ବାଜପେୟୀଙ୍କ ଦେଶପ୍ରେମ, କର୍ତ୍ତବ୍ୟ ଓ ସ୍ୱାଭିମାନର ମହାପୋଥିଙ୍କୁ ଯୁବପିଢ଼ି ପଢ଼ିବା ଆବଶ୍ୟକ : ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ହେଉଛନ୍ତି ଏ ଦେଶର ଗର୍ବ ଓ ଗୌରବ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶର ପ୍ରଗତି ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ ତାହା ଇତିହାସରେ ଆଜି ବି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିଛି । ଅଟଳଜୀଙ୍କ ଦେଶପ୍ରେମ, ଆଦର୍ଶ ଓ ସ୍ୱାଭିମାନକୁ ପାଥେୟ କରି ଯୁବପିଢ଼ି ରାଷ୍ଟ୍ରନିର୍ମାଣ ପାଇଁ ଆଗେଇ ଆସନ୍ତୁ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଅଟଳ ବିହାରୀ ବାଜପେୟୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଭାରତରତ୍ନ ଅଟଳ ବିହାରୀ ବାଜେପୟୀଙ୍କ ଷଷ୍ଠ ପୁଣ୍ୟତିଥି ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଅଟଳଜୀଙ୍କ ରାଜନୈତିକ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ପ୍ରତିଟି କ୍ଷଣ ଆମ ସମସ୍ତଙ୍କ ପାଇଁ ବେଶ୍‌ ମୂଲ୍ୟବାନ । ସ୍ୱାଭିମାନର ମୂର୍ତ୍ତିମନ୍ତ ପୁରୁଷ ବାଜପେୟୀଙ୍କ ପ୍ରତିଟି ନିଷ୍ପତ୍ତି ଦେଶ ଓ ଜାତିକୁ ସର୍ବୋଚ୍ଚ ସ୍ତରକୁ ନେବା ପାଇଁ ଉଦ୍ଦିଷ୍ଟ ଥିଲା । ନିଜର ବିରୋଧୀ ତଥା ସମାଲୋଚକଙ୍କୁ ସମ୍ମାନ ଦେବା ସହିତ ଦେଶର ହିତ ପାଇଁ ଯେତେସବୁ କାର୍ଯ୍ୟକରି ଯାଇଛନ୍ତି ତାହା ତାଙ୍କୁ ଆଜିବି ଅମର କରି ରଖିଛି । ତେଣୁ ଅଟଳଜୀଙ୍କ ଆଦର୍ଶଗତ ମହାପୋଥିକୁ ସମସ୍ତେ ପଢ଼ିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଯୁବପିଢ଼ିଙ୍କୁ କହିଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ବିଚାରପତି ଶ୍ରୀ ଉମାଚରଣ ମିଶ୍ର ଭାରତର ସମ୍ବିଧାନ, ନ୍ୟାୟ ବ୍ୟବସ୍ଥା ଓ ସାମ୍ପ୍ରତିକ ସମୟରେ ବାଜପେୟୀଙ୍କ ଭଳି ମହାନ ନେତାଙ୍କ ଆଦର୍ଶ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଧ୍ୟାପକ ବିଶ୍ୱରଞ୍ଜନ କହିଲେ ଯେ ଦେଶର ନେତୃତ୍ୱ ଯେତେବେଳେ ଏକ ପ୍ରଜ୍ଞାଶୀଳ ବ୍ୟକ୍ତିତ୍ୱ ହାତରେ ନ୍ୟସ୍ତ ହୁଏ ସେତେବେଳେ ଉଦିତ ହୁଏ ପ୍ରଗତିର ସୂର୍ଯ୍ୟ । ଭାରତରତ୍ନ ଅଟଳବିହାରୀ ବାଜପେୟୀ ନିଜର କର୍ମ, ବାଣୀ, ଅଭିଜ୍ଞତା ଓ ସ୍ୱାଭିମାନର ବ୍ୟକ୍ତିତ୍ୱ ବଳରେ ଦେଶବାସୀଙ୍କ ହୃଦୟ ଜୟ କରିଥିଲେ । ତାଙ୍କର ସରଳ ଓ ଦୃଢ଼ ଅଭିବ୍ୟକ୍ତି ଦେଶର ଅସ୍ମିତାକୁ ବିଶ୍ୱବ୍ୟାପୀ କରିପାରିଥିଲା । ବିଶିଷ୍ଟ ପରିବେଶବିତ୍‌ ବିପିନ୍‌ ବିହାରୀ ମିଶ୍ର କହିଲେ ଯେ ଦୃଢ଼ ନିଷ୍ପତ୍ତି, କର୍ମ ଓ ସାହସ ହେଉଛି ଅଟଳଜୀଙ୍କ ସ୍ୱତନ୍ତ୍ର ପରିଚୟ । ଇଂ ସୁଧାକର ପତି୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଆପୋଲୋ ହସ୍‌ପିଟାଲର ସିଇଓ ଆଲୋକ ଶ୍ରୀବାସ୍ତବ ଏବଂ ଡ. ବଂଶୀଧର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୂର୍ବତନ ପ୍ରଧନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଶ୍ରୀ ବିଭୂତି କୁମାର ରାୟ, ଡ. ଆଲୋକ ଶ୍ରୀବାସ୍ତବ, ଶ୍ରୀ ସଂଜୟ କୁମାର ପଟ୍ଟନାୟକ, ଶ୍ରୀ ବାଳକୃଷ୍ଣ ରାଉତ, ଶ୍ରୀ ରିତେଶ ଅଗ୍ରୱାଲ, ଶ୍ରୀ ଟିଟନ୍‌ ସାହୁ, ଶ୍ରୀ ଜୀବନଜ୍ୟୋତି ବାରିକ, ଶ୍ରୀ ସୁକାନ୍ତ କୁମାର ମହାନ୍ତି ପ୍ରମୁଖଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା ।

ରିପୋର୍ଟ : ରଜତ ମହାପାତ୍ର ଓ ସୁଜିତ ରଞ୍ଜନ ସ୍ୱାଇଁ, ଲୋକସମ୍ପର୍କ ଅଧିକାରୀ