ଢେଙ୍କାନାଳ (ସମୃଦ୍ଧ ଓଡିଶା) ଚଳିତବର୍ଷର ବାର୍ଷିକ ଦଶମ ବୋର୍ଡ ପରୀକ୍ଷାରେ ଶତାୟୁ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବିଦ୍ୟାଳୟର ଛାତ୍ର ଓଁକାର ମାଝୀ ସର୍ବମୋଟ ୬୦୦ ନମ୍ବରରୁ ୫୭୮ ନମ୍ବର ୯୬.୩୩ ଶତକଡା ନମ୍ବର ରଖି ବିଦ୍ୟାଳୟ ତଥା ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରି A1 ଗ୍ରେଡ଼ ହାସଲ କରିବା ସହ ଆଣିଛନ୍ତି ବି. ବି. ହାଇସ୍କୁଲ ପାଇଁ ଗୌରବ । ଢେଙ୍କାନାଳ ସହରରେ ରହୁଥିବା ପିତା ଅଦୈତ କୁମାର ମାଝୀ ମାତା ମଞ୍ଜୁଳା ମାଝୀଙ୍କର ପୁଅ ହେଉଛନ୍ତି ଓମକାର, ତାଙ୍କର ଗ୍ରାମ ବମ୍ଫା ହିନ୍ଦୋଳ ବୋଲି ସୂଚନା ମିଳିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୧୦ମ ବୋର୍ଡ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଦିନକୁ ୧୦ ରୁ ୧୨ଘଣ୍ଟା ପାଠ ପଢ଼ନ୍ତି। ସଫଳତା ପାଇଁ ବାପା,ମା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ ଡାକ୍ତର ହୋଇ ରୋଗୀମାନଙ୍କର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଓମକାର । ସେହିପରି ବିଶ୍ୱଜିତ ରାଉତ ମଧ୍ୟ ସର୍ବମୋଟ ୫୫୨ ନମ୍ବର ଅର୍ଥାତ ଶତକଡା ୯୨ ନମ୍ବର ରଖି A1 ଗ୍ରେଡ଼ ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି ।ତାଙ୍କର ଗ୍ରାମ ସିମିନଇ ।ସେ ପିତା ବୃନ୍ଦାବନ ରାଉତ ଓ ମାତା ସସ୍ମିତା ସୁଚରିତାଙ୍କର ସୁପୁତ୍ର । ସେ ମଧ୍ୟ ଅନୁରୂପକ ଭାବେ ଦିନକୁ ୧୫ ଘଣ୍ଟା ପାଠପଢ଼ାରେ ସମୟ ବିନିଯୋଗ କରୁଥିଲେ, ସେ ମଧ୍ୟ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି । ଏହି ବିଦ୍ୟାଳୟରେ ମୋଟ ୧୬୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୧୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ ୧୩୭ ଜଣ କୃତକାର୍ଯ୍ୟ ହୋଇ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ମୋଟ ପାସ ହାର ୮୩ ଶତକଡା ଅଟେ । ସେହିଭଳି ଏକ୍ସ-ରେଗୁଲାର ପରୀକ୍ଷାରେ ୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ଜଣ ପାସ କରି ସଫଳତାର ହାର ଶତକଡା ୮୦ ହୋଇଛି । ବିଦ୍ୟାଳୟର A1ରେ ୦୨ଜଣ, A2ରେ ୧୪ ଜଣ, B1ରେ ୧୦ ଜଣ, B2ରେ ୨୩ ଜଣ, Cରେ ୨୧ ଜଣ, Dରେ ୩୧ ଜଣ ଓ E ଗ୍ରେଡ଼ରେ ୩୬ ଜଣ ପାସ କରି ମୋଟ ପାସ ହାର ୮୩ ଶତକଡା ହୋଇଛି । ଉଭୟ A1 ଗ୍ରେଡ଼ଧାରୀ ନିଜର ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶ୍ରୀ ମୌସୁମୀ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶ୍ରୀ ମୌସୁମୀ ସାହୁ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଶୁଭକାମନା ଓ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ ପାଣି