





ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସଦର ପୋଲିସ ବହୁ ପୁରୁଣା ଗୁଟଖା କମ୍ପାନୀ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମେସିନ ସାମଗ୍ରୀ ଜବତ କରିବା ସହ ଆଜି ସମ୍ପୃକ୍ତ ୬ ଜଣକୁ ଗିରଫ କରିଛି । କମ୍ପାନୀ ମାଲିକ ରବୀନ୍ଦ୍ର ସାହୁ ଫେରାର ଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ପୋଲିସ ଲୋଚାପଡା ଓ ଯୋଗିଆ ପଲ୍ଲୀ ପାଖାପାଖି ଥିବା ଟେକନୋ ପାର୍କର ଏ ୩୫ କୋଠରୀରେ ଚଢ଼ାଉ କରି ସେଠାରେ ଚାଲିଥିବା ବେଆଇନ ଗୁଟଖା କମ୍ପାନୀର ପର୍ଦାଫାସ କରିଛି । ୧୧୫ ଟି ଗୁଟଖା ବସ୍ତା ଜବତ କରିବା ସହ ଗୁଟଖା ପ୍ରସ୍ତୁତ କରାଯାଉଥିବା ୪ ଟି ମେସିନ ମଧ୍ୟ ଜବତ କରିଛି । ଚାରିଆଡେ ଲକ ଡାଉନ ଚାଲିଥିବା ବେଳେ ଏହି କମ୍ପାନୀର ମାଲିକ ବାହାର ପଟେ ତାଲା ପକାଇ ଭିତରେ ବେଆଇନ ଭାବେ ଗୁଟଖା ପ୍ରସ୍ତୁତ ଚଳାଇଥିଲା। କୌଣସି ସୂତ୍ରରୁ ସୂଚନା ପାଇ ଆଜି ସଦର ଥାନା ପୋଲିସ ଚଢ଼ାଉ କରି ଏହି କମ୍ପାନୀକୁ ଠାବ କରିଛି । ଏହି କାରବାରରେ ସମ୍ପକ୍ତ ଥିବା ୬ ଜଣ ଶ୍ରମିକଙ୍କୁ ଥାନାରେ ନେଇ ପଚାର ଉଚରା କରି ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ଅଣ ଓଡିଆ ଶ୍ରମିକ ରହିଛନ୍ତି । ତେବେ ଗତ କିଛି ମାସ ହେଲା ବ୍ରହ୍ମପୁର ପୋଲିସ ପକ୍ଷରୁ ଗୁଟଖା ବେପାରୀଙ୍କ ଉପରେ ଚଢ଼ାଉ ପୋଲିସ କରୁ ନ ଥିବାରୁ ସହରର ଆଖପାଖ ଅଞ୍ଚଳରେ ବେପାରୀମାନେ ଗୁଟଖା କମ୍ପାନୀ ଖୋଲି କାରବାର ଚଳାଇ ଆସୁଥିଲେ । ସୁତରାଂ ଏହି କମ୍ପାନୀର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସାହୁ ଫେରାର ଥିବା ପୋଲିସ କହିଛି । ଅନ୍ୟପକ୍ଷରେ ଟେକନୋ ପାର୍କରେ ଚାଲିଥିବା ଏହି ନକଲି ଗୁଟଖା କମ୍ପାନୀକୁ ଆଜି ପୋଲିସ ସିଜ କରିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା