ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ସଫଳତାର କାହାଣୀ…

ଜଣେ ବୈମାନିକ ଭାବରେ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ କାହାଣୀ ଓ କାର୍ଯ୍ୟ ସମ୍ପର୍କରେ ଅନେକ ଘଟଣା କୁହାଯାଏ ଓ ଶୁଣାଯାଏ । ବିମାନ ଚାଳନାରେ ତାଙ୍କର ଦକ୍ଷତା ଓ ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ସେ କିଭଳି ନିଜର ସାହାସିକତାର ପରିଚୟ ଦେଇଥିଲେ, ତାହା ଏବେ ପର୍ଯ୍ୟନ୍ତ କିମ୍ବଦନ୍ତୀ ହୋଇ ରହିଛି । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନୀତ କରାଯାଇଥିଲା ।ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ପଟ୍ଟନାୟକ ଭାରତ ବର୍ଷ ରେ କେବଳ ଜଣେ ରାଜନୈତିକ ନେତା ଭାବେ ପରିଚିତ ନୁହେଁ ବରଂ ସେ ଏକା ଧାରାରେ ଜଣେ ବୈମାନିକ, ଶିଳ୍ପପତି ଓ ବ୍ୟବସାୟୀ ମଧ୍ୟ । ରାଜନିତଜ୍ଞ ଭାବେ ସେ ଓଡିଶାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ଏହି ମହାନ ଜନନାୟକଙ୍କ ଜନ୍ମ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଓଡିଶାର କଟକ ଜିଲ୍ଲାର ତୁଳସୀପୁର ଅଞ୍ଚଳରେ ହୋଇଥିଲା । ତାଙ୍କ ଜନ୍ମ ଦିବସ ମାର୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଛି । କଟକ ମିଶନ ପ୍ରାଇମେରୀ ସ୍କୁଲ ଓ ରେଭେନ୍ଶା କଲେଜରୁ ପାଠ ପଢା ପରେ ସେ ବିମାନ ଉଡାଣ ଶିକ୍ଷା ନିମନ୍ତେ ମନୋନିବେଶ କରିଥିଲେ । ଓଡିଶାରେ ଶିଳ୍ପର ବିକାଶ ନିମନ୍ତେ ତାଙ୍କର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ । କଳିଙ୍ଗ ଟାଇଲସ, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଆଇରନ ୱାର୍କସ, କଳିଙ୍ଗ ଏୟାରଲାଇନସ ଓ କଳିଙ୍ଗ ରିଫ୍ରାକଟୋରିଜ ଆଦି ନିଜ ଉଦ୍ୟମରେ ସେ ପ୍ରତିଷ୍ଠା କରିଥିଲେ । ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ । ଇନ୍ଦିରା ଗାନ୍ଧୀଙ୍କ ସହ ରାଜ୍ୟସଭା ଟିକେଟ ବଣ୍ଟନ ପାଇଁ ମନମାଳିନ ହେତୁ ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ସେ ଜନତା ଦଳରୁ ଜିତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ । ୧୭ ଏପ୍ରିଲ ୧୯୯୭ ମସିହାରେ ୮୧ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ । ତାଙ୍କ ଝିଅ ଗୀତା ମେହେଟା ଜଣେ ଲେଖିକା । ତାଙ୍କର ବଡ଼ ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ ।

ବାସୁଦେବ ସେଠୀ,
ଆଇନଜୀବୀ,
ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ