ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅନ୍ତର୍ଗତ ଶିଖରପୁର ରିଭରବ୍ଲକ ବାଲିଖାଦାନରୁ ବାଲି ଉତ୍ତୋନକୁ ନେଇ ଆଜି ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ସ ଘଟି ପରିସ୍ଥିତି ଚରମସୀମାରେ ପହଞ୍ଚିଛି । ଫଳରେ ୮ଜଣ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ଶିଖରପୁର ଓ ଭାନୁପୁର ବାଲିଖାଦାନରୁ ବେଆଇନ୍ ବାଲି ଉତ୍ତୋଳନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଜି ଶିଖରପୁରରେ ପ୍ରାୟ ୨ଶହ ଟ୍ରାକ୍ଟର ବେଆଇନ୍ଭାବେ ବାଲି ପରିବହନ କରୁଥିବାରୁ ବ୍ୟାପକ ଧୂଳି ଉଡିବା ଓ ଗ୍ରାମରାସ୍ତାରେ ଯାତାୟାତର ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ତେଣୁ ପୂର୍ବାହ୍ନ ୧୦ଟାରେ ବାଲି ପରିବହନକୁ ବନ୍ଦ ରଖିବାକୁ ଅଡିଧରି ବସିଥିଲେ । ଫଳରେ ବାଲି ଉତ୍ତୋଳନ କରୁଥିବା ଓ ବିରୋଧ କରୁଥିବା ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଜଗନ୍ନାଥ ପାତ୍ର, ବିମଳା ପାତ୍ର, ନିୟତୀ ପାତ୍ର, ବିଶ୍ୱଜିତ୍ ଜେନା, ସୁରେଶ ଚନ୍ଦ୍ର ଜେନା, ଶିକ୍ଷକ ଦେବେନ୍ଦ୍ର ନାୟକ ଓ ଦୈପାୟନ ନାୟକ ଆହତ ହୋଇ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ଏଥିନେଇ ଜଳେଶ୍ୱର ଥାନାରେ ପୃଥକ୍ ପୃଥକ୍ ୨ଟି ମାମଲା ରୁଜୁ ହୋଇଛି । ପ୍ରକାଶଯୋଗ୍ୟ ଏହି ବାଲି ଖାଦାନ ନିଲାମ ନେବା ପଛରେ ବହୁ ରାଜନୈତିକ ବ୍ୟକ୍ତି ଓ ମୁଷ୍ଟିମେୟ ଲୋକଙ୍କ ସହିତ କିଛି ଅସାଧୁ ପ୍ରଶାସନିକ ଅଧିକାରି ସାମିଲ ଥିବାରୁ ଏପରି କାର୍ଯ୍ୟରୁ ବିରତ କରାଯାଇପାରୁ ନାହିଁ ।
ରିପୋର୍ଟ : ଭୂପତି କୁମାର ପରିଡା