ବାଲେଶ୍ୱର ଏସ୍ପିଓଙ୍କ ବିରୋଧରେ ରାଜ୍ୟ ବିହନ ଉତ୍ପାଦନକାରୀ କୃଷକ ସଂଘର ବିଷୋଦଗାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ରାୟାଁରାମଚନ୍ଦ୍ରପୁର ପଂଚାୟତ ଏକ ବିହନ ଉତ୍ପାଦନ କାରୀ ଅଂଚଳ ଭାବେ ପରିଚିତ ଥିବା ବେଳେ ବାଲେଶ୍ୱର ଏସ୍ପିଓ (ବିହନ ନିଗମ ପରିଚାଳକ)ଙ୍କ ମନମୂଖୀ କାର୍ଯ୍ୟକଳାପ ବିରୋଧରେ ରାଜ୍ୟ କୃଷିମନ୍ତ୍ରୀଙ୍କ ଠାରେ ଅଭିଯୋଗ କରାଯାଇଛି । ରାୟାଁରାମଚନ୍ଦ୍ରପୁର ଅଂଚଳର ଶହ ଶହ ଚାଷୀ ମୁଗ, ବିରୀ ଓ ଧାନର ବିହନ ଉତ୍ପାଦନକାରୀ ଭାବେ ବେଶ୍ ପରିଚିତ । ତେଣୁ ପ୍ରତିବର୍ଷ ସରକାର ଓ ବିହନ ନିଗମ ଏହି ଅଂଚଳକୁ ମୁଗ, ବିରି ଓ ଧାନ ବିହନ ଯୋଗାଇଥାନ୍ତି । ଉତ୍ପାଦନ ପରେ ବିହନ ନିଗମ ଏହି ସବୁ ବିହନକୁ ଅଧିକ ମୂଲ୍ୟରେ କିଣିନେଇ ବିଶୋଧନ ପରେ ସମଗ୍ର ରାଜ୍ୟରେ ବିକ୍ରୟ କରିଥାଏ । କିନ୍ତୁ ଚଳିତବର୍ଷ ଏ ଅଂଚଳର ଚାଷୀମାନଙ୍କୁ ସେହି ସୁବିଧା ମିଳିନଥିବାରୁ ଚାଷୀମାନେ ହଇରାଣ, ହରକତ ହେଉଛନ୍ତି ଓ ଉତ୍ପାଦିତ ବିହନ ନଷ୍ଟ ହେବାକୁ ବସିଲାଣି । ଗତ ୨୦୧୮-୧୯ ରବି ଋତୁରେ ବିହନ ଉତ୍ପାନକାରୀଙ୍କ ଅମଳ ବିଳନ ପ୍ରକ୍ରିୟାକରଣ କରାଯାଉନଥିବାରୁ ସେ ସବୁ ପୋକରା ହେବାକୁ ବସିଲାଣି ବୋଲି କେତେକ କୃଷକ ଲିଖିତ ଭାବେ ଜଣାଇଛନ୍ତି । ବରଂ ଅଂଚଳିକ ପରିଚାଳକ ତଥା ଗୋଦାମ ରକ୍ଷକ ପ୍ରମୋଦ ମହାନ୍ତି ଏ ସବୁକୁ ଖୋଲା ବଜାରରେ ବିକ୍ରି କରିବାକୁ ପରୋକ୍ଷ ଭାବେ ଚାପ ସୃଷ୍ଟି କରୁଛନ୍ତି । ଚାଷୀମାନେ ଏଥିରେ କ୍ଷତିଗ୍ରସ୍ତ ହେବେ ବୋଲି ଏ ଅଂଚଳର କୃଷକ ନେତା ବସନ୍ତ କୁମାର ବାରିକ, ଗିରିଜା ଶଂକର ପ୍ରଧାନ, କୁଶ କୁମାର ସାହୁ, ଅନନ୍ତ ସାହୁ, ଜଗନ୍ନାଥ ରାଉଳ, ନରେନ୍ଦ୍ର ମାହାନା, ପ୍ରଦୀପ ଗିରି, ରବିନ୍ଦ୍ର ଜେନା, ହୃଷିକେଶ କୁଣ୍ଡୁ, ଝାଡେଶ୍ୱର ପ୍ରଧାନ, ତପନ ଦାସ, ନଗେନ୍ଦ୍ର ନାଥ ସାହୁ ଓ ଦାଶରଥି ନନ୍ଦୀ ପ୍ରମୁଖ ଜଣେଇଛନ୍ତି । ସେମାନେ କୃଷିମନ୍ତ୍ରୀ, ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ, ଖାଦ୍ୟ ଓ କୃଷି ବିଭାଗର ନିର୍ଦ୍ଦେଶକ, ବାଲେଶ୍ୱର ଜିଲାପାଳ, ବାଲେଶ୍ୱରସ୍ଥିତ କୃଷି ଉପନିର୍ଦ୍ଦେଶକ, କୃଷି ଓ କୃଷକ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅବଗତି ନିମନ୍ତେ ସେମାନେ ପଠାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା