ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବିପିଏଲ ପରିବାରକୁ ପାଇପ ଜାରିଆରେ ପିଇବା ପାଣି ଯୋଗାଇ ଦେବା ପାଇଁ ଅଧିକା ଟଙ୍କା ଆଦାୟ କରାଯାଉଥିବା ପ୍ରତିବାଦରେ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନ୍ତ୍ୟୋଦୟ ଯୋଜନାରେ ଚାଉଳ ପାଉଥିବା ପରିବାରକୁ ପାଇପ ସଂଯୋଗ ମାଗଣା ଏବଂ ଖାଉଟି ସୁରକ୍ଷା କାର୍ଡ ରହିଥିବା ପରିବାରକୁ ସରକାର ୫ ଶହ ୫ ଟଙ୍କା ଧାର୍ଯ୍ୟ କରିଛନ୍ତି । କିନ୍ତୁ, ବିଭାଗୀୟ କର୍ତ୍ତୃପକ୍ଷ ଅନ୍ତୋଦୟ ପରିବାରଙ୍କ ଠାରୁ ୬ ଶହ ଟଙ୍କା ଏବଂ ଖାଉଟି ସୁରକ୍ଷା କାର୍ଡ ଧାରୀଙ୍କ ଠାରୁ ୧୨ଶହ ଟଙ୍କା ନେଉଥିବା ସଂପର୍କରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେହିଭଳି ଅଧିକାଂଶ ପରିବାର ଦାବି ମୁତାବକ ଟଙ୍କା ପୈଠ କରିବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଇପ ସଂଯୋଗ ପାଇନାହାନ୍ତି ବୋଲି ମଧ୍ୟ ଅଭିଯୋଗ କରାଯାଇଥିଲା । ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଦାନ କରିଥିବା ଅଭିଯୋଗ ପତ୍ର ଉପରେ ସହକାରୀ ଯନ୍ତ୍ରୀ ସ୍ୱାଗତ ଚନ୍ଦ୍ର ନାୟକ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିକ୍ଷୋଭ ପ୍ରଦର୍ଶନରେ ଦୁର୍ଗା ପ୍ରସାଦ ଗୟା, ବବୁନି ଗୟା, ଲକ୍ଷ୍ମୀ ଧବଳ, ଏଲ ଈଶ୍ୱର ରାଓ, ହେମଲତା ବେନିଆଙ୍କ ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା