
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅଢ଼େଇ ଦିନର ସମୀକ୍ଷା ପରେ ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଟିମ୍ର ମିଳିତ ବୈଠକ ଅନୁଷ୍ଠିତ ହୋଇଛି । ବାତ୍ୟାରେ ରାଜ୍ୟର ୧୨ ହଜାର କୋଟିର କ୍ଷୟକ୍ଷତି ହୋଇଥିବା ପ୍ରାଥିମିକ ରିପୋର୍ଟ ଆଧାରରେ ଆକଳନ କରାଯାଇଛି । ସମ୍ପୂର୍ଣ୍ଣ ସର୍ଭେ ପରେ କ୍ଷତିର ପରିମାଣ ଆହୁରି ବଢ଼ିପାରେ । ଏ ନେଇ ଚଳିତ ମାସ ଶେଷ ସୁଦ୍ଧା ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ବୋଲି ବୈଠକ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ବୁଧବାର କେନ୍ଦ୍ରୀୟ ଟିମ୍ ସହିତ ବାତ୍ୟା କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ସମୀକ୍ଷାରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଟିମ୍ର ନେତୃତ୍ୱ ନେଇଥିବା କେନ୍ଦ୍ର ସରକାର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ କହିଛନ୍ତି । ଏହାଛଡା ସେ କହିଛନ୍ତି ଯେ, କଟକ ଓ ଅନ୍ୟାନ୍ୟ ଅଞ୍ଚଳରେ ବି କ୍ଷତି ହୋଇଛି । ଘର ଭାଙ୍ଗିଛି, ନଡ଼ିଆ ଗଛ ଭାଙ୍ଗିଛି ଓ ପାନ ବରଜ ନଷ୍ଟ ହୋଇଛି । ଏଥିପାଇଁ କ୍ଷତିପୂରଣ ମିଳିବ । ପାୱାର, ନେଟ୍ୱାର୍କ ଓ ଜୀବିକା ପାଇଁ ମନରେଗାରେ ବ୍ୟବସ୍ଥା କରାଯିବ । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସଚିବ କହିଛନ୍ତି । ସେହିପରି ବାତ୍ୟ ପରେ ରାଜ୍ୟର ପଦକ୍ଷେପକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଛି । ବିପନ୍ନଙ୍କୁ ରିଲିଫ୍, ପଲିଥିନ୍, ଖାଦ୍ୟ, ଓ ଟଙ୍କା ଆଦି ଯୋଗାଇ ଦେଇଥିବା ଶ୍ରୀ ଭରଦ୍ୱାଜ କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର