ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅବ୍ୟବହିତ ପୂର୍ବରୁ ତାଙ୍କ ହେଲିପ୍ୟାଡ୍ ନିର୍ମାଣ ପାଇଁ ବଲାଙ୍ଗୀର ରେଳଷ୍ଟେସନ୍ ପଡ଼ିଆରେ ପ୍ରଶାସନ ପକ୍ଷରୁ ୧୦ ହଜାର ଗଛ କଟାଯାଇଛି । ପରିବେଶ ସନ୍ତୁଳନ ଓ ସ୍ୱଚ୍ଛ ଭାରତ ନାରା ଦେଉଥିବା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଗଛ କାଟି ପରିବେଶକୁ ଧ୍ୱଂସ କରିଥିବା ପ୍ରଶାସନ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଗତକାଲି ସମାଜବାଦୀ ପାର୍ଟି ଗ୍ରୀନ୍ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛି । ଆଜି ଦଳ ପକ୍ଷରୁ ପାର୍ଟିର ରାଜ୍ୟସଭାପତି ରବି ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ହାତରେ ଗଛ ଚାରା ଧରି ମାଷ୍ଟରକ୍ୟାଂଟିନଠାରୁ ଏକ ଶୋଭାଯାତ୍ରାରେ ବାହାରି ପି.ଏମ୍.ଜି. ଛକ ପର୍ଯ୍ୟନ୍ତ ଆସି ବିକ୍ଷୋଭ ପ୍ରଦର୍ଶନ କରଥିଲେ । ଏହି ବିକ୍ଷୋଭରେ ହେଲିପ୍ୟାଡ୍ ନିର୍ମାଣ ପାଇଁ ପରିବେଶକୁ ଧ୍ୱଂସ କରିବା ଚଳିବ ନାହିଁ, ଗଛ କାଟି ହେଲିପ୍ୟାଡ୍ ନିର୍ମାଣ ବନ୍ଦ କର, ବିନା ଅନୁମତିରେ ଆଇନ୍ ଉଲ୍ଲଙ୍ଘନ କରିଥିବା ବିଭାଗୀୟ କର୍ମକର୍ତାଙ୍କୁ ଦଣ୍ଡ ଦେବା ଆମର ଦାବି, ପରିବେଶ ସନ୍ତୁଳନ ଓ ସ୍ୱଚ୍ଛ ଭାରତର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ଜବାବ ଦିଅ ଆଦି ସ୍ଲୋଗାନ ଦେଇ କର୍ମୀମାନେ ହାତରେ ଗଛଚାରା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଠାରେ ଉଲ୍ଲେଖ ଥାଉକି, ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜକୋଷରୁ ୧୦ ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରେଳ ବିଭାଗ ପଡ଼ିଆରେ ବୃକ୍ଷରୋପଣ କରାଯାଇଥିଲା । ବିଗତ ୩ ବର୍ଷ ଭିତରେ ଗଛ ଗୁଡ଼ିକ ପ୍ରାୟ ୬/୭ ଫୁଟ ଉଚ୍ଚ ହୋଇଯାଇଥିଲା । ବଲାଙ୍ଗୀର ଭଳି ଏକ ଉତପ୍ତ ଜିଲ୍ଲାରେ ପରିବେଶ ସୁରକ୍ଷାକୁ ଅଣଦେଖା କରି ଏହି ବେଆଇନ୍ ଗଛକଟା ଆଦୌ ସ୍ପୃହଣୀୟ ନୁହେଁ ବୋଲି ଦଳ ଅଭିଯୋଗ କରିଛି । ବେଆଇନ୍ ଗଛକଟାକୁ ଅନୁମତି ଦେଇଥିବା ପଦାଧିକାରୀଙ୍କ ଦରମାରୁ ପଇସା କଟାଯାଇ ପୁନର୍ବାର ବୃକ୍ଷରୋପଣ କରିବାକୁ ଦଳ ପକ୍ଷରୁ ଏହି ବିକ୍ଷୋଭ ଜରିଆରେ ଦାବି କରାଯାଇଛି । ପ୍ରଶାସନ ଓ ଜଙ୍ଗଲ ବିଭାଗର ବିନା ଅନୁମତିରେ ଏ ଯେଉଁ ବେଆଇନ୍ ଗଛ କାଟି ହେଲିପ୍ୟାଡ ନିର୍ମାଣ କରାଗଲା ତାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସ୍ୱୟଂ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଂଜୟ ନାୟକ, ଯୁବନେତା ସମ୍ବିତ୍ ଦାସ, ପ୍ରଦୀପ ମିଶ୍ର, ସୁଶୀଲ ହୋତା, ସୁନୀଲ ମିଶ୍ର, ଚାଷୀନେତା ବିଜୟ ବେହେରା, ନାରୀନେତ୍ରୀ ସାବିତ୍ରୀ ବେହେରା ଓ ଛାତ୍ରନେତା ରାଜ୍ୟପ୍ରିୟ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏଠାରେ ଉଲ୍ଲେଖଥାଉକି, ଢେଙ୍କାନାଳରେ ମଦକାରଖାନା ବସାଇବା ପାଇଁ ଏକ ହଜାର ଗଛ କଟାଯାଇଥିବା ବେଳେ ଜନମତ ଚାପରେ ରାଜ୍ୟ ସରକାର ଏହାକୁ ବନ୍ଦ କରିଦେଇଥିଲେ । ସେହିଭଳି ବଲାଙ୍ଗୀରରେ ଗଛକଟା ପାଇଁ ଦାୟୀ ରେଳ ବିଭାଗ, ପି.ଡବ୍ଲ୍ୟୁଡି. ବିଭାଗ ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଏକ ତଦନ୍ତକାରୀ କମିଟି ଘଟଣାସ୍ଥଳକୁ ପଠାଇବା ପାଇଁ ଦଳ ଦାବି କରୁଛି । ଢେଙ୍କାନାଳ ଘଟଣାରେ ରାଜ୍ୟ ସରକାର ଯେଉଁଭଳି ତତ୍ପରତା ପ୍ରକାଶ କରିଥିଲେ ଏହି ଘଟଣାରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି ।
ରିପୋର୍ଟ : ଆକାଶ ମିଶ୍ର