ବାୟୁ ପ୍ରଦୂଷଣ ହ୍ରାସ ସମ୍ବନ୍ଧୀୟ ଜନସଚେତନତା ପାଇଁ ସାଇକେଲ ରା଼ଲ୍ଲୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପରିବେଶ ଅଧ୍ୟୟନ କେନ୍ଦ୍ର (ସେଣ୍ଟର ଫର ଏନ୍‌ଭିରନ୍‌ମେଣ୍ଟାଲ ଷ୍ଟଡିଜ୍‌)ର ମିଳିତ ଉଦ୍ୟମରେ ରାଜଧାନୀ ଭୁବନେଶ୍ୱରରେ ‘ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ’ ପାଳିତ ହୋଇଯାଇଛି । ରାଜଧାନୀ ତଥା ଏହାର ଆଖପାଖରେ ବାୟୁ ପ୍ରଦୂଷଣ ହ୍ରାସ ଓ ବାୟୁ ଗୁଣବତ୍ତା ବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ବାଇସାଇକେଲ ର୍ୟାଲି ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପତାକା ଦେଖାଇ ସାଇକେଲ ର୍ୟାଲିର ଶୁଭାରମ୍ଭ କରିଥିଲେ । ଏହି ର୍ୟାଲିରେ ୨୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ୟୁନିଟ୍‌-୬ସ୍ଥିତ ଫରେଷ୍ଟ ପାର୍କରୁ ୟୁନିଟ୍‌-୮ସ୍ଥିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ୫ କିଲୋମିଟର ଦୂରତା ଅତିକ୍ରମ କରିଥିଲେ । ର୍ୟାଲିରେ ସାଇକେଲ ଚାଳକମାନେ ଜନସାଧାରଣଙ୍କ ସୂଚନା ପାଇଁ ବିଭିନ୍ନ ବ୍ୟାନର ଓ ପ୍ଲାକାର୍ଡ ବ୍ୟବହାର କରି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ସ୍ଳୋଗାନମାନ ଦେଇଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ମିଳିତ ଜାତିସଂଘ ବାୟୁମଣ୍ଡଳର ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ୱ ଦେଉଛନ୍ତି । ଆମର ଦୈନନ୍ଦିନ ଜୀବନରେ ଅନେକ କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରାର ବୃଦ୍ଧି ଘଟୁଛିି । ଏଥିଯୋଗୁଁ ବିଶ୍ୱରେ ଅନେକ ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି । ବାୟୁ ପ୍ରଦୂଷଣର କାରଣ କାର୍ବନ ମନୋକ୍‌ସାଇଡ୍‌, କାର୍ବନ ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ ଅକ୍ସାଇଡ୍‌, ନାଇଟ୍ରୋଜେନ ଡାଇଅକ୍ସାଇଡ୍‌, ଭୂସ୍ତର ଓଜୋନ, ଭାସମାନ ଧୂଳିକଣା, ସଲଫର ଡାଇଅକ୍ସାଇଡ୍‌, ହାଇଡ୍ରୋକାର୍ବନ ମାତ୍ରାର ବୃଦ୍ଧି ଯାହା ମନୁଷ୍ୟ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଅଧିକ ଇନ୍ଧନ ବ୍ୟବହାର, କଳକାରଖାନା, ଯାନବାହନ, କୃଷିରୁ ଉତ୍ପନ୍ନ ଆବର୍ଜନା ଜଳିବା ଇତ୍ୟାଦି ବିଭିନ୍ନ ସ୍ରୋତରୁ ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଏହି ସବୁ କ୍ଷେତ୍ରରେ ସଠିକ୍‌ ସୁପରିଚାଳନା ଦ୍ୱାରା ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ହ୍ରାସ କରାଯାଇପାରେ । ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । ସମ୍ମିଳିତ ଉଦ୍ୟମ ବଳରେ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ଆମେ ସମର୍ଥ ହୋଇପାରିବା ଏବଂ ସ୍ୱଚ୍ଛ ବାୟୁ ଦିବସ ପାଳନ ସାର୍ଥକ ହେବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ. କେ. ମୁରୁଗେସନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ‘ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ-୨୦୨୪’ର ବିଷୟବସ୍ତୁ ରହିଛି ‘ନିର୍ମଳ ବାୟୁ ଉପରେ ବର୍ତ୍ତମାନ ନିବେଶ’ । ବାୟୁ ଗୁଣବତ୍ତା ଉନ୍ନତ କରିବା ଦିଗରେ ବ୍ୟକ୍ତିବିଶେଷଙ୍କ ଭୂମିକା ହିଁ ସର୍ବପ୍ରଥମ । ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହା ଭଲ ଭାବେ ହୃଦୟଙ୍ଗମ କରିଛି । କାର୍ଯ୍ୟକ୍ରମରେ ବିଭାଗର ଉଚ୍ଚ ଅଧିକାରୀ, ପରିବେଶବିତ୍‌ ଓ ପରିବେଶପ୍ରେମୀମାନେ ଯୋଗଦେଇଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ମାନସ ରଞ୍ଜନ ଖୁଣ୍ଟିଆ, ସୂଚନା ଅଧିକାରୀ