ବାହାଘର ୨ଦିନ ଥିବାବେଳେ ଯୁବକଙ୍କର ଝୁଲନ୍ତା ଶବ ଉଦ୍ଧାର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ଛତ୍ରପୁର ମିଶ୍ର କଲୋନୀରେ ରହୁଥିବା ଜଣେ ବିଧବାଙ୍କ ଘରେ ସୁନ୍ଦରପୁର ଗ୍ରାମ ମଣ୍ଡଳ ସାହିର ସନ୍ତୋଷ ନାହାକ ନାମକ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଏହି ଘଟଣାର ସୂଚନା ପାଇ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଖବର ମିଳିଛି ଯେ ଆଉ ଦୁଇ ଦିନ ଥିଲା ସନ୍ତୋଷଙ୍କ ବାହାଘର । ଅନ୍ୟପକ୍ଷରେ ତାଙ୍କ ପରିବାର ପକ୍ଷରୁ ସନ୍ତୋଷ ଆତ୍ମହତ୍ୟା କରି ନାହିଁ ତାଙ୍କୁ କେହି ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି । ଆସନ୍ତା ୧୩ ତାରିଖରେ ସନ୍ତୋଷଙ୍କ ବାହାଘର ସ୍ଥିର ହୋଇଥିଲା ଏହାପରେ ମଧ୍ୟରାତ୍ରିରେ ସନ୍ତୋଷଙ୍କ ଡାକି ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ସନ୍ତୋଷଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି ବୋଲି ସୂଚନା ମିଳିଛି । ଏହି ଅଭିଯୋଗ ଆଧାରରେ ଛତ୍ରପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ କହିବା ଅନୁଯାୟୀ ବିଧବା ଜଣକ ଛତ୍ରପୁର ସହର ବାସିନ୍ଦା ଓ ସେ ସୁନ୍ଦରପୁରରେ ବିବାହ କରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ସନ୍ତୋଷ ହିଁ ଆଣି ଛତ୍ରପୁର ମିଶ୍ର କଲୋନୀର ଏକ ଭଡ଼ାଘରେ ରଖିଥିଲେ । ସନ୍ତୋଷ ପ୍ରାୟ ଏହାକୁ ଯିବା ଆସିବା କରୁଥିଲେ । ସେ ଗତକାଲି ମଧ୍ୟ ଆସିଥିଲେ ରାତି ପ୍ରାୟ ୩ ଟା ସମୟରେ ଝାଡା ଯିବି କହି ପ୍ଲାଷ୍ଟିକ ଦୌଡିରେ ଫାଶ ଲଗାଇ ଝୁଲି ପଡିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ ସୂଚନା ଦେଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା