ବନ୍ୟା ପାଣିରେ ଉଜୁଡିଲା ଚାଷ : ପରିବାଦର ଆକାଶ ଛୁଆଁ, ଖାଉଟି ହନ୍ତସନ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ ମାର୍ଚ୍ଚ ମାସ ଠାରୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଖେଳି ଯାଇଥିବା ବେଳେ ବେଶ୍‌ କିଛି ଦିନ ହେଲା ପୁରା ରାଜ୍ୟକୁ କବଳିତ କରି ରଖିଛି ବନ୍ୟା । ଜୁଆଡେ ଆଖି ବୁଲାଇଲେ କେବଳ ପାଣି ଆଉ ପାଣି । ଏଭଳି ସମୟରେ ଫସଲ ଉଜୁଡି ଯିବାଟା ତ ନିଶ୍ଚିତ । ତେବେ ଲଗାଣ ବର୍ଷା ଓ ତା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ସିଧାସଳଖ ପ୍ରଭାବ ଏବେ ପରିବା ବଜାର ଉପରେ ପଡିଛି । ବାଇଗଣ ଠାରୁ ଆରମ୍ଭ କରି କଲରା ଅବା ଝୁଡଙ୍ଗ ସବୁର ଦର ୨ ଗୁଣ ବଢିଛି । ଏପରି ସ୍ଥଳେ ଖାଉଟି, ଖାସ କରି ମଧ୍ୟ ବିତ୍ତମାନଙ୍କର ଚିନ୍ତା ବଢି ଯିବାଟା ତ ସ୍ବାଭାବିକ । ନଦୀରୁ ପାଣି ଛାଡିବା ଆରମ୍ଭ ହୋଇଛି । ୪ ଦିନ ତଳେ ଯେଉଁ ଦୃଶ୍ୟ ଥିଲା, ତାହା ଆଜି ନାହିଁ । ହେଲେ ଗାଁ ଦାଣ୍ତାରୁ ପାଣି ଯାଇନି । ଆଉ ଗାଁ ଗହୀର କଥା ନ କହିବା ଭଲ । କଟକ ଜିଲ୍ଲାର ଏମିତି କିଛି ସ୍ଥାନରେ ବନ୍ୟାପାଣି ପସିଛି, ଯେଉଁଠି ଆଖି ବୁଲାଇଲେ କେବଳ ପାଣି ଆଉ ପାଣି । ବାଙ୍କୀ ଉପଖଣ୍ତ ଓ ଆଠଗଡ ଉପଖଣ୍ତରେ ଚାଷକୁ ଖୁବ ପ୍ରଭାବିତ କରିଛି ବନ୍ୟା । ହଜାର ହଜାର ହେକ୍ଟର ଜମିରେ ସପ୍ତାହେ ହେଲା ପାଣି ଭରି ହୋଇ ରହିଛି । ତେଣେ କୃଷି ବିଭାଗର ପ୍ରାଥମିକ ଆକଳନ ଅନୁସାରେ କଟକ ଜିଲ୍ଲାରେ ୩୫ ହଜାର ୯୫୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ପ୍ରଥମେ ଲଗାଣବର୍ଷା ପରେ ପରେ ମହାନଦୀରେ ବନ୍ୟା ଆସିବା କାରଣରୁ ଚାଷ ଉଜୁଡିଯାଇଛି । ଯାହାର ସିଧାସଳଖ ପ୍ରଭାବ ଏବେ ପରିବା ବଜାର ଉପରେ ପଡିଛି । ଆଜି କଟକର ବିଭିନ୍ନ ପରିବା ହାଟରେ ଦର ରହିଛି କିଛି ଏହି ପରି, ଭେଣ୍ତି କିଲୋ ୮୦ ଟଙ୍କା, କଲରା ୭୦, ଝୁଡଙ୍ଗ ୮୦, ପୋଟଳ, ୯୦ ଏବଂ ବାଇଗଣ କିଲୋ ପ୍ରତି ଦର ୬୦ ଟଙ୍କା । ଏପରିକି ଲଙ୍କା କିଲୋ ଆସି ୨୦୦ ଟଙ୍କାରେ ପହଞ୍ଚିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା