

ଛତ୍ରପୁର/ବାଲୁଗାଁ (ସମୃଦ୍ଧ ଓଡିଶା) ଖୋର୍ଦ୍ଧା ଜିଲା ବାଲୁଗାଁର ଜଣେ ମତ୍ସ୍ୟ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶନିବାର ଜିଲାପାଳ ଶୀତାଂଶୁ କୁମାର ରାଉତ ବାଲୁଗାଁ ମାଛ ମାର୍କେଟକୁ ୭ଦିନ ଲାଗି ଶଟ୍ଡାଉନ ଘୋଷଣା କରିଛନ୍ତି । ଶନିବାର ଠାରୁ ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଆକ୍ରାନ୍ତ ମତ୍ସ୍ୟ ବ୍ୟବସାୟୀଙ୍କ ଗୋଦାମରେ ଥିବା ୧କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚିଙ୍ଗୁଡି ନଷ୍ଟ କରାଯାଇଛି । ଏହାସହ ତାଙ୍କର ୨ଟି ମାଛ ଗୋଦାମ ଓ ୩ଟି ବରଫ କଳକୁ ସିଲ୍ କରାଯାଇଛି । ମାଛ ମାର୍କେଟ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ତାଙ୍କ ପରିବାରବର୍ଗଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯେ, ଶୁକ୍ରବାର ସମ୍ପୃକ୍ତ ମତ୍ସ୍ୟ ବ୍ୟବସାୟୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଥିଲା । ଏହାପରେ ଜିଲାପାଳ ଶୀତାଂଶୁ ରାଉତ, ଏସ୍ପି ଅଜୟ ପ୍ରତାପ ସ୍ୱାଇଁ, ଉପଜିଲାପାଳ ଅଶୋକ ବେଉରିଆ, ଡିଏସ୍ପି ସତୀଶ ପାଢୀ, ଚିଲିକା ତହସିଲଦାର ପୁନମ ମହାପାତ୍ର, ବାଲୁଗାଁ ଏସ୍ଡିପିଓ ସୁରେଶ କୁମାର ଦାଶ, ଆଇଆଇସି ରମାକାନ୍ତ ମାହାଳିକ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ପ୍ରମୁଖ ବାଲୁଗାଁ ମାଛ ମାର୍କେଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଗୋଦାମ ସିଲ୍ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା