ଫେବୃୟାରୀ ୧ରୁ ଗଞ୍ଜାମରେ ନିର୍ବାଚନ ପାଠଶାଳା, ଭୋଟରଙ୍କୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ନିର୍ବାଚନରେ ଜିଲ୍ଲାର ସମସ୍ତ ଭୋଟର ଯେପରି ନିର୍ଭୁଲ ମତଦାନ କରିବେ ଏବଂ ଇ.ଭି.ଏମର ସଠିକ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଜିଲ୍ଲାରେ ନିର୍ବାଚନ ପାଠଶାଳା ଅନୁଷ୍ଠିତ ହେବ । ଫେବୃୟାରୀ ୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାଠଶାଳା ଚାଲୁ ରହିବ । ପ୍ରତ୍ୟେକ ବୁଥ୍ ରେ ବୁଥ୍ ସ୍ତରୀୟ ଅଧିକରୀ ଏହାର ଆବାହକ ରହିବେ । ଅଙ୍ଗନୱାଡି କେନ୍ଦ୍ର କିମ୍ବା ନିକଟସ୍ଥ ସରକାରୀ ଘରେ ଏହି ପାଠଶାଳା ଅପରାହ୍ନ ୨ଘଣ୍ଟା ଠାରୁ ୫ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ବୁଥ୍ ସ୍ତରରେ ଭୋଟର ସଚେତନତା କ୍ଲବ ଗଠନ ହେବ । ଭୋଟରମାନଙ୍କୁ ପାଠଶାଳା ପ୍ରତି ଆକୃଷ୍ଟ କରିବାକୁ ପାଠଶାଳା ମିତ୍ର ମନୋନୀତ କରାଯିବ । ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ବିଧି, ଭୋଟିଂ ମେସିନର ଶୁଦ୍ଧତା, ଭିଭିପ୍ୟାଟର କାର୍ଯ୍ୟକାରିତା ଏବଂ ନୋଟ ବିଷୟରେ ଅଧିକ ସୂଚନା ଦିଆଯିବ । ଯେଉଁ ଭୋଟରମାନଙ୍କ ନାମ ତାଲିକାରେ ନଥିବା ସେମାନେ ମଧ୍ୟ ଫର୍ମ ପୂରଣ କରି ସଂପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କଲେ ତାହା ଉପଜିଲ୍ଲାପାଳଙ୍କ ସ୍ତରରେ ତାଲିକାରେ ସଂଯୋଗ ହେବ । ଯେଉଁ ମାନଙ୍କର ପୂର୍ବ ଭୋଟର ଅଭିଜ୍ଞତା ଥିବ ସେମାନେ ଏହି ଅବସରରେ ଲୋକଙ୍କୁ ଅବଗତ କରାଇବେ । ପ୍ରଶ୍ନୋତ୍ତର ମାଧ୍ୟମରେ ଭୋଟରମାନଙ୍କ ଶଂସୟ ଦୂର କରାଯିବ । ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ସୂଚନା ଦିଆଯିବ । ନିର୍ବାଚନ ସେକ୍ଟର ଅଧିକାରୀମାନେ ନିୟମିତ ଭାବରେ ନିର୍ବାଚନ ପାଠଶାଳା ପରିଦର୍ଶନ କରିବେ । ବ୍ଲକ ଶିକ୍ଷାଧିକାରୀମାନେ ସପ୍ତାହରେ ଦୁଇ ଦିନ ପାଠଶାଳା ପରିଦର୍ଶନ କରିବେ । ପାଠଶାଳାର ଭିଡିଓ ଏବଂ ଫୋଟୋ ଉତ୍ତୋଳନ କରାଯାଇ ଜିଲ୍ଲା ସ୍ତରକୁ ପ୍ରେରଣ କରାଯିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ବ୍ରହ୍ମପୁର ଉନ୍ନୟନ ସଂସ୍ଥା ସଚ୍ଚିବ ସମ୍ବିତ ରାଉତ, ଡେପୁଟି କଲେକ୍ଟର ନିର୍ବାଚନ ଡ଼ଃ. ବିଜୟାନନ୍ଦ ସେଠି, ବ୍ଲକ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା