ବନ୍ୟା ପ୍ରଭାବିତ ଜିଲ୍ଲାଗୁୁଡିକରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ:ସ୍ୱାସ୍ଥ୍ୟ ସଚିବ

ଭବନେଶ୍ୱର (ଆକାଶ ମିଶ୍ର) – ବନ୍ୟା ପ୍ରଭାବିତ ଜିଲ୍ଲାଗୁୁଡିକରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।ବନ୍ୟା ପରବର୍ତ୍ତୀ ଝାଡା, ବାନ୍ତି, ଥଣ୍ଡାଜ୍ୱର, ମ୍ୟାଲେରିଆ, ଡେଙ୍ଗୁ, କାମଳ ରୋଗ ଆଦି ପାଇଁ ସତର୍କ ଦୃଷ୍ଟି ରଖି ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଓ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମେଦ କୁମାର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସେ ନେଇ ଆମକୁ ସଜାଗ ରହିବାକୁ ହେବ ବୋଲି ଡାଃ ମେହେର୍ଦ୍ଦୋ କହିଛନ୍ତି । ବନ୍ୟା ପରବର୍ତି ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାଃ ମେହେର୍ଦ୍ଦା ଆଜି ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।ଏଥି ପାଇଁ ଆମକୁ ସର୍ବେକ୍ଷଣ ବ୍ୟବସ୍ଥାକୁ ଅଧିକ ଚଳଚଂଚଳ କରିବାକୁ ପଡିବ । କୌଣସି ସ୍ଥାନରେ ଦେଖା ଦେଉଥିବା ଯେ କୌଣସି ପ୍ରକାର ରୋଗ ସଂପର୍କରେ ନିୟମିତ ତଥ୍ୟ ସଂଗ୍ରହ ପୂର୍ବକ ତ୍ୱରିତ ପଦକ୍ଷେପ ଗ୍ରହଣ କରିଯିବା ଉପରେ ଗୁରୁତ୍ୱ ଆରୋପ କରି ରାଜ୍ୟ ସମ୍ମନ୍ୱିତ ରୋଗ ସର୍ବେକ୍ଷଣ ସେଲ୍ ଏ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ମୂତାବକ ଏ ପର୍ଯ୍ୟନ୍ତ ୫୪ ଜଣ ଡାକ୍ତରଙ୍କୁ ବାହାରୁ ଆଣି ପ୍ରଭାବିତ ଜିଲ୍ଲାଗୁଡିକରେ ମୁତୟନ କରାଯାଇଛି । ୮୨ ଟି ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ୮୫ ଟି ଭ୍ରାମ୍ୟମାଣ ଚିକିତ୍ସକଦଳ ନିୟୋଜିତ ହୋଇଛନ୍ତି ।ଏହି ଭ୍ରାମ୍ୟମାଣ ଚିକିତ୍ସକ ଦଳ ପ୍ରାୟ ୩୫୦୦ ଉଦ୍ଧ୍ୱର୍ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଇଛନ୍ତି । ପ୍ରଭାବିତ ଜିଲ୍ଲାଗୁିକରେ ୧୮୬୨୮ ଜଳାଶୟ ବିଶୋଧନ କରାଯାଇଛି । ଗାଁ କଲ୍ୟାଣ ସମିତି ଗୁଡିକ ନିଜ ନିଜ ଗ୍ରାମ ପରିମଳ ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ପ୍ରାୟ ୫୪୦ ଟି ଗ୍ରାମରେ ସଫେଇ କାର୍ଯ ସମ୍ପନ୍ନ କରାଯାଇଥିବା ଜଣାପଡିଛି । ସବୁ ସ୍ଥାନରେ ଆବଶ୍ୟକୀୟ ଔଷଧ , ସାଲାଇନ , ସାପକାମୁଡା ଓଷଧ , ଓ.ଆର୍.ଏସ୍ , ହାଲୋଜେନ ବଟିକା ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ଏବଂ ଆବଶ୍ୟକ ପଡିଲେ ତୁରନ୍ତ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।କ୍ଷେତ୍ରସ୍ତରରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀମାନେ ତଦାରଖ କରୁଛନ୍ତି । ବନ୍ୟାପରବର୍ତି ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଛି । ଏଥିନିମନ୍ତେ ଗଣମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ବାର୍ତା ପ୍ରଚାର ଓ ପ୍ରସାର ସହିତ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରାଯିବ ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।