ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଦ୍ମ ଲୋଚନ ପଣ୍ଡା, ଶୁଭଙ୍କର ମହାପାତ୍ରଙ୍କ ସମେତ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର  ( ଆକାଶ ମିଶ୍ର )- ଭାରତୀୟ ଜନତା ପାର୍ଟିର ସଂଘର୍ଷ କେବଳ ରାଜ୍ୟରେ ସରକାର ପରିବର୍ତନ ପାଇଁ ନୁହେଁ । କେଉଁ ବ୍ୟକ୍ତିଙ୍କୁ ବିଧାୟକ ବା ମନ୍ତ୍ରୀ କରିବାରେ ସୀମିତ ନୁହେଁ । ୨୦ ବର୍ଷର ଲମ୍ବା ନବୀନ ପଟ୍ଟନାୟକଙ୍କ ଶାସନ ଓଡିଶାର ମଙ୍ଗଳ ନୁହେଁ ବରଂ ଚାଷୀ, ଗରୀବ, ଆଦିବାସୀ, ମହିଳା, ଯୁବକଙ୍କ ସ୍ୱାର୍ଥ ବିରୋଧୀ ରହିଛି । ମୋଦିଙ୍କ ବିଚାରରେ ବିଶ୍ୱାସ କରୁଥିବା ସରକାର ଗଠନ ସହ ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ପ୍ରଗତିର ଶୀର୍ଷକୁ ନେବା ଏହି ଜନ ଆନ୍ଦୋଳନର ଉଦ୍ଧେଶ୍ୟ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ବାଲେଶ୍ୱର ଜିଲ୍ଲାର ଖଇରା ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ତାଙ୍କର ହଜାର ହଜାର ସମର୍ଥକ, ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ସମିତି ସଭ୍ୟ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ,. ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସହିତ ବିଜେପିରେ ଯୋଗ ଦେବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଶୁଭଙ୍କର ମହାପାତ୍ର ମଧ୍ୟ ଏହି ଅବସରରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ପରିବର୍ତନ ନାରାରେ ସଭା ସ୍ଥଳ ଗୁଂଜରିତ ହୋଇ ଉଠିଥିଲା ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଲମ୍ବା ସମୟ ଧରି ଚାଲୁଥିବା ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟର ସମ୍ପଦକୁ ବ୍ୟବହାର କରି ଯୁବ ପୀଢୀକୁ ରୋଜଗାର ସୁଯୋଗ ସୃଷ୍ଟି କରି ବିକାଶର ରାସ୍ତା ଖୋଲିବା ବଦଳରେ ରାଜ୍ୟର ସମ୍ପଦକୁ ଲୂଟ କରି ଚାଲିଛନ୍ତି । ଶ୍ରୀପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ସିମୁଳିଆ ଓ ଖଇରା ଅଂଚଳର ଖଣି ଖାଦାନର ମାଲିକ ସ୍ଥାନୀୟ ଅଂଚଳର ଯୁବ ପୀଢୀ ନୁହେଁ ବରଂ ବିଜେଡି ସରକାର ଏହାକୁ ଲୂଟ କରି ନିଜେ ଲାଭବାନ ହେଉଛନ୍ତି । କଣ ପାଇଁ ଏହି ଅଂଚଳର ଯୁବକ ଏହି ଠାରେ ନିଯୁକ୍ତି ଓ ରୋଜଗାରର ସୁଯୋଗ ନ ପାଇ ବେକାର ହେବା ବା ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ ବାଧ୍ୟ ହେଉଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।ଯଦି ଲମ୍ବା ସମୟର ଚାଲିଥିବା ସରକାର ଲୋକ କଲ୍ୟାଣ ପାଇଁ କାମ କରିଥାନ୍ତା ତା ହେଲେ ନିଜର ବୁଢା ମା- ବାପା ଓ ସ୍ତ୍ରୀ, ପିଲା, ପରିବାରକୁ ଛାଡି ଦୂରଦୂରାନ୍ତକୁ ଯାଇ କାମ କରିବାକୁ ପଡୁ ନ ଥାନ୍ତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଳ୍ପ କେଇ ଦିନ ପରେ କାର୍ତିକ ପୂର୍ଣିମା ଅବସରରେ ବୋଇତ ବନ୍ଦାଣ କରିବା । ଓଡିଆ ଅତୀତରେ ଦେଶ ବିଦେଶରେ ବାଣିଜ୍ୟ ବ୍ୟବସାୟ କରି ଓଡିଶାକୁ ଧନଧାନ୍ୟରେ ପୂର୍ଣ କରି ଥିଲା । ପୁଣି ଓଡିଶାକୁ ବିକାଶର ଶୀର୍ଷରେ ନେବା ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଆଗକୁ ନେବା ସହ ମୋଦି ବିଚାରରେ ବିଶ୍ୱାସ କରୁଥିବା ରାଜ୍ୟ ସରକାର ଗଢିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଖ ଜିଲ୍ଲା ମୟୁରଭଂଜରେ ଯେତିକି ଜମି ଅଛି ତା ଠାରୁ ଅଧିକ ଚାରା ଲଗାଇ ଅର୍ଥକୁ ହରିଲୂଟ କରା ଯାଇଥିବା କଥା ଶାସକ ଦଳର ବରିଷ୍ଠ ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଜଣେ ଶାସକ ଦଳର ପୂର୍ବତନ ସାଂସଦ ରାଜ୍ୟର ଖଣି ଖାଦାନ ଲୁଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଫିସରଙ୍କୁ ସିଧା ସିଧା ଦୋଷୀ ବୋଲି ଅଭିଯୋଗ କରିଛନ୍ତି ।ତିତଲି ମହାବାତ୍ୟା ପରିଚାଳନାରେ ଜିରୋ କାଜୁଆଲିଟିର ଅହଂକାରରେ କେବଳ ଗଜପତି ଜିଲ୍ଲାରେ ଶହେରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି ।