ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର କଂଗ୍ରେସ ପକ୍ଷରୁ ରାଜ୍ୟ କଂଗ୍ରେସର ଡାକରା କ୍ରମେ କଳା ଦିବସ ପାଳନ ଅବସରରେ ମୋଟର ସାଇକେଲ ଶୋଭାଯାତ୍ରାରେ କନିସି ସ୍ଥିତ ଜଗନ୍ନାଥ ମନ୍ଦିର ଛକରୁ ବାହାରି ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶୋଭାଯାତ୍ରାରେ ସାମିଲ ଥିବା କଂଗ୍ରେସ କର୍ମୀମାନେ ହାତରେ କଳାପତାକା ବାନ୍ଧିବା ସହ କଳାପତାକା ଧରି ନବୀନ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । କଂଗ୍ରେସ ଜିଲ୍ଲା ସାଧାରଣ ସଂପାଦକ ଏସ. ଧର୍ମରାଜ ରେଡ୍ଡୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ରାଜକୋଷରୁ ପିଠା କାର୍ଯ୍ୟକ୍ରମ ଆୟୋଜନ କରି ୨୫ ହଜାର ଟଙ୍କା ଲେଖାଏଁ ଅନାବ୍ୟୟ କରିବା, ବିଜୁ ଯୁବ ବାହିନୀ ଗଠନ କରି ୪୦୫ କୋଟି ଟଙ୍କା ଅଯଥା ଖର୍ଚ୍ଚ କରି ବିଜେଡିର ଗୁଣଗାନ କରାଯାଉଥିବା ନେଇ ଶ୍ରୀ ରେଡ୍ଡୀ ଉଦବେଗ ପ୍ରକାଶ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧୀରେନ୍ଦ୍ର ପାତ୍ର, ସୁଜିଶନ ମଲଣା, କେ. ଜଗେୟା ରେଡ୍ଡୀ, ଉମାକାନ୍ତ ସାସମଲ, କେ. ମୋହନ ରେଡ୍ଡୀ, ଗୋକୁଳ କର, ହରିହର ପାତ୍ର, ତପନ ଦଳେଇ, ବଳରାମ ପାତ୍ର, ଅଭିମନ୍ୟୁ ନାୟକ, ହରିହର ବିଷୋୟୀ, ଡ଼ମ୍ବୁରୁ ରଣା, କେ. ରାମରାଓ ରେଡ୍ଡୀ, କେ. ବାମନ ଆଚାରୀ, ଶିବ ସାମନ୍ତ, ସୁରେନ୍ଦ୍ର ରାଉଳ, ପ୍ରଦୀପ ନାୟକ, ସୁଦାମ ନାୟକ, ଆଦିତ୍ୟ ଦଳେଇ, ଶିଶିର ବେହେରାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରି ନବୀନଙ୍କ ୧୮ ବର୍ଷ ଶାସନରେ ଓଡିଶା ଧ୍ୱଂସ ହୋଇ ଯାଇଥିବା ଅଭିଯୋଗ କରିଥିଲେ । ତେଣୁ ଆଗାମୀ ନିର୍ବାଚନରେ ଓଡିଶା ତଥା ଦେଶକୁ ବଞ୍ଚାଇବାକୁ ହେଲେ କଂଗ୍ରେସ ହିଁ ଏକମାତ୍ର ଦଳ ବୋଲି ସ୍ଲୋଗାନ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା