କନଫରେନସ ରୁମରୁ କଞ୍ଚା ଦି ଅକ୍ଷରି ଇଂରାଜୀ ଗାଳି ଗୁଡିକ କ୍ଲାଏଣ୍ଟ ପାଖରୁ ଦି ଘଣ୍ଟା କାଳ ଶୁଣି, ବାହାରକୁ ବାହାରି ଆସିଲା ବେଳକୁ ସିଇଓ ଡାକି କହିଲେ,”ମିଶ୍ର ବାବୁ, ପନ୍ଦର ଦିନରେ ପ୍ରୋଜେକ୍ଟ ଡେଲିଭରି ଅଛି, କାମ ଯେମିତି କିଚ୍ଛି ବାକି ନ ରୁହେ”। ହଁ ସାର..କହି ମୁହଁକୁ ଆମ୍ବିଳା କରି ଡେସ୍କ କୁ ଆସିଲେ ପ୍ରତ୍ୟୁଷ ମିଶ୍ର। ମଲଟି ନେସନାଲ କମ୍ପାନୀ ର ଆଇଟି ମ୍ୟାନେଜର ସେ। ଗାଳି ଖାଇ କାନ ମୁଣ୍ଡା ଝାଇଁ ଝାଇଁ କରୁଥିଲା। ତା ସହ ସିଇଓ ର ତାଗିଦ। କମ୍ପାନୀ ର ପଞ୍ଚ କାର୍ଡ କୁ ସିଇଓ ମୁହଁ କୁ ଫୋପାଡ଼ି ଚାକିରୀ ଛାଡି ପଳେଇଯିବାକୁ ମନ କହୁଥିଲା। ରାତି ଏଗାରଟା ବାଜିଲାଣି। ଦଶ ରୁ ସାତ ଅଫିସ ହେଲେବି ବେଳେବେଳେ ଏମିତି ମିଟିଂ ପାଇଁ ରହିବାକୁ ପଡେ। ଖାତା ଆଉ ପେନ କୁ ନିଜ କ୍ୟୁବିକଲ ର ଡ୍ରୟାର ଭିତରେ ରଖି ଘରକୁ ଯିବାକୁ ବାହାରିଲା ସେ। କାର ଚଳେଇ ଆସିଲା ବେଳକୁ ଥଣ୍ଡା ଥଣ୍ଡା ପବନ ରେ ନିଜକୁ ନିଜେ ବୁଝେଇବାକୁ ଚେଷ୍ଟା କରୁଥିଲା। କଣ କରିହେବ? ପର ପାଖରେ ମୁଣ୍ଡ ବିକିଲେ ତ ଏଇ ଅବସ୍ଥା। ମାସକୁ ଛଅ ଅଙ୍କରେ ଦରମା ତ ଏଇଥିପାଇଁ ଦେଉଛନ୍ତି। ଛାଡ଼…ମୁଣ୍ଡ ଉପରେ ପ୍ରେସର ତ ରହିବ। ଜୁନିଅର ପିଲା ଗୁଡା ବି ଠିକ ରେ କାମ କରୁନାହାନ୍ତି, ନଚେତ ଆଉ ପାଞ୍ଚ ଦିନ ଭିତରେ କାମ ସରି ଯାଇଥାନ୍ତା। କାଲିଠୁ ଆଉ ଟିକେ କଡା ହେବାକୁ ପଡ଼ିବ, ନଚେତ ପନ୍ଦର ଦିନ ଭିତରେ ପ୍ରୋଜେକ୍ଟ ଡେଲିଭର କରିବା କଷ୍ଟ ହୋଇପଡିବ। ଭାବୁଭାବୁ ସେ ଘରେ ପହଞ୍ଚି ଯାଇଥିଲା ସେ। ଫ୍ଲାଟ ର ବେସମେଣ୍ଟ ରେ ଗାଡି ପାର୍କ କରି ଉପରକୁ ଆସିଲା। କଲିଂ ବେଲ ମାରି କବାଟ ଖୋଲିବାକୁ ଅପେକ୍ଷା କଲା ସେ। କବାଟ ଖୋଲିଲେ ମିନାକ୍ଷୀ ଦେବୀ । ପ୍ରତ୍ୟୁଷ ମିଶ୍ରଙ୍କ ପ୍ରେମିକା। ଦୁଇଜଣ ଯାକ ଏକାଠି ରୁହନ୍ତି ପ୍ରାୟ ପାଞ୍ଚବର୍ଷ ହେଲା। ବୟସ ପାଖାପାଖି ବତିଶ-ତେତିଶ ଦୁଇଜଣଙ୍କର। ସହପାଠୀ ଥିଲେ କଲେଜ ରେ । ସେବେଠୁ ସାଙ୍ଗ, ପରେ ପ୍ରେମ, କଲେଜ ସରିଲା ପରେ ଚାକିରୀ। ଜଣେ ଗୋଟେ କମ୍ପାନୀ ରେ ଆଇଟି ମ୍ୟାନେଜର, ଆଉ ଜଣେ ଅନ୍ୟ ଏକ କମ୍ପାନୀ ରେ ଟିମ ଲିଡ଼ର। ଜଣେ ଦଶ ରୁ ଯାଇ ସାତରେ ଆସେ ଆଉ ଜଣେ ଏଗାର ରୁ ଆଠ, କମ୍ପାନୀ ସମୟ। ଆଜି ପ୍ରତ୍ୟୁଷ ର ଲେଟ ହେଲା ତ ମିନାକ୍ଷୀ ଆସି ସାରିଥିଲେ। ପ୍ରତ୍ୟୁଷ ଘରେ ପହଞ୍ଚି ଜୋତା ଖୋଲିବାକୁ ଗଲାବେଳେ ମିନାକ୍ଷୀ ଶୁଣେଇ ଶୁଣେଇ କହୁଥିଲେ,”ଜାଣିଛ!! ନାନୀ ଆଜି ଫୋନ କରିଥିଲେ, ଏଇ ଟିକେ ପୂର୍ବରୁ। ଆମ ବାହାଘର ବିଷୟ ପଚାରୁଥିଲେ। ବୟସ ଗଡି ଯାଉଛି ନା !! ତା ପରେ ମୋତେ ଆସି ବତିଶ ହେଲାଣି। ଆଗକୁ କଂପ୍ଲିକେସନ ହୋଇପାରେ। ତୁମେ ତୁମ ଘରେ ଶୀଘ୍ର କୁହ। ଆଉ ସମୟ ନାହିଁ। ତୁମ ଭଉଣୀ ବାହାଘର ପାଇଁ ଅପେକ୍ଷା କରିଛ ଯେ, ତାକୁ ତ ଅଣତିରିସ ହେଇଛି। ତାପାଇଁ ତୁମେ, ତୁମ ବାପା ମା ଏତେ ବ୍ୟସ୍ତ। ମୋ ପାଇଁ ମୋ ଘର ଲୋକ ବ୍ୟସ୍ତ ହେବେନି? ବତିଶ ହେଲାଣି ଆସି ମୋତେ। ଏଇ ଭିତରେ ଯଦି କଥା ହେଉଛ ହୁଅ, ନହେଲେ ପୁଣି ଚିହ୍ନିବ ମୋତେ। ପ୍ରତ୍ୟୁଷ କିଛି ନକହି ଜୋତା ଖୋଲି ଫ୍ରେସ ହେବାପାଇଁ ବାଥ ରୁମ ରେ ପଶିଗଲା। ଏପଟେ ଅଫିସ ର ଟେନସନ କୁ ଏପଟେ ପ୍ରେମିକା ର। ସେ ବି ଠିକ କହୁଛି ଯେ, ଏବେ କିନ୍ତୁ ଶୁଣିବା ପାଇଁ ଜମାରୁ ଇଛା ନଥିଲା ତା’ର। ଫ୍ରେସ ହୋଇ ଆସି ବୋଉଙ୍କୁ ଫୋନ ଲଗେଇଲା ସେ। ଅଫିସ ରୁ ଆସି ସବୁଦିନ ବୋଉଙ୍କ ସହ କଥା ହୁଏ ସେ। ସେପଟୁ ବୋଉଙ୍କ ସହ କଥା ହେଇ ସାରିଲା ପରେ ବୋଉ କହିଲେ,”ଆଜି ମିନି ପାଇଁ ଗୋଟେ ଭଲ ପ୍ରସ୍ତାବ ଆସିଥିଲା। ପିଲା ର ସବୁ ଭଲ ଯେ ତା ଭାଇ ଗୋଟେ ଖଣ୍ଡାୟତ କୁ ବାହା ହେଇଛି ବୋଲି ମନା କଲି। ଯାହା ହେଲେ ବି କୁଳିନ ବ୍ରାହ୍ମଣ ଘର ଆମର, ଏମିତି ଘରେ କେମିତି ଝିଅ ଦେବା? ” ….”ହଉ ରଖୁଛି” କହି ଫୋନ କାଟିଦେଲେ ପ୍ରତ୍ୟୁଷ ମିଶ୍ର।
ଖାଇବା ଟେବୁଲ ରେ ବସିବା ମାତ୍ରେ ପୁଣି ଆରମ୍ଭ ହେଲେ ମିନାକ୍ଷୀ ଦେବୀ, ” କହିଲ ଘରେ? ମୁଁ ଜାଣିଛି ତୁମେ କିଛି ବି କହି ନଥିବ। ଏତେ ଡର କଣ? ଡରିବାର ଯଦି ଥିଲା ତେବେ ପ୍ରେମ କରୁଥିଲ କଣ ପାଇଁ? ଆଗରୁ କଣ ଜାଣି ନଥିଲ ଆମର ଖଣ୍ଡାୟତ ବୋଲି? କହୁ କହୁ ଖାଇବା ଥାଳି କୁ ଏକ ରକମ ଫିଙ୍ଗିଲା ପରି ଥୋଇ ଦେଇ ଚାଲିଗଲେ ରୋଷେଇ ଘରକୁ ଆଉ କିଛି ଆଣିବା ପାଇଁ। କିଛି ସମୟ ପରେ ଅଧାଖିଆ ରୁ ଉଠିଗଲେ ପ୍ରତ୍ୟୁଷ ମିଶ୍ର। ମୁଣ୍ଡ ଗୋଳମାଳ ହେଇ ଯାଉଥିଲା ତାଙ୍କର। ପ୍ରେମ ର ଦାୟ ନା ପରିବାର ର? ଏପଟେ ଅଫିସ, ସେପଟେ ପ୍ରେମିକା, ଆରପଟେ ମା। ମା ତ ଶୁଣିଲା ପରେ ରୀତିମତ ଧମକ ଦେଇ ସାରିଛି,”ତୁ ଯଦି ତାକୁ ବାହାହେଉ ମୁଁ କୂଅ କୁ ଡେଇଁ ପଡିବି”।
କଣ କରିବ କିଛି ମୁଣ୍ଡରେ ପସୁନଥିଲା ତାଙ୍କର। ବାର ବର୍ଷ ହୋଇଗଲାଣି ମିନାକ୍ଷୀ ଙ୍କୁ ସେ ଭଲ ପାଇବାର। ପ୍ରଥମେ ପ୍ରଥମେ ସାଙ୍ଗ ଥିଲେ ଦି ଜଣ। କୌଣସି ଏକ ମୁହୂର୍ତ୍ତ ରେ ଦୁର୍ବଳ ହୋଇପଡିଲେ ପ୍ରତ୍ୟୁଷ ମିଶ୍ର ମିନାକ୍ଷୀ ପ୍ରତି ଓ ପ୍ରୋପୋଜ କଲେ ତାଙ୍କୁ। ମିନାକ୍ଷୀ ମନା କରୁଥିଲେ,”ବ୍ରାହ୍ମଣ ତୁମେ, ମୁଁ ଖଣ୍ଡାୟତ। ତୁମ ଘରେ ମୋତେ ଗ୍ରହଣ କରିବେନି। ଥାଉ, ଆମ ବନ୍ଧୁତ୍ୱ ଏହିପରି। ”
ପ୍ରତ୍ୟୁତ୍ତର ରେ ପ୍ରତ୍ୟୁଷ କହିଥିଲେ,” ଆମେ ଆଜିର ପିଲା, ଆଉ କିଛିଦିନ ପରେ ଏ ଜାତିପ୍ରଥା କିଛି ନଥିବ। ଏବେ ତ ଅଲଗା ଜାତିରେ ବାହାଘର ଚଳିଲାଣି। କିଛି ବ୍ୟସ୍ତ ହେବାର ନାହିଁ, ଆମେ ବାହାହେଲା ବେଳକୁ ଏସବୁ କମନ ହୋଇଯାଇଥିବ। ସେତେବେଳକୁ ଜାତି ଗୋତ୍ର କେହି ଦେଖୁ ନଥିବେ। ଖାଲି ଚାହୁଁଥିବେ ପୁଅ ମୋର ଝିଅଟିଏ ନେଇକି ଆସୁ। ପୁଅଟିଏ ଆଣିଲେ ଅସୁବିଧା।” ତା ପରଠୁ ଦିହେଁ ଦୁହିଁଙ୍କର ହୋଇ ଯାଇଥିଲେ। ମିନାକ୍ଷୀ ଙ୍କ ଘରେ ସପୋର୍ଟ କରନ୍ତି କିନ୍ତୁ ପ୍ରତ୍ୟୁଷ ଙ୍କ ଘରେ….
ଏମିତି ଏମିତି ରେ ବାରବର୍ଷ ବିତି ଗଲାଣି, ତଥାପି କିଛିଲୋକ ଜାତିପ୍ରଥା କୁ ଧରି ବସିଛନ୍ତି, ଯେମିତି ପ୍ରତ୍ୟୁଷ ର ଘର ଲୋକ। ସେ ଚାହିଁଲେ କୋର୍ଟ ମ୍ୟାରେଜ ବି କରି ପାରିବ, କିନ୍ତୁ ଅପେକ୍ଷା ଭଉଣୀ ର ବାହାଘର କୁ। ପ୍ରତ୍ୟୁଷ ର ମା ଯେମିତି ବାଛୁଛନ୍ତି, ସେମିତି ଯଦି କିଏ ମିନି କୁ ବାଛିଲା ? ୟା ଭାଇ ଗୋଟେ ଅଜାତି ରେ ବାହା ହୋଇଛି କହି ବାହାଘର କରିବାକୁ ମନା କଲା? ସେଥିପାଇଁ ପାଦ ଆଗକୁ ନଯାଇ ପଛକୁ ଫେରି ଯାଇଛି ପ୍ରତ୍ୟୁଷ ର।ସାଙ୍ଗ ମାନଙ୍କର ରୀତିମତ ସପୋର୍ଟ “କୋର୍ଟ ରେ ବାହା ହେଇ ଯାଅ, ସାକ୍ଷୀ ଦେବାକୁ ଆମେ ଅଛୁ ” କୁ ହସି ହସି ଏଡେଇ ଯାଆନ୍ତି ସେ। ଏବେ କିନ୍ତୁ ଦିନକୁ ଦିନ ଏସବୁ ଅସହ୍ୟ ହେଲାଣି। ମା ର ଧମକ କୁ ପ୍ରେମିକା ର ଧମକ ଭିତରେ ପେଷି ହେଇଯାଉଥିଲା ସେ। ଦି ଜଣ ନିଜ ନିଜ ଜାଗାରେ ଠିକ ଅଛନ୍ତି, ଭୁଲ କରିଛି ତ ପ୍ରତ୍ୟୁଷ। ଭଲ ପାଇବାକୁ କିଏ କହିଥିଲା? କିନ୍ତୁ ଭଲ ପାଇବାକୁ ଅଟକେଇବ କେମିତି? ସେ ତ ହଉ ହଉ ହେଇଯାଏ। ମନ କୁ ମନ ମିସିଲେ ଭଲପାଇବା ଆରମ୍ଭ ହୁଏ। ସେତେବେଳେ କଣ କେବେ କିଏ ଚିନ୍ତା କରେ ଭବିଷ୍ୟତ କଥା? ଭଲ ପାଇବା ଆସି ଏବେ ଲିଭିଂ ରେ। କଣ କରିବ ଏବେ? ଗୋ ହତ୍ୟା ନା ବ୍ରହ୍ମହତ୍ୟା? ବେଡି ଉପରେ କୋରଡା ପରି ଅଫିସ ଟେନସନ। ମୁଣ୍ଡ ଖରାପ ହୋଇଯାଉଥିଲା ତା’ର।
କବାଟ ଖୋଲି ଛାତ ଉପରକୁ ଗଲା ସେ। କେତେ ସୁନ୍ଦର ଜହ୍ନ ଆଲୁଅ ପଡିଛି। ଯେମିତି ରୁପା ଚାଦରଟିଏ କିଏ ଘୋଡେଇ ଦେଇଛି। ଇଞ୍ଜିନିଅରିଂ ପରେ ଏମିତି ଜହ୍ନ ରାତି ଦେଖିବାକୁ ସେ ଭୁଲି ଯାଇଥିଲା। ଇଞ୍ଜିନିଅରିଂ ବେଳେ ରାତିସାରା ଛାତ ଉପରେ ବୁଲି ବୁଲି ସେ କଥାହୁଏ ମିନାକ୍ଷୀ ସହ। ଚାକିରୀ କଲା ପରେ ତ ସନ୍ଧ୍ୟା ବେଳ ଗୋଟେ ଥାଏ ବୋଲି ମଣିଷ ଭୁଲି ଗଲାଣି। ଏବେ ତ ସକାଳ ହେଉଛି ତା ପରେ ଯାଇ ରାତି। ମଝିରେ ଦ୍ବିପ୍ରହର, ସନ୍ଧ୍ୟା କେତେବେଳେ କୁଆଡେ ଯାଏ ସେ ଦେଖି ପାରେନି। ଅଫିସ ର ଲାଇଟ ଆଉ ଏସି ପବନ ରେ ଦିନ ବିତେ। କି ଖରା, କି ବର୍ଷ କି ଶୀତ, ସବୁବେଳେ ତ ସେମିତି। ଆଃ…କି ସୁନ୍ଦର ଦେଖା ଯାଉଛି ଏ ଜହ୍ନ ଆଲୁଅ। ଛାତ, ପାଣି ଟାଙ୍କି, ପଡ଼ିଶା ଘର ଛାତ ଉପରେ ଶୁଖୁଥିବା ଡ୍ରେସ, ସବୁ ଯେମିତି ରୁପାମୟ । କି ସୁନ୍ଦର ଲାଗୁଛି…ବହୁତ ଦିନ ପରେ ଏମିତି ଟିକେ ଦେଖିବାକୁ ମିଳିଲା ତାକୁ। ଶାନ୍ତି ମିଳିଲା କିଛିକାଂଶ ରେ। କିନ୍ତୁ କିଛି ସମୟ ପରେ ପୁଣି ତା ମନ ଭାରାକ୍ରାନ୍ତ ହୋଇଗଲା। ଅଫିସ ର ଟେନସନ ସହ ମିନାକ୍ଷୀ ର କଥା ଖାଇ ଗୋଡାଉଥିଲା ତାକୁ। ମା ବି….। ଏବେ ତ ସମସ୍ତେ ମାନି ନେଲେଣି ଅଜାତି ବାହାଘର କୁ, ୟେ ଗୋଟେ ଜାବୁଡି କି ଧରିଛି, ତା ସହ ପୁଣି ଧମକ… ମନ ଆହୁରି ଦୁଃଖ ହୋଇଗଲା ତା’ର। ହଠାତ ଅଫିସ କ୍ଲାଏଣ୍ଟ କଥା ବି ମନେ ପଡ଼ିଲା। ମୁଣ୍ଡ ବିକ୍ରି କରିଛୁ ବୋଲି କଣ ଲୋକ ଲଗେଇ ଗୋଟେ ଆଠ ମାସ ର କାମକୁ ତିନି ମାସରେ କରିଦେଇ ହେବ ନା କଣ? ଯାହା ଯେମିତି ପ୍ରୋସେସ ରେ କରାଯାଏ କଲେ ହେବ ନା, ଜଲଦି ଜଲଦି କଲେ ତ ଭୁଲ ରହିବ। ତା ବୋଲି ଇଂଲିଶ ରେ ଗାଳିଦେଵ? ଶୋଧିବ? ଛି..ଓଡ଼ିଆ ଜାତି ମୋର। ସ୍ବାଭିମାନ ର ଜାତି। ଆଜି ମଣିଷ ଗୋଲମ ଏଠି, ଅଫିସ ରେ, ଘରେ, ଫୋନରେ ସବୁଠି। କଥା ମାନିବ ତ ମାନିବ, ନଚେତ ଗାଳି, ଫୋପଡା ଫିଙ୍ଗା, ମରିବାର ଧମକ। ଛି….ଧିକ ଏ ଜୀବନ। ମରିଯିବ କି? ସବୁଥିରୁ ରକ୍ଷା ପାଇଯିବ ମଣିଷ। ଆତ୍ମହତ୍ୟା ଟା ଧକ କଲା ମୁଣ୍ଡ ଭିତରେ I ମୁକ୍ତି ଚାହୁଁଥିଲା ସେ I ଏ ଟେନସନ, ବାହାଘର, ଅଲଗା ଜାତି, ସମାଜ ସବୁଥିରୁ ମୁକ୍ତି। ଅପର ପଟେ ପୁଣି ମନକୁ ଆସିଲା, ମରିବ କିଆଁ? ଏତେ କଷ୍ଟ ରେ ଜୀବନ ଟେ ମିଳିଛି, ତାକୁ ଉପଭୋଗ ନକରି ନିଜକୁ ନିଜେ କାହିଁକି ହତ୍ୟା କରିବ? ମରିବା ଆଉ ସବୁ ଛାଡି କୌଣସି ଏକ ଦୂର ଜାଗାକୁ ଚାଲିଯିବା ଏକା କଥା। ଫରକ ଏତିକି ବଞ୍ଚିଛି ବୋଲି ସମସ୍ତଙ୍କର ଆଶା ଟିକେ ରହିବ। ରହୁ, କଣ ହେଲା? ଜାଣନ୍ତୁ, ବଞ୍ଚିଛି ବୋଲି। ଛାତ ଉପରେ ଏକ କୋଣରେ ବସି ସିଗାରେଟ ଖଣ୍ଡେ ଲଗେଇଲା ସେ। ମଣିଷ ଜୀବନ ସିଗାରେଟ ଠୁ ବି ହୀନ। ୟାକୁ କେହି ଜଣେ ତ ଦରକାର କରୁଛି, ଖୋଜୁଛି। ପକେଟ ରେ ଥାଇ, ଘର ଲୋକଙ୍କ ହାତରେ ଧରା ପଡିଲେ ମାରାତ୍ମକ ଯେତିକି, ଦରକାର ବେଳେ ନ ମିଳିଲେ ଖୋଜା ପଡେ ସେତିକି। ପାଇ ସାରି ନିଆଁ ଲଗେଇଦେଲେ, ନିଜେ ତ ଜଳେ, ଅନ୍ୟକୁ ବି ଜଳାଏ। ଶେଷରେ ମୁଠେ ପାଉଁଶ। ନିଜେ ବି ଆଉ ଟାଣିଲା ଲୋକ ବି। ମନ ଭିତରୁ ଏତକ ଗୁରୁଜ୍ଞାନ ପାଇଲା ପରେ ଅଧା ଜଳା ସିଗାରେଟ କୁ ଫିଙ୍ଗି ଦେଲା ସେ। ମନ ମାନୁନି ଜମା। ସେ ଆଜି ଅଲଜ୍ୟା, ବେଲଜ୍ୟା, ନିଲଜ୍ୟା ପାଲଟି ଯାଇଛି। ମନ୍ଦିର ଘଣ୍ଟି ତ । ଯିଏ ଆସିବ ବଜେଇବ, ଯିଏ ଯିବ ସେ ବି ବଜେଇବ, କିଛି ତ ସେଇଠି ଠିଆ ହୋଇ ବଜାଉଥିବେ ଅହରହ…. ତା ଜୀବନ ବି ଏମିତି ହୋଇ ଯାଇନି କି ଏବେ?? ଅଫିସ ରେ ବସ, ଘରେ ପ୍ରେମିକା, ଫୋନ ରେ ମା, ଫେସବୁକ ରେ ସାଙ୍ଗସାଥୀ, whatsapp ରେ ବନ୍ଧୁ ବାନ୍ଧବ। ଯିଏ ଯେତେବେଳେ ଯାହା ଚାହିଁଲା ଶୁଣେଇଲା। ଛିଃ…..କହି ପୁଣି ସିଗାରେଟ ଟିଏ ଲଗେଇଲା ସେ। ଗୁରୁଜ୍ଞାନ ଭୁଲି ଯାଇଥିଲା ଏବେ। ମନ ଥୟ ହେଉନଥିଲା । କେମିତି କେମିତି ବିଚଳିତ ଲାଗୁଥିଲା….ଠିକ କଲା,”କାହାକୁ କିଛି ନକହି, କେଉଁ ଏକ ଅଜଣା ଜାଗାକୁ ଚାଲିଯିବ ସେ। ଯେଉଁଠି କେହି ୟାକୁ ଚିହ୍ନିନଥିବେ କି ଘରେ ଖବର ଦେବାକୁ କେହି ପାଉ ନଥିବେ। ସେ କେବଳ ଏକା ନିଜକୁ ଚିହ୍ନିଥିବ, ଆଉ କେହି ନୁହେଁ। ” ଏବେ ସେ, ଘରଛାଡି ଯିବାକଥା ଭାବି ଟିକେ ଦୁଃଖିତ ହୋଇଗଲା। ଯଦି ସେ ସବୁ ଛାଡି କୁଆଡେ ପଳେଇଲା ତା ପରେ ହେବ କଣ? ସେ ଚିନ୍ତା କରିବାକୁ ଲାଗିଲା। କାହା ପାଇଁ କିଛି ଅଟକି ଯାଏ ନାହିଁ। କେହି ଜଣେ ନ ରହିଲେ ତା କାମ ଯେ ଅଟକି ରହିବ, ସେ କଥା ନୁହେଁ। କାମ ତା ବାଟରେ ଚାଲିବ, ତୁମେ କର କି ଆଉ କିଏ କରୁ। ମୋବାଇଲ ବାହାର କରି ଦୁଇଟି ଚିଠି ଲେଖିବ ବୋଲି ସେ ନିଷ୍ପତ୍ତି ନେଲା। ଗୋଟେ ମିନାକ୍ଷୀ ପାଖକୁ ଆଉ ଗୋଟେ ଘରକୁ, ବାପା ମା ଙ୍କ ପାଇଁ। କାଗଜ କଲମ ରେ ଲେଖିବାର ଅଭ୍ୟାସ ଆଉ ନାହିଁ, ଅକ୍ଷର ତ ତଦ୍ରୁପ। ତେଣୁ whatsapp ଲେଖି ମେସେଜ କରିବ ବୋଲି ଭାବି ଲେଖା ଆରମ୍ଭ କଲା। କ୍ରମଶଃ….. ଭାଗ ୨ ପୁଣି ପରେ….ସୁବଳ ମହାପାତ୍ର,ଖଲାରୀ, ଅନୁଗୁଳ, ଓଡିଶା