ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ପୋଲିସ ବାଇକ୍ ଓ ଟଙ୍କା ଲୁଟ୍ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସେମାନେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ରାଜ କୁମାର ସେଠୀ, ସଦର ଥାନା ଅଧୀନ କୁମ୍ଭାର ସାହିର ସୁରଜ ପରିଡା ଓ ପଶ୍ଚିମବଙ୍ଗ ଅଞ୍ଚଳର ଏମ୍. ଡି. ଅରମାନ୍ ବୋଲି ଜଣାପଡିଛି । ଏମାନଙ୍କୁ ଗତକାଲି କୋର୍ଟଚାଲାଣ କରାଯାଇଥିବା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ବ୍ରହ୍ମପୁର ବଡବଜାର, ସଦର, ଗୋଳନ୍ଥରା ଓ ଟାଉନ ଥାନାରେ ଏକାଧିକ ମାମଲା ରହିଛି । ୫ ତାରିଖ ଭୋରରେ ବ୍ରହ୍ମପୁର ବଡ ବଜାର ଥାନା ଅଧୀନ ନୃସିଂହ ମନ୍ଦିର ରୋଡ୍ରେ ଥିବା ବିଶ୍ୱନାଥ ଆଚାର୍ଯ୍ୟ ଘର ବାହାରେ ଥିବା ବାଇକ୍କୁ ଅଭିଯୁକ୍ତମାନେ ଚୋରି କରି ଆଣିଥିଲେ । ଏହାପରେ ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଉଜ୍ଜଳେଶ୍ୱରୀ ମନ୍ଦିର ନିକଟରେ ବାଇକରେ ଆସୁଥିବା ବିପୁଳିଙ୍ଗିର ତଥା ଲକ୍ଷ୍ମୀପୁର ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଶାନ୍ତନୁ କୁମାର ସେଠୀଙ୍କୁ ଅଟକାଇ ମାଡ ମାରି ୧ ହଜାର ଟଙ୍କା ଓ ଡ୍ରାଇଭିଂ ଲାଇସେନ୍ସ ନେଇ ଚାଲି ଯାଇଥିଲେ । ଏ ନେଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ସେଠୀ ଛତ୍ରପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏହାପରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ବାଇକ୍ ଜବତ କରିଛି ବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା