ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଭୟଙ୍କର ବାତ୍ୟାର ରୂପ ନେବାକୁ ଯାଉଛି…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୧୦୪୦ ଓ ମାଛଲିପଟନମ୍‌ଠାରୁ ୧୨୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଗଭୀର ଅବପାତ ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସମୁଦ୍ର ମଧ୍ୟରେ ହିଁ ଏହା ଶକ୍ତି ସଂଗ୍ରହ କରି ଭୟଙ୍କର ବାତ୍ୟାରେ ପରିଣତ ହୋଇ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦଗିରେ ଗତି କରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳ ଭାଗ ଛୁଇଁବା ବେଳେ ପବନର ଘଣ୍ଟା ପ୍ରତି ବେଗ ୯୫ରୁ ୧୦୫ କିମି ରହିବା ସହ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି । ଏହି ବାତ୍ୟାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଏବଂ ପବନ ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ରାତିରେ ଗଭୀର ଅବପାତ ଘୂର୍ଣ୍ଣି ଝଡ଼ରେ ପରିଣତ ହେବ । ଏହି ସମୟରେ ଆନ୍ଧ୍ର ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ପବନର ଘଣ୍ଟା ପ୍ରତି ବେଗ ୬୫ରୁ ୭୫ କିମି ରହିବ । ତେବେ ବର୍ଷାର ପରିମାଣ ବଢ଼ିବ । ଘୂର୍ଣ୍ଣି ଝଡ଼ ଭୀଷଣ ବାତ୍ୟାର ରୂପ ନେବା ପରେ ଧୀରେଧୀର ପବନର ଓ ବର୍ଷାର ପରିମାଣ ବୃଦ୍ଧି ପାଇବ । ଆସନ୍ତାକାଲି ଉପକୂଳ ଆନ୍ଧ୍ର ଓ ଉତ୍ତର ତାମିଲନାଡୁରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ସେହିପରି ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିବ । ରବିବାର ରାତି କିମ୍ବା ସୋମବାର ସକାଳେ ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୫ରୁ ୧୦୫ ଏବଂ ବେଳେବେଳେ ୧୧୫ କିମି ହୋଇପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୪ ଦିନ ଯାଏ ଏହା ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯିବା ସହ ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।