ବଦଳିବେ କି କନଷ୍ଟେବଳ ଓ ହାବିଲଦାର ?…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିର୍ବଚନ କମିଶନଙ୍କ ନିୟମ ଅନୁଯାୟୀ ପୋଲିସ ମହଲରେ ବଦଳି ପକ୍ରିୟା ଜୋରଦାର ଚାଲିଛି । ଏସପିଙ୍କ ଠାରୁ ଆରମ୍ଭ କରି ଏଏସଆଇ ପର୍ଯ୍ୟନ୍ତ ସବୁସ୍ତରରେ ବଦଳି କରାଯାଉଛି । ଏପରି କି କୌଣସି ଅଫିସରଙ୍କୁ ଅଫିସରେ ମଧ୍ୟ ରଖାଯାଇ ନାହିଁ । ହେଲେ କମିଶନରେଟରେ କାର୍ଯ୍ୟରତ ହାବିଲଦାର ଓ କନଷ୍ଟେବଳ ସ୍ତରରେ ଅଦଳବଦଳ କରାଗଲା ନାହିଁ । ଆଉମାତ୍ର କେଇଟାଦିନ ପରେ ନିର୍ବାଚନ ଆଚରଣବିଧି ଲାଗୁ ହେବାକୁ ବାକି ଥିବା ବେଳେ ଏମାନଙ୍କ ବଦଳି ହେବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ଲାଗି ଚଳିତମାସ ପ୍ରଥମ ସପ୍ତାହରୁ ନିୟମିତ ଭାବେ ବଦଳି ପ୍ରକିୟା ଜାରି ରହିଛି । ବିଶେଷ କରି କମିଶନରେଟରେ ୧୫ରୁ ଅଧିକ ଅତିରିକ୍ତ ଡିସିପି, ୨୩ରୁ ଅଧିକ ଏସିପି ଓ ୩୦ରୁ ଅଧିକ ଇନ୍ସପେକ୍ଟରଙ୍କୁ ଅଦଳବଦଳ କରାଯାଇଛି । ସେହିପରି ସବ-ଇନ୍ସପେକ୍ଟର ଓ ଏଏସଆଇ ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ କରାଯାଇଛି । ହେଲେ ଦୀର୍ଘଦିନ ଧରି ଗାଦିମାଡି ବସିଥିବା ହାବିଲଦାର ଓ କନଷ୍ଟେବଳ ସ୍ତରରେ ଅଦଳବଦଳ କରାଯାଇନାହିଁ । ତଥ୍ୟ ଅନୁସାରେ ଭୁବନେଶ୍ୱରରେ ପାଖାପାଖି ୧୨୦ଜଣ କନଷ୍ଟେବଳ ଓ ହାବିଲଦାର ୫ବର୍ଷରୁ ଅଧିକ ବର୍ଷ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ଏପରିକି ବଦଳି ଅର୍ଡର ହେଉଥିଲେ ମଧ୍ୟ ସେମାନେ ଜାଗା ଛାଡୁ ନାହାନ୍ତି । ଗୋଟିଏ ଜାଗାରେ ଗାଦି ମାଡି ବସି ସ୍ୱାର୍ଥ ହାସଲ କରିବାରେ ଲାଗିଛନ୍ତି । ତେଣୁ ଏମାନଙ୍କୁ ମଧ୍ୟ ତୁରନ୍ତ ବଦଳି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ