ଗୋପାଳପୁର (ସମୃଦ୍ଧ ଓଡିଶା) କୋଭିଡ-୧୯କୁ ବ୍ୟାପିବାରୁ ରୋକିବା ଲାଗି ଗୋପାଳପୁର ପୋର୍ଟସ ଲିମିଟେଡ଼ (ଜିପିଏଲ) ପକ୍ଷରୁ ସମସ୍ତ ପ୍ରକାରର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଜାହାଜ ମହାନିର୍ଦ୍ଦେଶାଳୟ ଓ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବେଶ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ସହିତ ସମସ୍ତ ସ୍ଥାନୀୟ ଓ ବିଦେଶୀ ଜାହାଜ ଏବଂ ଜାହାଜରେ ଥିବା କ୍ରୁ ସଦସ୍ୟମାନଙ୍କ ନିୟମତି ନିରୀକ୍ଷଣ ଓ ପରୀକ୍ଷା ଲାଗି ଏକ ସ୍ୱୟଂ ସମ୍ପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥା ସ୍ଥାପନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତାଲିକାରେ ଥିବା ରାଷ୍ଟ୍ରଗୁଡିକ ଯଥା ଚିନ, କୋରିଆ, ଜାପାନ, ଇଟାଲୀ ଇତ୍ୟାଦିରୁ ଆସିଥିବା ଯେକୌଣସି ପ୍ରକାର ଜାହାଜକୁ ୧୪ ଦିନ ପର୍ଯ୍ୟନ୍ତ କ୍ଵାରାଟିଂନ ବା ସଙ୍ଗରୋଧ କରାଯାଉଛି । ୧୪ ଦିନ କ୍ଵାରାଟିଂନ କରିବା ପରେ ଜାହାଜର କ୍ରୁ ସଦସ୍ୟମାନଙ୍କ ବିଭିନ୍ନ ପ୍ରକାର ଲକ୍ଷଣ ପାଇଁ ଯାଞ୍ଚ କରାଯାଉଛି ଓ ଆବଶ୍ୟକ ହେଲେ ପରୀକ୍ଷା କରାଯାଉଛି । କୋଭିଡ-୧୯ ବ୍ୟାପିବାକୁ ରୋକିବା ଲାଗି ଅନ୍ୟ ଦେଶ ଗୁଡ଼ିକରୁ ଆସୁଥିବା ଜାହାଜ ଗୁଡିକରେ ଥିବା କ୍ରୁ ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଥିବା ସଂକ୍ରାନ୍ତରେ ଜାହାଜ ମାଷ୍ଟରଙ୍କ ଠାରୁ ବନ୍ଦରରେ ଜାହାଜ ପହଞ୍ଚିବାର ୨୪ ଘଣ୍ଟା ପୂର୍ବରୁ ପ୍ରାକ ସୂଚନା ମଗାଯାଉଛି । ଏହା ବ୍ୟତୀତ ବନ୍ଦର ତରଫରୁ ନିଜସ୍ୱ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ (ଏସଓପି) ବିକଶିତ କରି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏହା ଆନ୍ତର୍ଜାତିକ ମାରିଟାଲମ ସଂଗଠନ (ଆଇଏମଓ) ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ‘ମାରିଟାଇମ ଡିଲ୍ଲାରେସନ ହେଲଥ’ରେ ଦିଆଯାଇଥିବା ପରାମର୍ଶକୁ ପାଳନ କରୁଛି ଏବଂ ପୋର୍ଟ ହେଲଥ ଓ ମାରିଟାଇମ ଟିମ ତରଫରୁ ୨୪ ଘଣ୍ଟିଆ ଭିତିରେ ବନ୍ଦରର ସମସ୍ତ ତାଲିକାକୁ ଯାଞ୍ଚ କରାଯାଉଛି । ଅତିରିକ୍ତ ପ୍ରତିଷେଧକ ପଦକ୍ଷେପ ଲାଗି ବନ୍ଦର ପରିସରରେ ଥିବା ସମସ୍ତ ବିଦେଶର ଜାହାଜଗୁଡିକ ବନ୍ଦରରୁ ଚାଲି ନ ଯିବା ପର୍ଯ୍ୟନ୍ତ ସେଥିରେ ଥିବା ସମସ୍ତ କୃ ସଦସ୍ୟମାନଙ୍କ ତାପମାତ୍ରାକୁ ପ୍ରତିଦିନ ଦୁଇଥର (୬ଟା ଏବଂ ୧୮ ଘଣ୍ଟିକାରେ) ମପା ଯାଉଛି । ଏକ ସଙ୍ଗରୋଧ ବା ଆଇସୋଲେସନ ୱାର୍ଡ ଗନ କରାଯାଉଛି ଓ ସ୍ପର୍ଶ ବିହୀନ ଇନଫ୍ରାରେଡ ତାପମାତ୍ରା ଗନ, ଏନ-୯୫ ଫେସ ମାସ୍କ, ଡିସପୋଜେବଲ ଗ୍ଳୋଉସ ଓ କ୍ୟାପ, ସମ୍ପୂର୍ଣ୍ଣ ବ୍ୟବସ୍ଥା ସହିତ ୩ ଜଣ ପାରା ମେଡିକାଲ ଷ୍ଟାଫ ଥିବା ଏକ ଆମ୍ବୁଲାନ୍ସ ଚବିଶ ଘଣ୍ଟା ପାଇଁ ପ୍ରସ୍ତୁତ ରଖାଯାଇଛି ଏବଂ ପରିଚାଳନ ଷ୍ଟାଫମାନଙ୍କ ଲାଗି ଜାହାଜ ବୋର୍ଡିଂ ହେଉଥିବା ଅଂଚଳରେ ନିୟମତି ଭାବେ ଡି-କଣ୍ଟାମିନେସନ ଲିକ୍ୱିଡ଼ (ସୋଡିୟମ ହାଇପୋକ୍ଲୋରାଇଡ) ସିଞ୍ଚନ କରାଯାଉଛି । କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ଲାଗି ଜିପିଏଲ ପକ୍ଷରୁ ଏହାର କର୍ମଚାରୀ ଏବଂ ଶ୍ରମିକମାନଙ୍କ ମଧ୍ୟରେ ସ୍ୱଚ୍ଛାତାକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା