ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବିଧାୟକ ବିକ୍ରମ ପଣ୍ଡାଙ୍କ ରକ୍ତଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ତାଙ୍କର ସହଧର୍ମଣିଙ୍କ ସମେତ ପରିବାରର ୭ଜଣ ସଦସ୍ୟମାନେ ରକ୍ତ ଦାନ କରିଛନ୍ତି । ଏହି ରକ୍ତଦାନ ଭ୍ରାମ୍ୟମାଣ ମୋବାଇଲ ଭ୍ୟାନରେ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ଯୋଗୁଁ ରକ୍ତ ଭଣ୍ଡାରେ ଘୋର ରକ୍ତ ଅଭାବ ଦେଖାଦେଇଛି । ଯାହାଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରକ୍ତଦାନ କରିବାକୁ ଆହ୍ୱାନ ଦେଇଛନ୍ତି । ତାଙ୍କର ଆହ୍ୱାନ କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ନେଇ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । ବିଧାୟକଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ଜଣାପଡିଛି । ଏହାସହ ନିଜ ବାସଭବନରେ ସ୍ୱର୍ଗତ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ମହାନଗର ସଭାପତି ବିଜୟ ସାମଲ, ଜିଲ୍ଲା ଉପସଭାପତି ସଂଜିତ ପାଣିଗ୍ରାହୀ, ମଦନ ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିଭଳି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ନିଜ ବାସଭବନରେ ବିଜୁ ବାବୁଙ୍କ ଶ୍ରଦ୍ଧା ଦିବସ ପାଳନ କରିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା