ବାର୍ଡ ଫ୍ଲୁ ପରେ ରାଜ୍ୟରେ ଏବେ ସ୍ୱାଇନ୍ ଫ୍ଲୁ ଆତଙ୍କ:ଏପର୍ଯ୍ୟନ୍ତ ୧୩ ଜଣ ଆକ୍ରାନ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାର୍ଡ ଫ୍ଲୁ ପରେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆତଙ୍କ । ରାଜ୍ୟରେ ଦିନକୁ ଦିନ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ଏହି ସଂଖ୍ୟା ୧୩ରେ ପହଞ୍ଚିଛି । ଖୋର୍ଦ୍ଧା ଅଞ୍ଚଳର ଜଣେ ବ୍ୟକ୍ତି ଏଥିରେ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ଦେଢ଼ ମାସ ଭିତରେ ହିଁ ରାଜ୍ୟରେ ସମସ୍ତ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତେବେ ଚଳିତ ମାସ ବର୍ତ୍ତମାନ ସୁଦ୍ଧା ମୋଟ ୧୨ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ପୂର୍ବରୁ ଜଣେ ଏହି ରୋଗରେ ଆକ୍ରାନ୍ତ ଥିଲେ।ଖୋର୍ଦ୍ଧା ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତି ଆଜି ସ୍ୱାଇନ୍ ଫ୍ଲୁରେ ଚିହ୍ନଟ ହୋଇଛନ୍ତି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଗତକାଲି ମଧ୍ୟ ରାଜଧାନୀରେ ରହୁଥିବା ଜଣେ ମହିଳା ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଥିଲା । ପ୍ରତ୍ୟେକ ଦିନ ଏକାଧିକ ବ୍ୟକ୍ତି ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଘଟଣା ଲୋକଙ୍କ ମନରେ ଚିନ୍ତା ବଢ଼ାଇ ଦେଇଛି । ବିଶେଷକରି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ହିଁ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି । ଯଦି ଗତବର୍ଷକୁ ହିସାବକୁ ନେବା ତେବେ ରାଜ୍ୟରେ ସ୍ୱାଇନ୍ ଫ୍ଲୁରେ ୨୦୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୮ ମସିହାରେ ମାତ୍ର ୩୩ ଜଣ ଆକ୍ରାନ୍ତ ହୋଇଥିଲେ ହେଁ ତହିଁରେ ୭ଜଣ ପ୍ରାଣ ହରାଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର