ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ନୂଆ ମୋଡ଼ : ୧୨ରୁ ମାତ୍ର ଜଣେ ଯୋଗ୍ୟ ବିବେଚିତ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆବଶ୍ୟକ ବିଚାରପତି ନ ଥିବାରୁ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁନାହିଁ ଦର୍ଶାଇ ଗୋଟିଏ ସମୟରେ ଆଇନଜୀବୀମାନେ ଆପତ୍ତି ଉଠାଇଥିଲେ । କଟକରେ ପୁଲିସ-ଆଇନଜୀବୀ ବିବାଦ କାରଣରୁ ଦୀର୍ଘ ଦୁଇ ମାସ ଧରି କୋର୍ଟ ବନ୍ଦ ହୋଇରହିଛି । ଫଳରେ ଓଡ଼ିଶାରେ ବିଚାର ପ୍ରକ୍ରିୟା ଦୋହଲିଗଲାଣି । ଠିକ୍ ଏମିତି ଏକ ସମୟରେ ଓଡ଼ିଶାକୁ ପୁଣି ଏକ ଝଟ୍‌କା ଲାଗିଛି । ଆହ୍ଲାବାଦ ହାଇେକାର୍ଟ କଲେଜିୟମ ଦ୍ଵାରା ସୁପାରିସ ୧୫ ବିଚାର ବିଭାଗୀୟ ଅଧିକାରୀଙ୍କ ମଧ୍ୟରୁ ସୁପ୍ରିମକୋର୍ଟ କଲେଜିୟମ୍ ୧୩ଜଣଙ୍କୁ ଯୋଗ୍ୟ ବୋଲି ବିଚାର କରି ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି । ହେଲେ ଓଡ଼ିଶା ହାଇେକାର୍ଟରେ ଖାଲିଥିବା ବିଚାରପତି ପଦବି ପୂରଣ ପାଇଁ ଯେଉଁ ୧୨ ଜଣଙ୍କ ନାମ ତାଲିକା ପଠାଯାଇଥିଲା, ତା ମଧ୍ୟରୁ ମାତ୍ର ଜଣକୁ ଡ. ଅକ୍ଷୟ କୁମାର ମିଶ୍ରଙ୍କୁ ନିଯୁକ୍ତି ପାଇଁ ସୁପାରିସ ମିଳିଛି । ସୁପ୍ରିମକୋର୍ଟ କଲେଜିୟମ ଏକାଧିକ ଯୁକ୍ତି ଦେଇ ବାକି ନାମ ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି । ସବୁଠାରୁ ବଡ଼ କଥା ହେଲା, ଡ. ମିଶ୍ରଙ୍କୁ ଛାଡିଦେଲେ ଅନ୍ୟ ତିନିଜଣ ବିଚାର ବିଭାଗୀୟ ଅଧିକାରୀଙ୍କ ନାମ ଯୋଗ୍ୟତା ମାନଦଣ୍ଡ ମଧ୍ୟରେ ଆସୁନଥିବା ଦର୍ଶାଯାଇଛି । ସେହିପରି ୮ଜଣ ଆଇନଜୀବୀଙ୍କ ମଧ୍ୟରୁ ୫ଜଣ ରୋଜଗାର ଯୋଗ୍ୟତା ମାନଦଣ୍ଡରେ ଆସୁନାହାନ୍ତି । ଗୋଟିଏ ପଟେ ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ସାରା ରାଜ୍ୟ ମାମଲା ବିଚାର ତ୍ୱରାନ୍ୱିତ ପାଇଁ ବିଚାରପତି ପଦବି ପୂରଣ ଉପରେ ଗୁରୁତ୍ଵାରୋପ କରୁଥିବାେବଳେ କେଉଁ ପରିସ୍ଥିତିରେ ଏଭଳି ଏକ ନାମତାଲିକା ପଠାଗଲା, ଏହା ପଛରେ କି ବାଧ୍ୟବାଧ୍ୟକତା ଥିଲା, ସେ ନେଇ ପ୍ରଶ୍ନ ଉଠିଛି । ଉଲ୍ଲେଖଯୋଗ୍ୟ, ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୨୭ ଜଣ ବିଚାରପତି ରହିବା କଥା କିନ୍ତୁ ଆଜି ଦିନରେ ଏହି ସଂଖ୍ୟା ୧୪ ରହିଛି । ଏମିତି ଏକ ସ୍ଥିତିରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ଶରଣ ଏକ ୧୨ ଜଣିଆ ନାମ ତାଲିକା ସୁପ୍ରିମକୋର୍ଟକୁ ପଠାଇଥିଲେ । ମୁଖ୍ୟ ବିଚାରପତି ଭିନିତ ଶରଣ, ବିଚାରପତି ଇନ୍ଦ୍ରଜିତ ମହାନ୍ତି, ବିଚାରପତି ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ କଲେଜିୟମ ମଧ୍ୟରେ ସହମତି ହୋଇପାରିନଥିଲା । ଏଥିରେ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ସତ୍ୟ ନାରାୟଣ ମିଶ୍ର, ବିଭୁପ୍ରସାଦ ରାଉତରାୟ, ଗୌତମ ଶର୍ମା ଓ ଡ. ଅକ୍ଷୟ କୁମାର ମିଶ୍ରଙ୍କ ନାମ ଥିଲା । ସେହିଭଳି ଆଠଜଣ ବରିଷ୍ଠ ଆଇନଜୀବୀ ଯଥା ରୁଦ୍ର ପ୍ରସାଦ କର, ପ୍ରଣୟ କିେଶାର ହରିଚନ୍ଦନ, କାଳୀପ୍ରସନ୍ନ ମିଶ୍ର, ବିମ୍ବିସାର ଦାସ, ନରସିଂହ ଭି, ତୁଷାରକାନ୍ତି ଶତପଥୀ, ବିଷ୍ଣୁ ପ୍ରସାଦ ପ୍ରଧାନ, ସମୀର କୁମାର ଦାସଙ୍କ ନାମ ସୁପାରିସ କରାଯାଇଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ଵ ନେବା ପରେ ଜଷ୍ଟିସ ରଂଜନ ଗୋଗୋଇ ଦେଶର ବିଭିନ୍ନ ନ୍ୟାୟାଳୟରେ ଥିବା ଖାଲି ପଦବି ପୂରଣ ଉପରେ ଗୁରୁତ୍ଵ ଦେଇଥିଲେ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାେର ବିଚାରପତି ମଦନ ବି ଲାକୁର, କୁରିଆନ ଯାେଶଫଙ୍କୁ ନେଇ କଲେଜିୟମ ଗଠନ ହୋଇଥିଲା । ଯଦିଓ ପ୍ରଥମେ ୧୨ଜଣଙ୍କୁ ସାକ୍ଷାତାକାର ପାଇଁ ଡକାଯିବା ଲାଗି ସ୍ଥିର ହୋଇଥିଲା, ଶେଷ ମୁହୂର୍ତରେ କିନ୍ତୁ ଜଣେ ବିଚାର ବିଭାଗୀୟ ଅଧିକାରୀ ଓ ତିନିଜଣ ଆଇନଜୀବୀଙ୍କୁ କଲେଜିୟମ ଡାକିଥିଲେ । ଅେକ୍ଟାବର ୩୧ ତାରିଖରେ ଏମାନଙ୍କୁ ସାକ୍ଷାତାକାର ପାଇଁ ଡକାଯାଇଥିଲା । ହେଲେ କଲେଜିୟମ କେବଳ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଡ. ଅକ୍ଷୟ କୁମାର ମିଶ୍ରଙ୍କ ନାମ ବିଚାରପତି ପଦ ପାଇଁ ଚୟନ କରିଥିେଲ । ବିଶ୍ଵସ୍ଥ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନ୍ୟ ତିନି ଜଣ ବିଚାର ବିଭାଗୀୟ ଅଧିକାରୀ ହାଇକୋର୍ଟ ବିଚାରପତି ପଦ ପାଇଁ ଏଯାଏ ଯୋଗ୍ୟତା ହାସଲ କରିନାହାନ୍ତି । ହାଇକୋର୍ଟ କଲେଜିୟମ ଉପଯୁକ୍ତ ସମୟରେ ସେମାନଙ୍କ ସଂପର୍କରେ ପୁନଃବିଚାର କରିବା ଲାଗି କଲେଜିୟମ ପରାମର୍ଶ ଦେଇଛନ୍ତି । ଏସବୁ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପୁଣି ଥରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପାଖକୁ ପଠାଇ ଦେଇଥିବା ଜଣାପଡିଛି । କବଳ ସେତିକି ନୁେହଁ, ବରିଷ୍ଠ ୮ ଜଣ ଆଇନଜୀବୀଙ୍କ ସଂପର୍କରେ ମଧ୍ୟ କଲେଜିୟମ ମତ ରଖିଛନ୍ତି । ୫ଜଣ ଆଇନଜୀବୀ ରୁଦ୍ର ପ୍ରସାଦ କର, ତୁଷାରକାନ୍ତି ଶତପଥୀ, ବିଷ୍ଣୁ ପ୍ରସାଦ ପ୍ରଧାନ,ସମୀର କୁମାର ଦାସ ଏବଂ ବିମ୍ବିସାର ଦାସ ବୃତ୍ତିଗତ ଆୟ ମାନଦଣ୍ଡ ପୂରଣ କରୁନାହାନ୍ତି । ଏଣୁ ତାଙ୍କ ନାମକୁ କଲେଜିୟମ୍ ଏହି ଦୌଡରୁ ବାଦ୍ ଦେଇଛନ୍ତି । ଆଇନଜୀବୀ କାଳୀପ୍ରସନ୍ନ ମିଶ୍ରଙ୍କ ନାମ କିଛି ଦିନ ପରେ ବିଚାରକୁ ନିଆଯିବ ବୋଲି କଲେଜିୟମ ମତ ରଖିଛନ୍ତି । ଆଇନଜୀବୀ ନରସିଂହ ଭିଙ୍କ ନାମକୁ ପୁନଃବିଚାର ପାଇଁ ହାଇକୋର୍ଟଙ୍କ ନିକଟକୁ ପଠାଇ ଦିଆଯାଇଥିବା ବେଳେ ପ୍ରଣୟ କିଶୋର ହରିଚନ୍ଦନଙ୍କ କ୍ଷେତ୍ରରେ କୌଣସି ଟିପ୍ପଣୀ ନ ଦେଇ କଲେଜିୟମ୍ ଫେରାଇ ଦେଇଛନ୍ତି । ଫଳରେ ଓଡ଼ିଶା ହାଇକୋର୍ଟକୁ ମାତ୍ର ଜଣେ ବିଚାରପତି ମିଳିଛନ୍ତି । ୨୦୧୫ରେ ଶେଷ ଥର ପାଇଁ ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥିଲା । ଇତିମଧ୍ୟରେ ତିନି ବର୍ଷ ହେଲାଣି । ବିଚାରପତି ପଦ ଖାଲିଥିବା କାରଣରୁ ମାମଲା ସଂଖ୍ୟା ପାଖାପାଖି ୨ଲକ୍ଷ ଛୁଇଁବାକୁ ବସିଲାଣି । ତା ସାଙ୍ଗକୁ ଆଇନଜୀବୀ ଆନ୍ଦୋଳନ ଯୋଗୁଁ କୋର୍ଟରେ ଅଚଳାବସ୍ଥା ଦେଖାଦେଇଛି । ସ୍ଥିତି ଏତେ ସଙ୍ଗିନ ଥିବା ବଳେ ଓଡ଼ିଶାର ୧୨ଜଣଙ୍କ ମଧ୍ୟରୁ ମଧ୍ୟ ମାତ୍ର ଜଣକୁ ଚୟନ କରାଯିବା ଓ ସଂଖ୍ୟାଧିକ ନାମ ଯୋଗ୍ୟ ନୁେହଁ ବୋଲି କହି କେମିତି ଜାଣିପାରିଲେ ନାହିଁ, ତାହା ସବୁ ମହଲକୁ ବିଚଳିତ କରୁଛି । ପୁଣି କେବେ ହାଇକୋର୍ଟ ନାମ ତାଲିକା ପଠାଇବେ, ଏହା ଉପରେ ସୁପ୍ରିମକୋର୍ଟ କଲେଜିୟମ ବସି ନିଷ୍ପତ୍ତି ନେବେ, ତାହା କାହାକୁ ଜଣାନାହିଁ । ଏହା ଏକ ଜଟିଳ ଓ ବିଳମ୍ବିତ ପ୍ରକ୍ରିୟା ହୋଇଥିବାରୁ ସେ ଯାଏ ଓଡ଼ିଶା ପ୍ରଭାବିତ ହେବ ବୋଲି କୁହାଯାଉଛି । ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ୧୩ ଟି ଜର୍ଜ ପୋଷ୍ଟକୁ ପୁରଣ କରିବାକୁ ଦାବି ହୋଇଛି । 
 

ରିପୋର୍ଟ : ସୁଧାଂଶୁ ଶେଖର