

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ୪ ଟି ବିଧାନସଭା ଆସନ ପାଇଁ ବହୁ ପ୍ରାର୍ଥୀ ନିଜ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ଲୋକସଭା ଅଧିନସ୍ଥ ବ୍ରହ୍ମପୁର, ଗୋପାଳପୁର ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଏବଂ ଆସିକା ଲୋକସଭା ଅଧିନସ୍ଥ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଗତକାଲି ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ବିଜେଡ଼ି ଦଳର ପ୍ରାର୍ଥୀ ବିକ୍ରମ ପଣ୍ଡା ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ବିଜେପି ଦଳର ପ୍ରାର୍ଥୀ କାହ୍ନୁ ଚରଣ ପତି, କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀ, ସ୍ୱାଧୀନ ପ୍ରାର୍ଥୀ ଦୁର୍ଯ୍ୟୋଧନ ବେହେରା, ଆମ୍ବେଦକର କଂଗ୍ରେସ ପାର୍ଟି ପକ୍ଷରୁ ଗୋବିନ୍ଦ ସାହୁ, ସ୍ୱାଧୀନ ପ୍ରାର୍ଥୀ ଆଶା କୁମାରୀ ଦାଶ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡ଼ି ପ୍ରାର୍ଥୀ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ, ବିଜେପି ପ୍ରାର୍ଥୀ ବିଭୂତି ଜେନା, ଦିଗପହଣ୍ଡି ଆସନରୁ ସୂର୍ଯ୍ୟ ନାରାୟଣ ପାତ୍ର, ବିଜେପିରୁ ପିଙ୍କି ପ୍ରଧାନ, କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ପଣ୍ଡା, ସ୍ୱାଧୀନ ପ୍ରାର୍ଥୀ ଉତମ ପାଣିଗ୍ରାହୀ, ସାନଖେମୁଣ୍ଡି ଆସନ ପାଇଁ ଧରାକୋଟ ରାଣୀ ନନ୍ଦିନୀ ଦେବୀ, କଂଗ୍ରେସରୁ ରମେଶ ଜେନା ଓ ବିଜେପିରୁ ବିଜୟ ସ୍ୱାଇଁ ପ୍ରମୁଖ ନିଜ ନିଜର ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ରିଟର୍ଣ୍ଣିଂ ଅଫିସର୍ ଦାୟିତ୍ୱରେ ରହିଥିଲେ ତାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରକାଶଯୋଗ୍ୟ ଯେ, ଆସନ୍ତା ଏପ୍ରିଲ୍ ୧୧ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର, ଗୋପାଳପୁର ଓ ଦିଗପହଣ୍ଡି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ କରାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସାନଖେମୁଣ୍ଡି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ କରାଯିବ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

