ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଇଣ୍ଡିଆନ ଆମେଚର ବକ୍ସିଂ ଫେଡ଼େରେସନ୍ ପ୍ରାୟୋଜିତ ୧୮ତମ ଜାତୀୟ ସିନିଅର ଫେଡ଼େରେସନ୍ କପ୍ ବକ୍ସିଂ ଚମ୍ପିଆନସିପ୍ ମଦୁରାଇରେ ଗତ ୧ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସକାଶେ ବକ୍ସି ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରରେ ମେଧାଭିତିକ ଚୟନ ପ୍ରକ୍ରିୟାରେ ଉତୀର୍ଣ୍ଣ ହୋଇ ୫ଜଣ ମୁଷ୍ଟିଯୋଦ୍ଧା ତଥା ରାଜାରାମ ରାଉତ, ଗଣେଶ କୁମାର ଗୌଡ଼, ନୀଳକଣ୍ଠ ପାଣିଗ୍ରାହୀ, ଦୁର୍ଗାପ୍ରସାଦ ଦାସ ଏବଂ ହେମନ୍ତ ନାୟକ ଭାଗ ନେଇଥିଲେ । ସେଥି ମଧ୍ୟରୁ ରାଜାରାମ ରାଉତ ୪୬ ରୁ ୪୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ୍ ମେଡ଼ାଲରେ ଭୂଷିତ ହୋଇଛନ୍ତି । ଏହି ବିଜେତା ଓ ମୁଷ୍ଟିଯୁଦ୍ଧ ଦଳକୁ ଆଜି ବ୍ରହ୍ମପୁର ରେଳଷ୍ଟେସନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିସହ ବକ୍ସିଂ ଓଡ଼ିଶାର ଏନଆଇଏସ୍ କୋଚ୍ ମନୋରମା ମହାରଣା ସମ୍ବର୍ଦ୍ଧିତ ହୋଇଥିଲେ । ଏହି ସମ୍ବର୍ଦ୍ଧନା ସମାରୋହରେ ସିଡ଼ବ୍ଲୁସି ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ରଣଜିତ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବକ୍ସିଂ ଓଡ଼ିଶାର ଉପସଭାପତି ସୁଖେନ୍ଦୁ ଦାସ, ସଭାପତି ଟି. କ୍ରିଷ୍ଣା ପାତ୍ର, ସମ୍ପାଦକ କବିରାଜ ଗୌଡ଼, ଆଂଚଳିକ ବିକାଶ ପରିଷଦ ଗୁଣ୍ଠବନ୍ଧର ସଭାପତି ସାଗର କୁମାର ପାତ୍ର, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ଶଙ୍କର ନାରାୟଣ ବେଜ୍, ମାରୱାଡ଼ି ମହିଳା ସମିତିର କର୍ମକର୍ତା ମମତା ଦେବୀ, ବ୍ରହ୍ମପୁର ଡ଼ିଏଫଓ ସମାଜସେବୀ ସବିତା ସାହୁକାର, ସୁଖୀ ୱେଲଫର ସଂସ୍ଥାର ସଭାପତି ଏ. ସତୀଶ, ସନ୍ତୋଷ କୁମାର ବେହେରା ଓ ବହୁ କ୍ରୀଡ଼ାବିତ ଏବଂ କ୍ରୀଡ଼ାପ୍ରେମୀ ବାଦ୍ୟ ବାଜଣା ସହ ପୁଷ୍ପଗୁଚ୍ଛ ଦେଇ ମୁଷ୍ଟିଯୋଦ୍ଧା ରାଜାରାମ ରାଉତ ଓ ଅନ୍ୟ ୪ଜଣ ସହଯୋଗୀ ମୁଷ୍ଟିଯୋଦ୍ଧା ଓ କୋଚ୍ ମନୋରମା ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଏକ ମୋଟର ସାଇକେଲ ଶୋଭା ଯାତ୍ରାରେ ସହର ପରିକ୍ରମା କରି ସମ୍ବର୍ଦ୍ଧନା ଦିଆଯାଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା