ବହୁ ବିଜେପି ନେତା ଟିକଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ବିଜେଡିରେ ଯୋଗ ଦେଇଛନ୍ତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପିର ଟିକଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ବରିଷ୍ଠ ନେତାଙ୍କୁ ଉପେକ୍ଷା କରାଯାଇଥିବାରୁ ଏହାର ପ୍ରତିବାଦ କରି ଗତକାଲି ବହୁ ବିଜେପି କର୍ମୀ ବିଜେଡ଼ିରେ ଯୋଗ ଦେଇଛନ୍ତି । ବିଜେପିର ଘୁମୁସର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅନୀଲ୍ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୨୨ ଜଣ କର୍ମକର୍ତ୍ତା ବିଜେପିକୁ ଛାଡି ବିଜେଡ଼ିରେ ଯୋଗ ଦେଇଛନ୍ତି । ଦଳବଦଳ କରିଥିବା ଏହି କର୍ମକର୍ତ୍ତାମାନେ ପିତଳ ମଣ୍ଡଳ ବିଜେପିର ବିଭିନ୍ନ ପଦପଦବୀରେ ରହିଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ସର୍ବାଙ୍ଗୀନ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମରେ ଅନୁପ୍ରାଣୀତ ହୋଇ ଏହି କର୍ମକର୍ତ୍ତାମାନେ ବିଜେଡ଼ି ଦଳରେ ଯୋଗା ଦେଇଥିବା ଏହି ଅବସରରେ କହିଛନ୍ତି । ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି କର୍ମକର୍ତ୍ତାମାନେ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିଜେଡ଼ିରେ ସାମିଲ୍ ହୋଇଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ଅନୀଲ୍ କୁମାର ମହାପାତ୍ର, ଭିକା ବେହେରା, ରୁକୁଣି ବେହେରା, ସିମାଂଚଳ ମହାନ୍ତି, ଶୁକରାମ ବେହେରା, ଅମରେନ୍ଦ୍ର ମିଶ୍ର, କେ.ଗଣେଶ, ଅମର ସେଠୀ, ଭାବଗ୍ରାହୀ ପରିଡ଼ା, ଜି.ସୁମ୍ବେଶ୍ୱର ରାଓ ପ୍ରମୁଖ ୨୨ ଜଣ ରହିଛନ୍ତି । ଏ ସଂପର୍କରେ ବ୍ରହ୍ମପୁର କୋର୍ଟପେଟା ଛକ ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡ଼ି ସଭାପତି ଡ଼.ପାଣିଗ୍ରାହୀ ସୂଚନା ଦେଇଛନ୍ତି ।  

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା