ରଶେଖର ନାଇଡୁ । ସୋମବାର ଶ୍ରୀ ନାଇଡୁ ଉଲୁମା ଗ୍ରାମକୁ ଯାଇ ସ୍ୱର୍ଗତ ଶବରଙ୍କ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହାସହ ସ୍ୱର୍ଗତ ଶବରଙ୍କ ପୁତ୍ରର ପାଠପଢା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗରୀବ ଚାଷୀ ପରିବାରକୁ ସରକାର ତୁରନ୍ତ ଏକ ଲକ୍ଷ ଟଙ୍କା ମଧ୍ୟବର୍ତ୍ତି କାଳୀନ ସହାୟତା ସହ ପରିବାରର ଜଣକୁ ସରକାରୀ ଚାକିରୀ ପାଇଁ ଦାବୀ କରିଛନ୍ତି । ଉପସ୍ଥିତ ଗ୍ରାମବାସୀ ଚାଷ ପ୍ରତି ସରକାର କିଭଳି ହୀନ ମନୋଭାବ ପ୍ରିତିପୋଷଣ କରୁଛନ୍ତି ସେ ନେଇ ଶ୍ରୀ ନାଇଡୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଥିବା ବେଳେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ଆର୍ଥିକ ପୁନଃରୁଦ୍ଦାର ପାଇଁ କିଛି ଠୋସ ପଦକ୍ଷେପ ନ ନେଲେ ପ୍ରତିବର୍ଷ ଏହିଭଳି ଅନେକ କୈଳାସ ଶବରଙ୍କୁ ହରାଇବାକୁ ପଡିବ । ତେଣୁ ସରକାର ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ଶ୍ରୀ ନାଇଡୁ ଦାବୀ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା