ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସଚେତନତା ରଥ ତିନି ମାସ ଧରି ସଚେତନତା କରିବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ବାହାରିଥିବା ରଥ ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ପରିକ୍ରମା କରିବ । ରଥ ସହିତ ଥିବା ଲୋକ କଳାକାରମାନେ ବିଭିନ୍ନ ଲୋକକଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବେ । ଏହି ସଚେତନତା ରଥ ଯେଭଳି ଠିକଣା ଭାବେ ସମଗ୍ର ରାଜ୍ୟ ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ସେଥିପାଇଁ ପ୍ରସ୍ତୁତ ମାର୍ଗଦର୍ଶିକା ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି । ପ୍ରସ୍ତୁତ ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ସଚେତନତା ପାଇଁ ବାହାରିଥିବା ରଥରେ ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ କଳାସଂସ୍କୃତି ସଂଘ ଓ ନଗର କଳା ସଂସ୍କୃତି ସଂଘର କାଳାକାରମାନେ ରହିବା ସହିତ ଉଭୟ ଗାଁ ସହ ସହର ପରିକ୍ରମା କରିବେ । ଆସନ୍ତା ୩ମାସ ମଧ୍ୟରେ ସ୍ୱାସ୍ଥ୍ୟ କଲ୍ୟାଣ ରଥ କଳାକାରମାନଙ୍କ ସହିତ ଯେଭଳି ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳ ପରିକ୍ରମା କରିବ ତାହାର ଏକ ରୋଡ୍‍ମ୍ୟାପ ପ୍ରସ୍ତୁତ ପାଇଁ କୁହାଯାଇଛି । ଜିଲ୍ଲା କଳା ସଂସ୍କୃତି କେନ୍ଦ୍ରର ଉପସଭାପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱାବଧାନରେ ଏହି ଯାତ୍ରା ହେବ ଏବଂ ଏହାର ସୂଚନା ରାଜ୍ୟ ସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରାଯିବ ।ଗଞ୍ଜାମ, କୋରାପୁଟ, ମଞ୍ଜୁରଭଞ୍ଜ, ସୁନ୍ଦରଗଡ ଓ ଖୋରଧାର କଳାକାରମାନଙ୍କ ସହିତ ମିଳିତ ଭାବେ ୩୦ ମିନିଟ୍‍ର ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯିବ । ଅନ୍ୟ ଜିଲ୍ଲାର କଳାକାରମାନେ ଏକଘଣ୍ଟାପର୍ଯ୍ୟନ୍ତ ଏହା ପ୍ରଦର୍ଶନ କରିପାରିବେ । ପ୍ରତି ଦଳରେ ଅତି କମ୍‍ରେ ୧୦ଜଣ କଳାକାର ରହିବେ ।ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ନିୟମ ଅନୁଯାୟୀ କଳାକାରମାନେ ପଞ୍ଚାୟତ ସ୍ତରରେ ନିଜେ ଯା ଆସ କରିବେ । ଖାଦ୍ୟ ଓ ଗମନାଗମନ ଲାଗି ସେମାନଙ୍କୁ ଭତ୍ତା ମିଳିବ । କଳା ପ୍ରଦର୍ଶନ ପାଇଁ ଦୈନିକ ୨୦୦ ଟଙ୍କା କରି ଦିଆଯିବ । ଜିଲ୍ଲା ପକ୍ଷରୁ ଏଥିପାଇଁ ବ୍ୟୟବରାଦ ପ୍ରଦାନ ଲାଗି କୁହାଯାଇଛି ।ଗାଁ ଗହଳରେ ସଚେତନତା ରଥ ପହଞ୍ଚିବାର ଦୁଇ ତିନିଦିନ ପୂର୍ବରୁ ଲୋକଙ୍କୁ ଅବଗତ କରାଯିବ । ଫଳରେ ସଚେତନତା କାର୍ଯ୍ୟକ୍ରମରେ ଅଧିକ ଲୋକ ସମାଗମ ହେବେ । ଆବଶ୍ୟକ ସ୍ଥଳେ ଗାଁ କଲ୍ୟାଣ ସମିତି ନିକଟରେ ପଡି ରହିଥିବା ଅର୍ଥକୁ ଏଥିରେ ବ୍ୟବହାର କରାଯାଇ ପାରିବ ।ଜିଲ୍ଲା କଳା ସଂସ୍କୃତି ସଂଘର ଅଧ୍ୟକ୍ଷ ଥିବା ଜିଲ୍ଲାପାଳ କଳାକାରମାନଙ୍କୁ ସେମାନଙ୍କ ପାଉଣା ପ୍ରଦାନ କରିବେ । ବ୍ଲକ ସ୍ତରରୁ ବ୍ଲକ କଳା ସଂସ୍କୃତି ସଂଗଠନ ଅଧ୍ୟକ୍ଷ ଥିବା ବିଡିଓ ଓ ପୌରାଞ୍ଚଳରୁ ନଗର କଳା ସଂସ୍କୃତି ସଂଗଠନର ଅଧ୍ୟକ୍ଷ ଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ପ୍ରଦାନ ପରେ ଏହି ଅର୍ଥ ମିଳିବ । ଉକ୍ତ ରିପୋର୍ଟରେ କଳାକାରମାନଙ୍କ ସହିତ ଅଙ୍ଗନବାଡି କର୍ମଚାରୀ ଓ ଆଶା ମାନଙ୍କର ସ୍ୱାକ୍ଷର ରହିବ ।

ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଗଠନ

ଭୁବନେଶ୍ୱର – ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ “ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ” ଗଠନ କରିଛନ୍ତି । ସାମ୍ମୁଖ୍ୟର ଉପଦେଷ୍ଟା ଭାବେ ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ରଙ୍କୁ ନିଯୁକ୍ତ କରିଥିବା ବେଳେ ସାମ୍ମୁଖ୍ୟର ରାଜ୍ୟ ଆବାହକ ଭାବେ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ରବି ନାରାୟଣ ନନ୍ଦ, ସଂଯୋଜକ ଭାବେ ଶ୍ରୀ ପ୍ରବୀର ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି ସାମ୍ମୁଖ୍ୟର ସଦସ୍ୟ ଭାବେ ଶ୍ରୀ ମୋହନ ପ୍ରସାଦ ମିଶ୍ର, ଶ୍ରୀ ଜୀବନ ଦିକ୍ଷୀତ, ଶ୍ରୀ ଅଜୟ ରାଉତରାୟ, ଶ୍ରୀ ପ୍ରଶାନ୍ତ ଜେନା, ଶ୍ରୀ ସରୋଜ କୁମାର ଚୌଧୁରୀ, ଶ୍ରୀ ଗୌରୀଶଙ୍କର ବେହେରା, ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପରିଡ଼ାଙ୍କୁ ଦଳର ସଭାପତି ମନୋନୀତ କରିଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । 

ରିପୋର୍ଟ : ଆକାଶ ମିଶ୍ର