ବାରମ୍ବାର ପାୱାର କାଟ ଯୋଗୁଁ ଆସନ୍ତାକାଲିଠୁ ବିଜେପିର ଆନ୍ଦୋଳନ ଡାକରା

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟରେ ବାରମ୍ବାର ପାୱାର କାଟ ଯୋଗୁଁ ଆସନ୍ତାକାଲିଠୁ ବିଜେପି ଆନ୍ଦୋଳନ ଡାକରା ଦେଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ବେଳେ ସହରାଂଚଳରେ ଘନଘନ ପାୱାର କଟ୍ ଓ ଗ୍ରାମାଂଚଳରେ ଘଣ୍ଟାଘଣ୍ଟା ଧରି ପାୱାର କଟ୍ ପ୍ରତିବାଦରେ ଆସନ୍ତାକାଲିଠୁ ୨ଦିନ ଧରି ବିଜେପି ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ଦୁଇ ଦିନ ତଳେ ଛାତ୍ର କଂଗ୍ରେସ ପକ୍ଷରୁ ଶକ୍ତି ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ କରାଯାଇ ଶକ୍ତିମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରାଯାଇଥିଲା । ତଥାପି ସୁଫଳ ନ ମିଳିବାରୁ ମୁଖ୍ୟ ଶାସନ ସଚିବ ଜରୁରୀ ବୈଠକ ଡାକି ଥିଲେ । ମନ୍ତ୍ରୀ ପାୱାର କାଟ ହେଉନାହିଁ ବୋଲି କହିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ପୁରୀରେ ମନ୍ତ୍ରୀଙ୍କୁ ଏ ନେଇ ସାମ୍ବାଦିକ ମାନେ ଗୋଡେଇ ଗୋଡେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ । ମନ୍ତ୍ରୀ ହଟହଟା ହୋଇ ଫେରିଲେ । ପାୱାର କଟ୍ ଯୋଗୁ ହନ୍ତସନ୍ତ ହେଉଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବା ପରିବର୍ତ୍ତେ ବିଜେଡି ଏବେ ପରୋକ୍ଷରେ ଟାଟା ପାୱାରକୁ ସମର୍ଥନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଅପରାହ୍ନରେ ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଜାରି ରହିଥିବା ଅଘୋଷିତ ପାୱାର କଟକୁ ନେଇ ଉଦବେଗ ପ୍ରକାଶ କରିବା ସହ ସାଧାରଣ ଲୋକେ କିଭଳି ଯନ୍ତ୍ରଣା ମଧ୍ୟରେ ରହିଛନ୍ତି ତାହା ଉଲ୍ଲେଖ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ସେ କହିଛନ୍ତି ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ ସାମାନ୍ୟ ବର୍ଷା, ପବନ, ଧୂଳିଝଡ଼ରେ ଯେଉଁଭଳି ଭାବରେ ମନଇଚ୍ଛା ବିଦ୍ୟୁତ୍ କାଟ କରାଯାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ୪୫ ଡିଗ୍ରୀ ଖରାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଜୁଳି କାଟ୍ ପ୍ରତିବାଦରେ ସାଧାରଣ ଉପଭୋକ୍ତା, ବୁଦ୍ଧିଜୀବି, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡିକ ସ୍ୱର ଉତ୍ତୋଳନ କଲେ ସୁଦ୍ଧା ଉଭୟ ଟାଟା ପାୱାର ଏବଂ ରାଜ୍ୟ ସରକାର ଜବାବ୍ ଦେଉନାହାନ୍ତି । ଲାଗୁଛି ସତେ ଯେପରି, ଏ ସମସ୍ତ ବ୍ୟବସ୍ଥାର ମାଲିକ ରାଜ୍ୟ ସରକାର ନୁହେଁ ବରଂ ଟାଟା ପାୱାର । କେବଳ ବିଜୁଳି ବିତରଣ ପାଇଁ ଅନୁବନ୍ଧିତ ହୋଇଥିବା ଗୋଟିଏ ଘରୋଇ କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅହେତୁକ ଅନୁକଂପା ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ଶକ୍ତି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ବିଜେପି ତରଫରୁ ଆସନ୍ତା କାଲି ୧୪ ଓ ୧୫ ତାରିଖରେ ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି । ଓଡ଼ିଶା ସରକାର ଏବେ ଟାଟା ପାୱାର ଆଗରେ ବନ୍ଧା ପଡ଼ିଛନ୍ତି । ରାଜ୍ୟ ସରକାର ଟାଟା ପାୱାର ଉପରୁ ନିଜ ନିୟନ୍ତ୍ରଣ ହରାଇଛନ୍ତିି । ଶକ୍ତି ବିଭାଗ ସ୍ଥାଣୁ ପାଲଟିଛି । ପାୱାର କଟକୁ ପାୱାର ଟ୍ରିପ୍ ବୋଲି କହି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଟାଟା ପାୱାର ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି ଓ ଟାଟା ପାୱାରକୁ ସୁହାଇଲା ଭଳି ମନ୍ତବ୍ୟ ଦେଉଛନ୍ତି । ତେଣୁ ଏସବୁ ବିରୋଧରେ ମନ୍ତ୍ରୀଙ୍କ ବୟାନକୁ ପ୍ରତିବାଦ କରି ଆସନ୍ତା କାଲି ସମସ୍ତ ଟାଟା ପାୱାର କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରି ଛନ୍ତି ।