ଆଜି ବଡ଼ଦିନ ପର୍ବ । ମହାପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ଚାରିଆଡେ଼ ଉତ୍ସବ ମୁଖର ହେବା କଥା କିନ୍ତୁ ହୋଇପାରୁ ନାହିଁ । ସରକାରଙ୍କ କଟକଣା କୌଣସି ଚର୍ଚ୍ଚ କି ପର୍ଯ୍ୟଟନସ୍ଥଳୀ ଚଳ ଚଂଚଳ ହେବ ନାହିଁ । ଖାଁ ଖାଁ ସବୁଆଡେ଼ ଏପରି କଥା ଶୁଣିଲା ପୌଣ୍ଡ୍ରି ତ କହିଲା,”ଆଈ ! ଏମିତି ସରକାରଙ୍କ କରିବାର କ’ଣ ଦରକାର ଥିଲା ?” ଆଈ ଏ କଥା ଶୁଣି କହିଲେ,”ପୌଣ୍ଡ୍ରି ! କରୋନା ସାରା ବିଶ୍ବରେ ବିସ୍ତାର ଲାଭ କରିଛି । ତାକୁ ଅକ୍ତିଆର କରିବା କି ଟାଳିଦେବା ଶକ୍ତି କାହାର ଏ ଯାଏଁ ହୋଇନି । ପୃଥିବୀର ସବୁଦେଶ ଟୀକା ବାହାର କରିବାରେ ଲାଗି ପଡି଼ଛନ୍ତି ହେଲେ ସଫଳ ହେବାକୁ ବହୁତ ଡେରି ହୋଇ ଯାଉଛି । କିନ୍ତୁ ସରକାର ଏବେ ବି ସେଇ ତିନୋଟି ଜିନିଷକୁ ପାଳନ କରିବାକୁ ନିର୍ଦ୍ଦେଶ ଜାରି ରଖିଛନ୍ତି ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା ଓ ସାନିଟାଇଜର ହାତରେ ଲଗେଇବା । ବାସ୍ ! ଏହାକୁ ବାଦ୍ ଦେଲେ ଅନ୍ୟ କୌଣସି ବିକଳ୍ପ ପନ୍ଥା ହିଁ ନାହିଁ । ତା’ ଛଡା ଯଦି ବିଭିନ୍ନ ସାଂସ୍କୃତିକ ଉତ୍ସବ ଯଥା ବିବାହ, ଭୋଜି, ଧର୍ମ ପରି ଅନୁଷ୍ଠାନ ଗୁଡି଼କରେ ଗହଳ ଚହଳ ହୋଇଯିବ ତ ପୃଥିବୀ ରସାତଳକୁ ଯିବା ପାଇଁ ବେଶିଦିନ ଲାଗିବ ନାହିଁ । ଫଳତଃ ଆଜି ମହାପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ବି ଫିକା ପଡି଼ ଯାଉଛି କିନ୍ତୁ ହଁ, ସାମୁହିକ ଭାବରେ ପାଳନ ନ କଲେ ବି ବ୍ୟକ୍ତିଗତ ଘର ପରିବାର ମିଶି ପାଳନ ଅବଶ୍ୟ କରି ପାରିବେ ।” ଏ କଥା ଶୁଣି ପୌଣ୍ଡ୍ରିର ଆଖିରୁ ଲୁହ ବୋହିଗଲା । ସେ କହିଲା,”ଆଈ ! କରୋନା ସବୁ ଫସର ଫଟେଇ ଦେବାକୁ ଅଣ୍ଟା ଭିଡି଼ଛି ତ ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନରେ ସବୁ ଚର୍ଚ୍ଚ ଓ ପର୍ଯ୍ୟଟନସ୍ଥଳୀକୁ ପୋଲିସ ମାନଙ୍କର କଡା଼ ନଜର ହେଉଥିବ । ଯେମିତି ଏକତା ବଜାୟ ରଖି ପାଳନ କରା ନ ହୁଏ, ନୁହେଁ ?” ଟିକିଏ ରହି ପୁଣି କହିଲା,”ଆଈ ! ମୁଁ ତ ଖାଲି ଜାଣିଛି କି ବଡ଼ଦିନ ପର୍ବରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ସକାଶେ ପାଳନ ହୁଏ ତାହା ପୁଣି ଖ୍ରୀଷ୍ଟିୟାନ୍ ସଂପ୍ରଦାୟର ଲୋକେ କରନ୍ତି । ସେ ଜଣେ ଧର୍ମଗୁରୁ ଓ ମହାପୁରୁଷ ନାମରେ ଖ୍ୟାତ । ହେଲେ ଆଈ ତୁମେ ତାଙ୍କର ଗୋଟିଏ ଭଲ ବାଣୀ କି ସତ୍ୟତା କହିଲ ନାହିଁ ତ ? ଏବେ ଆପଣ ମୋତେ କହି କୃତାର୍ଥ କରନ୍ତୁ ।” ଏ କଥା ଶୁଣି ଆଈ କହିଲେ,”ପୌଣ୍ଡ୍ରି ! ମୁଁ ଜଣେ ଅପାଠୋଈ, ଅଶିକ୍ଷିତା ମହିଳା । ପାଠ ଶାଠରୁ ଅନେକ ଦୂରରେ । ମୁଁ ତ ତାଙ୍କର ଜୀବନୀ କି ବାଣୀ ପଢି଼ ନାହିଁ, କହିବି କ’ଣ ? କିନ୍ତୁ ଏତିକି ଜାଣିଛି ସବୁ ଧର୍ମର ସାରାଂଶ ମଣିଷ ଏକ । ସଭିଙ୍କ ଦେହରେ ପରମ ପିତା ବିଦ୍ୟମାନ । କାହାକୁ ଘୃଣା କରିବା କି କାହାକୁ ଛୋଟ କରି କହିବା ଠିକ୍ ନୁହେଁ । ମଣିଷର ସବୁଠୁ ବଡ଼ ଧର୍ମ ମାନବ ଧର୍ମ । ଏବେ କିନ୍ତୁ ଆମେ ନିଜେ ନିଜେ ଜାତି ଓ ଧର୍ମ ସୃଷ୍ଟିକରି ନିଜକୁ ବଡ଼ ଭାବିବା ସହ ପ୍ରସାର ଓ ପ୍ରଚାର କରୁଛୁ । ଟିକିଏ ରହି ପୁଣି କହିଲେ,”ପୌଣ୍ଡ୍ରି ! ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କେତୋଟି ସତ୍ୟତା ଯାହା ଶୁଣିଛି ତାହା କହୁଛି ଶୁଣ । ସେ ଗପି ଚାଲିଲେ କି ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି । ସେ ଆସିବା ପୂର୍ବରୁ ଜଣେ ସ୍ୱର୍ଗଦୂତ ଥିଲେ । ସେ ଅତ୍ୟନ୍ତ ଲୋକ ମାନଙ୍କୁ ଭଲ ପାଉଥିଲେ ଆଉ ସେ ସର୍ବଦା ଈଶ୍ୱରଙ୍କ ଇଛା ପୂରଣ କରୁଥିଲେ ବୋଲି ଟି.ଭିରୁ ଶୁଣିଛି ।” ଏ କଥା ଶୁଣି ପୌଣ୍ଡ୍ରି ଆଈଙ୍କୁ ଧନ୍ୟବାଦ ଓ ପ୍ରଣାମ କରି ଠାକୁର ଘରକୁ ଚାଲିଗଲା । ସେ ହୃଦୟ କୋଣରେ ସୃଷ୍ଟି ହୋଇଥିବା ପ୍ରେମ ଓ ଭକ୍ତିରେ ମନର ଫୁଲକୁ ସମର୍ପଣ କରି କହିଲା,”ପ୍ରଭୁ ! ଆପଣ ଏ ସୃଷ୍ଟିକୁ ରକ୍ଷା କରନ୍ତୂ । କରୋନାରେ ସଢୁଥିବା ପୃଥିବୀବାସୀ ଆଜି ଆତଙ୍କିତ । ସେ ଈଶ୍ୱର ଉପାସନା ପୂର୍ବକ କେବଳ ଏତିକି ଜଗତ କଲ୍ୟାଣର କାମନା କରି ମୁଣ୍ଡିଆ ମାରିଲା । ଚାରିଆଡେ ଶୂନଶାନ୍ ବଡ଼ଦିନ ପର୍ବ ଯେମିତି ଆଖିରୁ ଲୁହ ଗଡେ଼ଇ କାନ୍ଦୁଛି ।
ସୁକାନ୍ତ ଖଣ୍ଡା, ଶିକ୍ଷକ
ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ,
ପୋ-ଚକ୍ରଧରପୁର
ଭା-ହରିଚନ୍ଦନପୁର
ଜି-କେନ୍ଦୁଝର