

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଧୁନା ପୃଥିବୀ ତଥା ଭାରତ ବର୍ଷରେ ଜୀବନ ଶୈଳୀ ଅବ୍ୟବସ୍ଥା ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ଯଥା – ମଧୁମେହ, ଉଚ୍ଚ ରକ୍ତଚାପ, ଚର୍ବି ସମସ୍ୟା ଏବଂ ତତଜନିତ କିଛିଟି ପ୍ରଟିକ ଅବସ୍ଥା ବହୁତ ସଂଖ୍ୟାରେ ଦେଖାଯାଉ ଅଛି । ବ୍ୟସ୍ତ ବହୁଳ ଜୀବନ ଗୋଟିଏ ଜାଗାରେ ବସି ରହି କାମ କରୁଥିବା ଅଭ୍ୟାସ ଏବଂ ନିୟମିତ ବ୍ୟାୟାମର ଅଭାବ ତଥା ଚାକିରୀରେ ଜଡିତ ମାନସିକ ଚାପ ଯୋଗୁଁ ସରକାରୀ କର୍ମଚାରୀ ଏହି ସମସ୍ୟାରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥାନ୍ତି । ଏହାକୁ ଆଖି ଆଗରେ ରଖି ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବିଏମସିରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ତଥା ବ୍ରହ୍ମପୁର ସହରର ସମସ୍ତ ୱାର୍ଡର ଜମାଦାର ଏବଂ ସଫେଇ କର୍ମଚାରୀଙ୍କ ପାଇଁ ସଚେତନତା ତଥା ରକ୍ତ ପରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଏଥିରେ ବ୍ରହ୍ମପୁର ସ୍ଥିତ ଡାଏବେଟିସ ଏଣ୍ଡ ଏଣ୍ଡୋକେୟାର କ୍ଲିନିକର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା.ସୁନୀଲ କୁମାର କୋଟା ଏବଂ ତାଙ୍କ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ବିଶ୍ୱ ମଧୁମେହ ଦିବସ ୧୪ ନଭେମ୍ବରରେ ବ୍ରହ୍ମପୁର ସ୍ଥିତ ଟାଉନ ହଲରେ ଉଦଘାଟନ କରିଥିଲେ । ସର୍ବ ପ୍ରଥମେ ଡା. ସୁନୀଲ କୁମାର କୋଟା ଉପସ୍ଥିତ କର୍ମଚାରୀ ବୃନ୍ଦଙ୍କୁ ଡାଏବେଟିସ, ଉଚ୍ଚ ରକ୍ତଚାପ, ଥାଇରଏଡ ତଥା ଚର୍ବି ସମସ୍ୟା ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ ଅବଗତ କରାଇଥିଲେ । ଏଥିରେ ସବୁରୋଗର କାରଣ, ଲକ୍ଷଣ, ଜଟିଳତା, ନିବାରଣ ଏବଂ ଚିକିତ୍ସା ଉପରେ ଆଲୋକପାତ କରାଇଥିଲେ । ଏହାପରେ ରକ୍ତ ଶର୍କରା, ରକ୍ତଚାପ, ଥାଇରଏଡ, ସ୍ନାୟୁ ପରୀକ୍ଷା, ପରିଶ୍ରା ପରୀକ୍ଷା (ମାଇକ୍ରାଲ) କରାଯାଇଥିଲା । ଏଥିରେ ତାଙ୍କର ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ଯୋଗଦେଇ ଉପସ୍ଥିତ ଲୋକମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସହରର ସମସ୍ତ ୱାର୍ଡର ବିଭିନ୍ନ ସଫେଇ କର୍ମଚାରୀଙ୍କ ପାଇଁ ୪ଟି ପୃଥକ ଦିନ ମାନଙ୍କରେ ଆୟୋଜିତ ହୋଇଥିଲା । ସର୍ବ ମୋଟ ପ୍ରାୟତଃ ୬୦୦ କର୍ମଚାରୀ ଏହି ଶିବିର ମାନଙ୍କରେ ଲାଭାନ୍ବିତ ହେବା ସହ ମଧୁମେହ ଏବଂ ଥାଇରଏଡ ସମ୍ବନ୍ଧୀୟ ଏକ ଶିକ୍ଷଣୀୟ ପୁସ୍ତିକା ଗ୍ରହଣ କରିଥିଲେ । ସର୍ବଶେଷ ଦିନ ବିଏମସି ଅଫିସରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବିଏମସି ଅଫିସର କନ୍ଫରେସନ ହଲରେ ଅନୁଷ୍ଠିତ ହୋଇଥିଲା । ବିଏମସି ଡେପୁଟି କମିଶନର ରୋମାଞ୍ଚକ ଖମାରି ଏବଂ ଏକଜିକ୍ୟୁଟିଭ ଇଂଜିନିୟର ପି. ଶ୍ୟାମାବାବୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ପ୍ରାୟତଃ ୧୧୦ ଲୋକ ଅଂଶ ଗ୍ରହଣ କରି ପରୀକ୍ଷା କରାଇଥିଲେ । ସର୍ବ ଶେଷରେ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଡା. କୋଟାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

