ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରା:ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିର ବୁଲାଣିଆ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଫଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାଇ ହ୍ୟୁମ୍ ପାଇପ ବୋଝେଇ ଏକ ଟ୍ରକ ଗତକାଲି ପାରଳାଖେମୁଣ୍ଡି ପଟରୁ ରା:ଉଦୟଗିରି ଆଡକୁ ଯାଉଥିବା ବେଳେ ବାଦପୁର ଘାଟିର ବୁଲାଣିଆ ରାସ୍ତାରେ ଅପର ପାର୍ଶ୍ଵରୁ ଆସୁଥିବା ଏକ ବାଇକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକ ଗୁରୁତର ହୋଇଥିବାବେଳେ ଟ୍ରକ’ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵର ପାହାଡ ତଳ ସିମେଣ୍ଟ କାନ୍ଥରେ ପିଟି ହୋଇଯାଇଥିଲା । ଫଳରେ ଟ୍ରକ ଡ୍ରାଇଭର ଓ ହେଲପର ମଧ୍ୟ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରୁ ତିନି ଜଣ ଆହତଙ୍କୁ ରା:ଉଦୟଗିରି ସ୍ଥିତ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ବାଇକ ଚାଳକର ମୃତ୍ୟୁ ଘଟିଥିଲା । ଏହାପରେ ଟ୍ରକ ଡ୍ରାଇଭର ରାଜା ରାଓ ଓ ହେଲପର ଜି.ଲକ୍ଷଣ ରାଓଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡିଥିବାରୁ ସେହି ଦୁଇ ଜଣଙ୍କୁ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମୃତ ବାଇକ ଚାଳକ ଅନୁଗୁର୍ ଗ୍ରାମର ବନ୍ଧୁ ମାଝୀ ବୋଲି ଜଣାପଡିଛି । ରା:ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ରା:ଉଦୟଗିରି ଥାନା ଆଗରେ ସେହି ମୃତ ଦେହକୁ ରଖି ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଟ୍ରକ ମାଲିକଙ୍କ ଠାରୁ ଆର୍ଥିକ ସହାୟତା ଦାବୀ କରି ରାସ୍ତା-ରୋକ ଆନ୍ଦୋଳନ କରିଥିଲେ । ଘଟଣା ସ୍ଥଳକୁ ରା:ଉଦୟଗିରି ଥାନା ଏସଡିପିଓ ଅଶୋକ କୁମାର ମହାନ୍ତି ଏବଂ ଥାନା ଅଧିକାରୀ ସ-ଦଳବଳେ ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ବୋଲି ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା