



ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୭୦ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଓଡିଶା ସମେତ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇନାହିଁ । ଓଡିଶାରେ ଅଧିକ ଗରୀବି ରହିଛି । ଦେଶର ସମ୍ପତିକୁ କଂଗ୍ରେସ, ବିଜେପି ଓ ବିଜେଡି ମିଳିମିଶି ଲୁଟ୍ କରି ଚାଲିଛନ୍ତି । ଓଡ଼ିଶାରେ ଖଣି ମାଫିଆଙ୍କ ଶାସନ ଲିଛି । ଖଣି ମାଫିଆଙ୍କ କବଜାରେ ସରକାର ରହିଛି । ବିରୋଧୀ ଦଳ ନାହିଁ । ସମସ୍ତେ ମିଳିମିଶି ରାଜ୍ୟକୁ ଲୁଟିବାରେ ଲାଗିଛନ୍ତି ବୋଲି ଆମ୍ ଆଦମି ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ଗାନ୍ଧି ମାର୍ଗ ଠାରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଶ୍ରୀ କେଜରିୱାଲ କହିଥିଲେ ଯେ ଓଡିଶାର ଭବିଷ୍ୟତ ଆପଣମାନଙ୍କ ହାତରେ ରହିଛି । ଚାହିଁଲେ ସରକାରର ପରିବର୍ତନ କରିପାରିବେ । ଓଡିଶା ସମେତ ଦେଶରେ ଜନତାର ରାଜ ହେବା ଦରକାର । ଉପରୋକ୍ତ ୩ ଦଳ ବିରୁଦ୍ଧରେ ଯେଉଁ କ୍ରାନ୍ତିକାରୀ ଅଭିଯାନ ଆରମ୍ଭ ହୋଇଛି ସେଥିରେ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ । ଅନ୍ୟପକ୍ଷରେ ଓଡିଶାରେ କଂଗ୍ରେସ, ବିଜେଡି ଓ ବିଜେପିର ସଲା ସୁତରା ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତିି । ସେ ଆହୁରି କହିଥିଲେ ଯେ ଦିଲ୍ଲୀ ଶାସନ କ୍ଷମତାରେ ଆପ୍ ଆସିବା ପରେ ବିଦ୍ୟୁତ୍ ଟାରିଫ୍ ୟୁନିଟ୍ ପିଛା ୧ ଟଙ୍କା ରଖାଯାଇଥିବା ବେଳେ ଓଡିଶାର ଲୋକ କାହିଁକି ୫ ଟଙ୍କା ୫୦ ପଇସା ଦେବେ । ଗ୍ରାହକମାନଙ୍କୁ ଶୋଷଣ କରାଯାଉଛି । ଆପ୍ ସରକାର ଆସିବାରେ ଘରୋଇ ସ୍କୁଲର ଫି ବୃଦ୍ଧି ହୋଇନାହିଁ । ଦିଲ୍ଲୀରେ ଘରୋଇ ସ୍କୁଲ ବଦଳରେ ସରକାରୀ ସ୍କୁଲ ଉପର ବିଶେଷ ଗୁରୁତ୍ୱ ଦିଆଯାଇଛି । ଯାହାଫଳରେ ସେସବୁ ସ୍କୁଲ ଗୁଡିକର ପ୍ରଦର୍ଶନ ଭଲ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି , ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ଯେଭଳି ଭାବେ ପ୍ରାଧାନ୍ୟ ପାଇବା କଥା ଓଡିଶାରେ ତାହା ଦିଆଯାଉନାହିଁ । ସେମାନେ ଓଡିଶାରେ ଅବହେଳିତ ଅବସ୍ଥାରେ ରହିଛନ୍ତି । ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜ୍ୟସଭା ସଦସ୍ୟ ସଂଜୟ ସିଂହ, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆ ଓ ଆପ୍ ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ । ସମସ୍ତେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ସମାଲୋଚନା କରିଥିଲେ । ତେବେ ଶ୍ରୀ ସାଗରିଆ ରାହୁଲ ଗାନ୍ଧି, ବିରୋଧୀ ଦଳ ନେତା, ପିସିସି ସଭାପତିଙ୍କୁ ସମାଲୋଚନା କରିବାର ଦେଖିବାକୁ ମିଳିଥିଲା । ଓଡିଶାର ରାଜନୀତି ଖଣି ମାଫିଆଙ୍କ ହାତରେ ଚାଲିଛି । ଚାଷୀ ଓ ଲୋକେ ହତାଶ୍ ଅବସ୍ଥାରେ ରହିଛନ୍ତି । ୨୦ ବର୍ଷ ଶାସନ କାଳରେ ରାଜ୍ୟରେ ଦାରିଦ୍ର୍ୟ, ବେକାରୀ, ଚାଷୀ ଆତ୍ମହତ୍ୟା, ଅପରାଧ ବଢିଛି । ଚାଷୀଙ୍କୁ ଉତ୍ପାଦିତ ମୂଲ୍ୟ ମିଳୁ ନାହିଁ । ଯୋଜନା ଉପରେ ଯୋଜନା ଚାଲିଛି । ନିଜର ହକ୍ ପାଇଁ ଲଢିବାକୁ ହେବ । ଗାଁ ଗାଁରେ ସାମାଜିକ ନ୍ୟାୟ ପାଇଁ ଆପ୍ କୁ ବିଜୟୀ କରିବାକୁ ଶ୍ରୀକାନ୍ତ ଜେନା ଆହ୍ୱାନ ଦେଇଥିଲେ ।
ରିପୋର୍ଟ : ଆକାଶ ମିଶ୍ର





