ବାହୁଡ଼ା ଯାତ୍ରାରେ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସେବା କରିବା ମୋର ସୌଭାଗ୍ୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଜୁଲାଇ୧୫(ସମୃଦ୍ଧଓଡିଶା)କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ସ୍ଥିତ ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିରରେ ଧର୍ମପତ୍ନୀ ମୃଦୁଳା ଟି. ପ୍ରଧାନଙ୍କ ସହିତ ‘ବାହୁଡ଼ା ଯାତ୍ରା’ରେ ସାମିଲ ହେବା ସହ ରଥାରୂଢ଼ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଓଡ଼ିଆ ସଂସ୍କୃତିର ଅନନ୍ୟ ପର୍ବ । ସମଗ୍ର ବିଶ୍ୱରେ ରଥଯାତ୍ରା ଏବଂ ଏହାର ରୀତିନୀତି ଅଭୁତପୂର୍ବ ଉତ୍ସାହ ଓ ଭକ୍ତିର ସହ ପାଳନ ହୋଇଛି । ଚତୁର୍ଦ୍ଧାମୂରତି ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବାର ଅନନ୍ୟ ପରମ୍ପରାର ପ୍ରତୀକ ହେଉଛି ବାହୁଡ଼ା ଯାତ୍ରା । ରାଷ୍ରୀଦିୟ ରାଜଧାନୀ ଦିଲ୍ଲୀର ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିର ବିଗତ ବର୍ଷ ବର୍ଷ ଧରି ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସାକ୍ଷୀ ଭାବେ ଠିଆ ହୋଇଛି । ଆଜି ଏହି ମନ୍ଦିରରେ ଅନେକ ଭକ୍ତଙ୍କ ଗହଣରେ ବାହୁଡା ଯାତ୍ରାରେ ସାମିଲ ହେବା ସହ ମହାପ୍ରଭୁଙ୍କ ସେବା କରିବା ମୋର ସୌଭାଗ୍ୟ । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଓ ବାହୁଡା ଯାତ୍ରା ଭକ୍ତଙ୍କ ଗହଣରେ ଧୁମଧାମରେ ପାଳିତ ହୋଇଛି । ଏ ବର୍ଷର ରଥଯାତ୍ରା ନିଆରା, କାରଣ ଏଥର ଓଡ଼ିଶାରେ ବିଜେପିର ନୂଆ ସରକାର ଗଠନ ହୋଇଛି । ଲୋକଙ୍କ ଆସ୍ଥା ଓ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତମାନଙ୍କ ଆଗ୍ରହ ଓ ଇଚ୍ଛା ଅନୁସାରେ ଖୋଲାଯାଇଛି । ଗତକାଲି ନବନିର୍ବାଚିତ ମୋହନ ମାଝୀଙ୍କ ସରକାର ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ ସହଯୋଗରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲା ଯାଇଛି । ଦଶନ୍ଧି ଦଶନ୍ଧି ଧରି ହିନ୍ଦୁ ଆସ୍ଥା ଓ ସାଢେ ଚାରି କୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦିଆଯାଇଛି । ମହାପ୍ରଭୁଙ୍କ ପାଖରେ ବିଶ୍ୱବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ହେବା ନେଇ କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି ।