


ଭୁବନେଶ୍ବର(ସମୃଦ୍ଧଓଡିଶା) ବିକେନ୍ଦ୍ରୀକୃତ ଶାସନ ଓ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଆମ ରାଜ୍ୟ ଓଡ଼ିଶା ସର୍ବଦା ଆଗରେ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଓ ଦୃଢ ନେତୃତ୍ୱରେ ସରକାର ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକୁ ସୁଦୃଢୀକରଣ କରିବା ଦିଗରେ ବଳିଷ୍ଠ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।ରକାରଙ୍କ ଦୃଢ ବିଶ୍ଵାସ ଯେ – ଏକ ସୁଦୃଢ ଗ୍ରାମପଞ୍ଚାୟତ ହେଉଛି ବିକାଶିତ ଓଡ଼ିଶାର ମୂଳପିଣ୍ଡ । ତେଣୁ ବିକଶିତ ପଞ୍ଚାୟତ ଗଠନ ଦ୍ବାରା ହିଁ ବିକଶିତ ଓଡ଼ିଶା ଗଠନ ସମ୍ଭବ l “ ଭୁବନେଶ୍ବରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନଠାରେ ରାଜ୍ୟସ୍ତରୀୟ ବିକଶିତ ପଞ୍ଚାୟତ ପାଇଁ ଦକ୍ଷତା ବିକାଶ କର୍ମଶାଳାକୁ ଉଦ୍ଘାଟନକରି ମାନ୍ୟବର ପଞ୍ଚାୟତି ରାଜ ଓ ପାନୀୟ ଜଳ, ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମତପ୍ରକାଶ କରିଛନ୍ତି l ଶାସନ ପଦ୍ଧତିରେ ସହଭାଗୀତା, ତୃଣମୂଳସ୍ତର ପର୍ଯ୍ୟନ୍ତ ଗଣତନ୍ତ୍ରର ବିକେନ୍ଦ୍ରୀକରଣ ଓ ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକୁ ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତିରୂପେ ପ୍ରତିଷ୍ଠା କରିବାପାଇଁ ‘ମିଶନ କର୍ମଯୋଗୀ’ର ଏକ ବିଶେଷ ବିନ୍ଦୁ ରୂପେ ‘ଦକ୍ଷତା ବିକାଶ’କୁ ଗୁରୁତ୍ବ ଦିଆଯାଉଛି l ଏହା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଚାରୋଟି ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଆସାମ ଓ ଗୁଜୁରାଟର ୬୦ଗୋଟି ଗ୍ରାମ ପଞ୍ଚାୟତରେ ପ୍ରାଥମିକତା ଭିତ୍ତିରେ ଦକ୍ଷତା ବିକାଶ ପାଇଁ କର୍ମଶାଳା ଅନୁଷ୍ଠିତ ହେଉଛି l ସେହି କ୍ରମରେ ଦକ୍ଷତା ବିକାଶ ଆୟୋଗ, ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ଯୁବ ଓ ସମାଜ କଲ୍ୟାଣ କେନ୍ଦ୍ର, ଭୁବନେଶ୍ବର ଏବଂ ପଞ୍ଚାୟତି ରାଜ ଓ ପାନୀୟ ଜଳ ଅଧିନସ୍ଥ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ମୟୂରଭଞ୍ଜ ଓ କୋରାପୁଟଜିଲ୍ଲାର ୧୫ ଗୋଟି ଗ୍ରାମ ପଞ୍ଚାୟତର ପ୍ରତିନିଧି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ପାଇଁ ଦକ୍ଷତା ବିକାଶ ପାଇଁ କର୍ମଶାଳା ଅନୁଷ୍ଠିତ ହୋଇଛି l ଏହି ରାଜ୍ୟସ୍ତରୀୟ କର୍ମଶାଳାକୁ ଉଦ୍ଘାଟନକରି ମାନ୍ୟବର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ସମବେତ ପ୍ରଶିକ୍ଷାର୍ଥୀ ପଞ୍ଚାୟତ ପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ପ୍ରଶିକ୍ଷକ ମାନଙ୍କୁ ଦିଗଦର୍ଶନ ଦେଇ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଜନପ୍ରତିନିଧ ଓ କର୍ମକର୍ତ୍ତାମାନଙ୍କ ଉପରେ ସୁଶାସନ ବ୍ୟବସ୍ଥା ନିର୍ଭର କରିଥାଏ ବୋଲି ମତ ରଖିଥିଲେ । ଯୋଗ୍ୟ ଏବଂ ପ୍ରଶିକ୍ଷିତ ପଞ୍ଚାୟତ କର୍ମଚାରୀ ମାନେ ହିଁ ଉତ୍କୃଷ୍ଟ ଯୋଜନା, ସ୍ୱଚ୍ଛ କାର୍ଯ୍ୟକାରୀତା ଏବଂ ଉନ୍ନତ ସେବା ପ୍ରଦାନକୁ ସୁନିଶ୍ଚିତ କରିଥାନ୍ତି । ପଞ୍ଚାୟତ ଜନପ୍ରତିନିଧି, ଅଧିକାରୀ ଓ ତୃଣମୂଳ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଆବଶ୍ୟକୀୟ ଜ୍ଞାନ ପ୍ରଦାନ କରିବା ସହ କୌଶଳ ବୃଦ୍ଧି କରିବା ଦିଗରେ ଦକ୍ଷତା ବିକାଶ କମିଶନ ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରୁଅଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ସଶକ୍ତ ପଞ୍ଚାୟତ ଗଠନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ବିଷୟରେ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଓଡ଼ିଶାର ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ସଂରଚିତ ରୋଡମ୍ୟାପ ପ୍ରସ୍ତୁତ ହେବା ଆବଶ୍ୟକବୋଲି କହିବା ସହ ଏସ.ଆଇ.ଆର.ଡି. ମାଧ୍ୟମରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଗ୍ରାମୀଣ ବିକାଶର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରି ଡିଜିଟାଲ କ୍ଷେତ୍ରରେ ଉନ୍ନତ, ଆର୍ଥିକ ଦୃଷ୍ଟିରୁ ସ୍ଵାବଲମ୍ବୀ ଏବଂ ସାମାଜିକ ଭାବେ ସୁରକ୍ଷିତ ପଞ୍ଚାୟତ ଗଠନ କରିବା ପାଇଁ ସମସ୍ତେ ମିଳିମିଶି ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ସାକାର କରିବା ପାଇଁ ସେ ଆହ୍ବାନ ଜଣାଇଥିଲେ । ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ଡିଜି ଶ୍ରୀ ଜି ମାଥି ଭାଥାନନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସଚିବ ଶ୍ରୀ ଗିରୀଶ ଏସ୍ ଏନ୍, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ମୀନା, ଦକ୍ଷତା ବିକାଶ ଆୟୋଗର ନିର୍ଦ୍ଦେଶକ ନବନୀତ କୌର, ଯୁବ ଓ ସମାଜ କଲ୍ୟାଣ କେନ୍ଦ୍ର, ଭୁବନେଶ୍ବରର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜଗଦାନନ୍ଦ, ପ୍ରଶିକ୍ଷଣ ସଂସ୍ଥା ଗୁଡିକର ବିଶେଷଜ୍ଞବୃନ୍ଦ ନିଜ ନିଜର ବକ୍ତବ୍ୟ ରଖିଥିଲେ l ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଉପ-ନିର୍ଦ୍ଦେଶକ ଶ୍ରୀମତୀ ଅମ୍ରିତା ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଉପ-ନିର୍ଦ୍ଦେଶକ ଡକ୍ଟର ସୁବ୍ରତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ୧୫ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି, ଅଧିକାରୀବୃନ୍ଦ ଯୋଗଦେଇ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ l
ରିପୋର୍ଟ : ବିନାୟକ ମିଶ୍ର, ଲୋକସମ୍ପର୍କ ଅଧିକାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ